ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ମଙ୍ଗଳବାର ନଭେମ୍ୱର ୧୧ରେ ଲଗାତାର ଦ୍ୱିତୀୟ ଦିନରେ ସବୁଜ ସଂକେତରେ ବନ୍ଦ ହୋଇଛି । କାରବାର ଆରମ୍ଭରେ ବଜାର ଚାପରେ ରହିଥିଲା ଓ ସେନସେକ୍ସ ୪୦୦ ପଏଣ୍ଟ ଯାଏ ତଳକୁ ଖସି ଆସିଥିଲା । ତେବେ ମଜଭୁତ ବୈଶ୍ୱିକ ସଂକେତ ଏବଂ ଆମେରିକା ସହ ବାଣିଜ୍ୟିକ ବୁଝାମଣା ନେଇ ସକାରାତ୍ମକ ସଂକେତ ଯୋଗୁ ବଜାର ଅପରାହ୍ଣ ପରେ ରିକଭର୍ କରିଥିଲା । ବଜାର ବନ୍ଦ ବେଳେ ସେନ୍‌ସେକ୍ସ ୩୩୫.୯୭ ଅଙ୍କ ବା ୦.୪୦ ପ୍ରତିଶତ ବଢି ୮୩,୮୭୧.୩୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି, ଯାହା କାରବାର ଆରମ୍ଭରେ ୨୫,୪୫୦ ତଳେ କାରବାର କରୁଥିଲା, ପରେ ୧୩୧.୨୫ ଅଙ୍କ ବା ୦.୫୧ ପ୍ରତିଶତ ବଢି ୨୫,୭୦୫.୬୦ ସ୍ତରରେ ବନ୍ଦ ହୋଇଛି ।

ତେବେ ବ୍ରଡର ମାର୍କେଟରେ ମିଶ୍ରିତ ପରିଣାମ ଦେଖିବାକୁ ମିଳିଥିଲା । ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ୦.୨୦ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ବିଏସ୍‌ଇ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସରେ ୦.୦୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ସେକ୍ଟୋରାଲ ଇଣ୍ଡେକ୍ସରେ ଆଜିର କାରବାରରେ ସବୁଠୁ ଅଧିକ ବୃଦ୍ଧି ଆଇଟି, ଟେଲିକମ୍, ଅଟୋ ଓ କ୍ୟାପିଟାଲ୍ ଗୁଡ୍ସ ସେୟାରରେ ଦେଖିବାକୁ ମିଳିଛି । ଅନ୍ୟପଟେ ଫାଇନାନସିଆଲ୍ ସର୍ଭିସେସ୍, ଫାର୍ମା ଓ ରିୟଲ୍ଟି ସେୟାରରେ ବି ହ୍ରାସ ଦେଖିବାକୁ ମିଳିଛି ।

ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୬୮.୯୪ ଲକ୍ଷ କୋଟି ଟଙ୍କା ପହଞ୍ଚିଛି । ପୂର୍ବ କାରବାର ଦିନ ଏହା ୪୬୮.୨୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନି ଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୭୪,୦୦୦ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ପ୍ରାୟ ୭୪ ହଜାର କୋଟି ଟଙ୍କା ଲାଭ ହୋଇଛି ।

ବିଏସଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୪ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଭାରତ ଇଲେକଟ୍ରୋନିକ୍ସର ସେୟାରରେ ସବୁଠୁ ଅଧିକ ୨.୫୨ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଅନ୍ୟପଟେ ବଜାର ଫାଇନାନ୍ସ ସେୟାର ୭.୩୮ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।