ପିଏମ୍ ମୋଦୀଙ୍କ ଗସ୍ତ ପୂର୍ବରୁ ଭାରତକୁ ଭୂୟସୀ ପ୍ରଂଶସା କଲେ ବେଞ୍ଚାମିନ୍ ନେତାନ୍ୟାହୁ

NEWS7
clashes-between-two-groups-in-digapahandi-police-investigation-begins

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତକୁ ଖୁବ୍ ପ୍ରଶଂସା କରିଛନ୍ତି। ନେତାନ୍ୟାହୁ ଇସ୍ରାଏଲ ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ସଂପର୍କ ରହିଛି ବୋଲି କହିଛନ୍ତି । ଭାରତର ୧୪୦ କୋଟି ଜନସଂଖ୍ୟାକୁ ନେଇ ସେ କହିଛନ୍ତି ଯେ, ଇସ୍ରାଏଲ ଭାରତରେ ବହୁତ ଲୋକପ୍ରିୟ। ଜେରୁସାଲେମରେ ଏକ ସମ୍ମିଳନୀରେ ନେତାନ୍ୟାହୁ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ ସଂପର୍କରେ କହିଛନ୍ତି । ଏହା ସହ ମୋଦୀ ଇସ୍ରାଏଲରେ ଉଚ୍ଚସ୍ତରୀୟ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି ନେତାନ୍ୟାହୁ । ଏହି ସମୟରେ ସେ ଭାରତକୁ ବହୁତ ପ୍ରଶଂସା କରିଛନ୍ତି । ନେତାନ୍ୟାହୁ କହିଛନ୍ତି, ‘ଆପଣମାନେ ଜାଣଛନ୍ତି, ଆସନ୍ତା ସପ୍ତାହରେ କିଏ ଏଠାକୁ ଆସୁଛନ୍ତି ? ନରେନ୍ଦ୍ର ମୋଦୀ । ଇସ୍ରାଏଲ ଏବଂ ଭାରତର ଏକ ଦୃଢ଼ ସଂପର୍କ ରହିଛି । ଆମେ ସମସ୍ତ ପ୍ରକାରର ସହଯୋଗ ଉପରେ ଆଲୋଚନା କରିବାକୁ ଯାଉଛୁ।’

ନେତାନ୍ୟାହୁ ଆହୁରି କହିଛନ୍ତି, ‘ଭାରତ ଏକ ଛୋଟ ଦେଶ ନୁହେଁ। ସେଠାରେ ୧୪୦ କୋଟି ଲୋକ ବାସ କରନ୍ତି। ଇସ୍ରାଏଲ ସେଠାରେ ବହୁତ ଲୋକପ୍ରିୟ, ବହୁତ। ଆପଣ ଜାଣିଛନ୍ତି କି ?’ ପିଟିଆଇ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୨୫ରେ ଦୁଇ ଦିନିଆ ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗତବର୍ଷ ପିଏମ ମୋଦୀ ଏବଂ ନେତାନ୍ୟାହୁ ଫୋନ୍ ଯୋଗେ ଆଲୋଚନା କରିଥିଲେ । ଦୁଇ ଦେଶର ସହଭାଗୀତା ଉପରେ ଗୁରୁତ୍ବାରୋପ କରିଥିଲେ ଦୁଇ ନେତା । ଏହି ଆଲୋଚନା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ସୂଚନା ମଧ୍ୟ ଦେଇଥିଲେ । ସେପଟେ ନେତ୍ୟାନାହୁଙ୍କ ଭାରତ ଗସ୍ତ ୨୦୨୩ ମହିହାରୁ ଅଟକି ରହିଛି । ସେହିବର୍ଷ ଅକ୍ଟୋବର ୭ରେ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ଇସ୍ରାଏଲ ଗସ୍ତ ହେବ । ୯ ବର୍ଷ ପୂର୍ବରୁ ୨୦୧୭ରେ ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୨୫ତମ ବାର୍ଷିକୀ ପାଳନ ଅବସରରେ ଇସ୍ରାଏଲ ଗସ୍ତ କରିଥିଲେ ପିଏମ ମୋଦୀ । ଏହି ଗସ୍ତ ସମୟରେ ପ୍ରତିରକ୍ଷା, ସାଇବର ସୁରକ୍ଷା, କୃଷି ଏବଂ ଆତଙ୍କବାଦ ବିରୋଧରେ ସହଯୋଗ ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏବେ ନେତାନ୍ୟାହୁଙ୍କୁ ପୁଣି ଭେଟିବେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହେବ। ଦୁଇ ନେତାଙ୍କ ମଧ୍ୟରେ ଗଭୀର ବ୍ୟକ୍ତିଗତ ବନ୍ଧୁତା ରହିଛି। ଏହି ବୈଠକରେ ଦ୍ୱିପାକ୍ଷିକ ସହଯୋଗ, ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି ସମେତ ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।