Live Live
LIVE

ଯୁଦ୍ଧକୁ ଜର୍ମାନବାସୀଙ୍କ ବିରୋଧ, ଆମେରିକା କିମ୍ବା ଋଷିଆ କେହି ଭରସାଯୋଗ୍ୟ ନୁହେଁ ; ସର୍ଭେରେ ବଡ଼ ଖୁଲାସା

NEWS7
cji-dipak-mishra-retired-today

ନୂଆଦିଲ୍ଲୀ, ୦୮ /୦୩: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକା ଭୟଙ୍କର ମିସାଇଲ ଆକ୍ରମଣ କରୁଛନ୍ତି । ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ସମେତ ଆହୁରି ଟପ୍ ଲିଡର୍ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରାଚ୍ୟର ଏହି ଯୁଦ୍ଧ ୧୦ରୁ ଅଧିକ ଦେଶକୁ ବ୍ୟାପିଲାଣି । ଅନେକ ଏହି ଯୁଦ୍ଧକୁ ଠିକ୍ କହୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି । ଜର୍ମାନବାସୀ ମଧ୍ୟ ଗଲଫ୍ ଦେଶର ଯୁଦ୍ଧକୁ ନାପସନ୍ଦ କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଏଆରଡି ଡ୍ୟୁଟସ୍ ଲ୍ୟାଣ୍ଡ୍ ଟ୍ରେଣ୍ଡ୍ ସର୍ଭେ ଅନୁସାରେ, ଏବେ ବିଶ୍ୱର ଯାହା ଘଟୁଛି ତାହାକୁ ନେଇ ଜର୍ମାନବାସୀ ଚିନ୍ତାରେ ଅଛନ୍ତି । ଯୁଦ୍ଧକୁ ଅନେକ ନାପସନ୍ଦ କରିବା ସହ ବିରୋଧ କରୁଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଯୁଦ୍ଧ ସପକ୍ଷରେ ନାହାଁନ୍ତି । ଏହାକୁ ସେମାନେ ନ୍ୟାୟସଙ୍ଗତ କହୁ ନାହାଁନ୍ତି । ତେବେ ଏହି ବିରୋଧ ହାର ଆମେରିକାର ଭେନେଜୁଏଲା ଏବଂ ୨୦୦୩ରେ ଇରାକ ଉପରେ ଆକ୍ରମଣଠୁ କମ୍ ।

ପୂର୍ବରୁ ୭୨ ପ୍ରତିଶତ ଜର୍ମାନବାସୀ ଭେନେଜୁଏଲା ଆକ୍ରମଣକୁ ବିରୋଧ କରିଥିଲେ । ସେହିପରି ୮୦ ପ୍ରତିଶତ ଆମେରିକା ୨୦୦୩ରେ ଇରାକ ଉପରେ କରିଥିବା ଆକ୍ରମଣକୁ ନାପସନ୍ଦ କରିଥିଲେ । ତେବେ ଏଆରଡି ଡ୍ୟୁଟସ୍ ଲ୍ୟାଣ୍ଡ୍ ଟ୍ରେଣ୍ଡ୍ ଗତ ମାର୍ଚ୍ଚ ୨ରୁ ୪ ତାରିଖ ଭିତରେ ଏହି ସର୍ଭେ କରିଛି । ଯେଉଁଥିରେ ୧୩୧୭ ଜଣ ଭାଗ ନେଇଥିଲେ ।

ରିପୋର୍ଟ ଅନୁସାରେ, ଜର୍ମାନୀର ବିଭିନ୍ନ ଖ୍ରୀଷ୍ଟିଆନ ପାର୍ଟିକୁ ସମର୍ଥନ କରୁଥିବା ୪୮ ପ୍ରତିଶତ ଯୁଦ୍ଧକୁ ବିରୋଧ କରିଛନ୍ତି । ତେବେ ବାମପନ୍ଥୀ ଦଳ କିନ୍ତୁ ଏହି ମାମଲାରେ ଆଗରେ ରହିଛି । ବିଭିନ୍ନ ବାମଦଳର ୮୨ ପ୍ରତିଶତ ବ୍ୟକ୍ତି ଇରାନରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ଆହୁରି ମଧ୍ୟ ଜଣାପଡିଛି ଯେ, ଯୁଦ୍ଧ ହେଲେ ଏହାର ପରିଣାମ କଣ ହେବ ତାହା ଜର୍ମାନୀବାସୀ ବୁଝିଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଯୁଦ୍ଧ ସାରା ବିଶ୍ୱକୁ ବ୍ୟାପିବ ବୋଲି ମତ ଦେଉଛନ୍ତି । ପ୍ରଥମେ ତୈଳ ଦର ଉପରେ ଯୁଦ୍ଧର ପ୍ରଭାବ ପଡିବ ବୋଲି ଜର୍ମାନବାସୀ କହୁଛନ୍ତି ।

ଆହୁରି ମଧ୍ୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ଇରାନବାସୀଙ୍କ ପାଇଁ ଚିନ୍ତିତ ଅଛନ୍ତି । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ନିୟମର ଖୋଲା ଇଲ୍ଲଙ୍ଘନ ବୋଲି ସେମାନେ ଯୁକ୍ତି ବାଢୁଛନ୍ତି । ସବୁଠାରୁ ବଡ କଥାହେଲା ଯେ, ଜର୍ମାନବାସୀ ଆମେରିକା କିମ୍ବା ଋଷିଆ କାହାକୁ ସମର୍ଥନ କରୁନାହାଁନ୍ତି । ମାତ୍ର ୧୫ ପ୍ରତିଶତ ଜନତା ଆମେରିକାକୁ ଭରସାଯୋଗ୍ୟ ସହଯୋଗୀ ଭାବୁଥିବା ବେଳେ ୧୨ ପ୍ରତିଶତ ଋଷିଆକୁ ଭାବୁଛନ୍ତି । ଫ୍ରାନ୍ସ ଏବଂ ୟୁକେ ଜର୍ମାନର ସବୁଠୁ ଭଲ ବନ୍ଧୁ ବୋଲି ଜର୍ମାନବାସୀ ବିବେଚନା କରୁଛନ୍ତି ।