ନୂଆଦିଲ୍ଲୀ : ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ସୋମବାର ଠାରୁ ୨ ଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି ଯେ, ଏହି ସମୟରେ ସେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ୍ ଡୋଭାଲଙ୍କ ସହ ସୀମା ପ୍ରସଙ୍ଗରେ ଆଗାମୀ ସ୍ତରୀୟ ଆଲୋଚନା କରିବେ।
ଏହି ସମୟରେ ୱାଙ୍ଗ ୟି ୨୪ତମ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ସ ମିଟିଂରେ ଯୋଗ ଦେବେ। ଏହି କଥାବାର୍ତ୍ତା ଭାରତ-ଚୀନ ସୀମା ବିବାଦକୁ ସମାଧାନ କରିବା ପାଇଁ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ହେବ। ଅଜିତ୍ ଡୋଭାଲ ଓ ୱାଙ୍ଗ ୟି ଏହି ଆଲୋଚନା ପ୍ରକ୍ରିୟାର ନେତୃତ୍ୱ ନେବେ , ଯାହାର ଉଦ୍ଦେଶ୍ୟ ୩୪୮୮ କିଲୋମିଟର ଲମ୍ୱ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଜାରି ବିବାଦର ସମାଧାନ ବାହାର କରିବା।
ଗତଥର ଡିସେମ୍ୱରରେ ଡୋଭାଲ ଚୀନ ଯାଇ ଥିଲେ ଏବଂ ସେ ୱାଙ୍ଗ ୟିଙ୍କ ସହ ୨୩ତମ ଗସ୍ତର ଆଲୋଚନା କରିଥିଲେ। ଏହି ବୈଠକ ସେହି ସମୟରେ ହୋଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ରୁଷ୍ର କଜାନ ସହରରେ BRICS ଶିଖର ସମ୍ମିଳନୀ ବେଳେ ସାକ୍ଷାତ୍କାରରେ ବିଭିନ୍ନ ଆଲୋଚନା ବ୍ୟବସ୍ଥାକୁ ପୁନଃଆରମ୍ଭ କରିବାକୁ ରାଜି ହୋଇଥିଲେ।
ୱାଙ୍ଗ ୟିଙ୍କର ଏହି ଗସ୍ତ ଏମିତି ସମୟରେ ହେଉଛି, ଯେତେବେଳେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ୱର ମଧ୍ୟରେ ଚୀନର ତିୟାନଜିନ ସହରରେ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହେବାକୁ ଯାଉଛି। ଆଶା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବୈଠକରେ ଯୋଗ ଦେବେ।
କହି ରଖୁଛୁ କି , ପିଏମ୍ ମୋଦି ୩୧ଅଗଷ୍ଟରେ ତିୟାନଜିନରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ୭ ବର୍ଷ ପରେ ପ୍ରଥମ ଥର ଚୀନ ଯିବେ। ଏହି ସମୟରେ ତାଙ୍କର ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ସାକ୍ଷାତ୍ କରିବାର ସମ୍ଭାବନା ମଧ୍ୟ ରହିଛି।