News7 Logo

ଭିକ୍ଟ୍ରି ପରେଡରେ ଶକ୍ତି ଦେଖାଇଲା ଚୀନ୍, ତିୟାନାନମେନରେ ପ୍ରଦର୍ଶିତ କଲା ମିଜାଇଲ, ଲେଜର ଅସ୍ତ୍ର, ଯୁଦ୍ଧବିମାନ ଓ ଡ୍ରୋନ

NEWS7
China victory day parade

ତିଆନାନମେନ୍  ୩।୯: ଚୀନ୍‌ ବୁଧବାର ଭିକ୍ଟ୍ରି ପରେଡରେ ତାର ନବୀନତମ ସବମେରିନ ଡ୍ରୋନ, ଲେଜର ଅସ୍ତ୍ର ଓ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିଜାଇଲ ପ୍ରଦର୍ଶିତ କରିଛି। ତିଆନାନମେନ ସ୍କୋୟାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତିଯେ ଶାନ୍ତି ଓ ଯୁଦ୍ଧ, ବାର୍ତ୍ତା ନଚେତ ସମ୍ମୁଖୀନ ହୁଅ ବର୍ତ୍ତମାନ ସମୟର ସବୁଠୁ କଠିନ ଆହ୍ୱାନ। ହେଲେ ତାଙ୍କର ‘ମହାନ ଦେଶ’ ଏବେ କାହାକୁ ଡରେନା।

ଜାପାନର ପରାଜୟ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତିର ୮୦ତମ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି ପରେଡରେ ଚୀନ୍‌ ଏକ ନୂଆ ପରମାଣୁ ସକ୍ଷମ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିଜାଇଲ, ପାଣି ତଳେ ଚାଲୁଥିବା ଡ୍ରୋନ ଓ ହାଇପରସୋନିକ ମିଜାଇଲର ଭବ୍ୟ ସାମରିକ ପ୍ରଦର୍ଶନ କରିଛି। ଏଥିରେ ଚୀନ୍‌ ପ୍ରଥମ ଥର ତାର ପରମାଣୁ କ୍ଷମତାସମ୍ପନ୍ନ ମିଜାଇଲ ପ୍ରଦର୍ଶନ କରିଛି, ଯାହାକୁ ସମୁଦ୍ର, ଭୂମି ଓ ଆକାଶରୁ ନିକ୍ଷେପ କରିହେବ। ଏଥର ଚୀନ୍‌ ତାର ପରମାଣୁ ପ୍ରସ୍ତୁତିର ‘ତ୍ରୟ’ କ୍ଷମତା ପ୍ରଦର୍ଶନ କରିଛି।

ଏଥିରେ ଆକାଶରୁ ନିକ୍ଷେପ ହୋଇ ପାରୁଥିବା ମିଜାଇଲ ଜିଙ୍ଗଲେଇ-୧, ବୁଡ଼ା ଜାହାଜରୁ ନିକ୍ଷେପ ହୋଇ ପାରୁଥିବା ଇଣ୍ଟର କଣ୍ଟିନେଣ୍ଟାଲ ମିଜାଇଲ ଜୁଲଙ୍ଗ-୩ ଓ ଭୂମିରୁ ନିକ୍ଷେପ ହୋଇ ପାରୁଥିବା ଇଣ୍ଟରକଣ୍ଟିନେଣ୍ଟାଲ ମିଜାଇଲ ଡୋଙ୍ଗଫେଙ୍ଗ-୬୧ ଓ ୩୧କୁ ପ୍ରଦର୍ଶିତ କରିଛି। ଏଥିରେ ଡଙ୍ଗଫେଙ୍ଗ ୫-ସି ତରଳ ଇନ୍ଧନରେ ଚାଲୁଥିବା ଓ ଗୋଟିଏ ଟାର୍ଗେଟ ଉପରେ ଅନେକ ପ୍ରକାର ୱାରହେଡ୍ ନିକ୍ଷେପ ଲାଗି ସକ୍ଷମ ମିଜାଇଲର ମଧ୍ୟ ପ୍ରଦର୍ଶନ କରିଛି। ଡିଏଫ-୫ ସିର ଲକ୍ଷଭେଦ କ୍ଷମତାରେ ସାରା ବିଶ୍ୱ ରହିଛି। ସେହିପରି ହାଇପରସୋନିକ ଆଣ୍ଟି ସିପ୍ ମିଜାଇଲରେ ୟିଙ୍ଗଜି-୧୯, ୟିଙ୍ଗଜି-୧୭ ଓ ୨୦ମଧ୍ୟ ପ୍ରଦର୍ଶିତ ହୋଇଛି।

ସେହିପରି ଚୀନ୍ ପରେଡରେ ତାର ଯୁଦ୍ଧ ବିମାନ ଜେ-୧୬ଡି, ଜେ-୨୦, ଜେ-୩୫ଏ, ଜେ-୨୦ଏସ୍ ଓ ଜେ-୨୦-ଏ ପ୍ରଦର୍ଶିତ କରିଛି। ଏହା ସହ ତାର ଅନ୍ୟ ମିଜାଇଲ ଚାଙ୍ଗଜିୟାନ-୨୦ଏ, ୟିଙ୍ଗଜୀ-୧୮ସି, ଚାଙ୍ଗଜିୟାନ-୧୦୦୦, ଡୋଙ୍ଗଫେଙ୍ଗ-୧୭, ଡୋଙ୍ଗଫେଙ୍ଗ-୨୬ଡି କ୍ରୁଜ ମିଜାଇଲ ଆଦି ମଧ୍ୟ ପରେଡରେ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଚୀନ୍‌ ଡ୍ରୋନ ଆକ୍ରମଣରୁ ବର୍ତ୍ତିବା ଲାଗି ବିକଶିତ କରାଯାଉଥିବା ଲେଜର ଅସ୍ତ୍ରର ମଧ୍ୟ ପ୍ରଦର୍ଶନୀ କରିଛି।

ସେହିପରି ଡ୍ରୋନ ରୋଧୀ ପ୍ରଣାଳୀରେ ଏକ ମିଜାଇଲ ଗନ, ଉଚ୍ଚକ୍ଷମତା ସମ୍ପନ୍ନ ଲେଜର ଅସ୍ତ୍ର ଓ ଉଚ୍ଚଶକ୍ତିଶାଳୀ ମାଇକ୍ରୋୱେଭ ଅସ୍ତ୍ର ମଧ୍ୟ ଏହି ପରେଡରେ ଅଂଶଗ୍ରହଣ କରିଥିଲା। ପରେଡରେ କେଜେ-୬୦୦ ଓ ଜେ-୧୫ଟି କ୍ୟାରିୟରକୁ ମଧ୍ୟ ଉଡାଣ ସଂରଚନାରେ ଦେଖାଯାଇଛି। ଏଥିରେ ଦୀର୍ଘଦିନରୁ ପ୍ରତିକ୍ଷିତ ଏକ ପୂର୍ବ ଚେତାବନୀ ବିମାନ କେଜେ-୬୦୦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସେହିପରି ସମୁଦ୍ର ଆଧାରିତ ପ୍ରଣାଳୀରେ ବୁଡା ଜାହାଜ, ପାଣି ଉପରେ ଭାସୁଥିବା ଜାହାଜ ଓ ସମୁ୍ଦ୍ରରେ ମାଇନ ବିଛାଇ ପାରୁଥିବା ପ୍ରଣାଳୀକୁ ମଧ୍ୟ ପ୍ରଦର୍ଶିତ କରିଛି।