‘ମହିଳାଙ୍କୁ ଘରେ ରଖ, ପିଲା ଜନ୍ମ କର’; କେରଳରେ ସିପିଏମ ନେତାଙ୍କ ମନ୍ତବ୍ୟକୁ ନେଇ ବିବାଦ

NEWS7
cm-condolence-for-devotee-death-of-rathayatra

ଥିରୁଅନନ୍ତପୁରମ: କେରଳରେ ଶାସକ ସିପିଏମ ନେତୃତ୍ବାଧୀନ ଏଲଡିଏଫ ମହାନଗର ନିଗମ ନିର୍ବାଚନରେ ଜୋରଦାର ଝଟକା ଖାଇଛି । ୬ଟି ଆସନରୁ କେବଳ ଗୋଟିଏରେ ବିଜୟୀ ହୋଇଛି ଏଲଡିଏଫ । ସେହିଭଳି କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ୪ଟି ଆସନରେ ବାଜିମାତ କରିଥିବା ବେଳେ ଥିରୁଅନନ୍ତପୁରମ ମହାନଗର ନିଗମ ନିଜ ନାଁରେ କରିଛି ବିଜେପି । ବାମ ଗଡ଼ରେ ପଦ୍ମ ଫୁଟିବାକୁ ନେଇ ବିଜେପି ଶିବିରରେ ଖୁସି । ସେପଟେ ବାମ ଗଡ଼ କେରଳରେ ଖୋଦ ସିପିଏମ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । ଗୋଟିଏ ଆସନରେ ବିଜୟୀ ଏଲଡିଏଫ କିନ୍ତୁ ମୁହଁ ଫୁଟାଣି ଛାଡ଼ି ନାହିଁ । ବିଜୟ ଉତ୍ସବ ପାଳନ କରିଛି ଦଳ । ରବିବାର ବିଜୟ ଉତ୍ସବ ରାଲିରେ ସିପିଏମ ନେତା ସୟଦ ଅଲି ମାଜିଦ ମହିଳା ବିରୋଧୀ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଛନ୍ତି ।

ଏହି ରାଲିରେ ଶତାଧିକ ବାମପନ୍ଥୀ ନେତା ଏବଂ ମହିଳା କର୍ମୀ ଉପସ୍ଥିତ ଥିଲେ । ଏହି ସମୟରେ ମାଜିଦ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ନେଇ ମୁସଲିମ୍ ଲିଗକୁ ଟାର୍ଗେଟ କରିଥିଲେ । ଭୋଟ ପାଇଁ ମହିଳାମାନଙ୍କୁ ବ୍ୟବହାର କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ଏପରିକି ବିରୋଧୀ, ମହିଳାଙ୍କୁ ପ୍ରଦର୍ଶନ କରି ଭୋଟ ପାଇଛନ୍ତି ବୋଲି ସେ କହିଥିଲେ । ନେତାଙ୍କ ମୁହଁରୁ ଏଭଳି କଥା ଶୁଶି ଉପସ୍ଥିତ ଲୋକେ ଖୁସିରେ ଝୁମି ଉଠିଥିଲେ ।

ଏତିକି କହି ସେ ଅଟକିନଥିଲେ । ମହିଳାଙ୍କ ସଂପର୍କରେ ଆହୁରି ଅପମାନସୂଚକ ଶବ୍ଦ ସେ ବ୍ୟବହାର କରିଥିଲେ । ସେ କହିଥିଲେ, ‘ମୁଁ ବି ବିବାହ କରିଛି । କିନ୍ତୁ ମୋ ସ୍ତ୍ରୀ ଘରେ ରହୁଛି । କିନ୍ତୁ ଭୋଟ ପାଇବାକୁ ତାଙ୍କୁ ପ୍ରଦର୍ଶନ କରୁନାହିଁ । ସେମାନଙ୍କୁ ଘରେ ରହିବାକୁ ଦିଅ । ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଏବଂ ପିଲା ଜନ୍ମ କରିବାକୁ ବାହା ହୁଅ । ସେଇଥିପାଇଁ ବିବାହର ପରମ୍ପରା କେଉଁ କାଳରୁ ଚାଲିଆସିଛି ।’ଅନ୍ୟପକ୍ଷରେ, ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ ଶାସକ ସିପିଏମ୍ ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ (LDF) ପୌର ନିର୍ବାଚନରେ ବଡ଼ ପରାଜୟ ଭୋଗିଛି । ମୁଖ୍ୟ ବିରୋଧୀ ଦଳ - କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ୬ଟି ମହାନଗର ନିଗମ ମଧ୍ୟରୁ ୪ଟିରେ ବିଜୟୀ ହୋଇଛି । ଏଲଡିଏଫ ଖବଜାରେ ଥିବା କୋଚି ଏବଂ କୋଲାମକୁ ମଧ୍ୟ ଅକ୍ତିଆର କରିନେଇଛି ୟୁଡିଏଫ ।

ସେପଟେ ରାଜ୍ୟରେ କୌଣସି ପ୍ରଭାବ ନଥିବା ବିଜେପି ନେତୃତ୍ବାଧୀନ ଏନଡିଏ ଏଲଡିଏଫ ପାଇଁ ଚିନ୍ତା ବଢ଼ାଇ ଦେଇଛି । ରାଜ୍ୟର ରାଜଧାନୀ ଥିରୁଅନନ୍ତପୁରମରେ ବିଜୟୀ ହୋଇଛି ଏନଡିଏ । ଥିରୁଅନନ୍ତପୁରମରୁ ସାଂସଦ ଅଛନ୍ତି କଂଗ୍ରେସ ନେତା ଶଶି ଥରୁର । ବିଜେପିର ଏହି ବିଜୟ ପାଇଁ ଶଶି ଥରୁର ମଧ୍ୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।