ଟ୍ରମ୍ପଙ୍କ ୫୦% ଶୁଳ୍କ ପରେ ଭାରତ ସମର୍ଥନରେ ବାହାରିଲା ଚୀନ: କହିଲା, ଭାରତର ସାର୍ବଭୌମତ୍ୱ ଉପରେ ସାଲିସ୍ କରାଯିବ ନାହିଁ

Published By : Prameya-News7 Bureau | August 07, 2025 IST

wione

ବେଜିଂ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ ସମର୍ଥନରେ ବାହାରିଛି ଚୀନ। ଭାରତର ସାର୍ବଭୌମତ୍ୱ ଉପରେ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ ବୋଲି ଚୀନ କହିଛି। ଭାରତରେ ଥିବା ଚୀନ ଦୂତାବାସ ପକ୍ଷରୁ ଅଗଷ୍ଟ ୬ରେ ଏନେଇ ଏକ୍ସରେ ପୋଷ୍ଟ କରାଯାଇଛି। 

ଏଥିରେ ଚୀନ କହିଛି “ ଭାରତ ସହିତ ଆମ ସମ୍ପର୍କ ଯେତେ ଗୁରୁତ୍ୱପୂର୍ଣ୍ଣ ହେଉ ନାହିଁ କାହିଁକି ଭାରତର ସାର୍ବଭୌମତ୍ୱ ଉପରେ କୌଣସି ସାଲିସ କରାଯାଇ ପାରିବ ନାହିଁ, କି ଏହାର ବୈଦେଶିକ ନୀତିକୁ ଅନ୍ୟ ଦେଶମାନେ ନିୟନ୍ତ୍ରଣ କରିପାରିବେ ନାହିଁ।” ଏହି ପୋଷ୍ଟରେ, ଭାରତରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ଭାରତକୁ ପ୍ରତିନିଧିତ୍ୱ କରୁଥିବା ଏକ ହାତୀ ଏବଂ ଆମେରିକାର ଶୁଳ୍କକୁ ପ୍ରତିନିଧିତ୍ୱ କରୁଥିବା ଏକ ବେସବଲ୍ ବ୍ୟାଟ୍ ଫଟୋ ମଧ୍ୟ ଅପଲୋଡ କରିଛନ୍ତି। 

ଅନ୍ୟ ଏକ ପୋଷ୍ଟରେ, ମୁଖପାତ୍ର ଆହୁରି କହିଛନ୍ତି ଯେ ପାଶ୍ଚାତ୍ୟ ଗଣମାଧ୍ୟମ "କିଏ କାହାକୁ ବଦଳାଇବ" ଏହି ନାଁରେ ଏକ କାହାଣୀ ତିଆରି କରିବାକୁ ଚେଷ୍ଟା କରୁଛି। ଏଥିରେ ଏହି ପୂରା ଶୁଳ୍କ ହୋହଲ୍ଲାରେ ଭାରତ ଓ ଚୀନ କେନ୍ଦ୍ରରେ ଅଛନ୍ତି। ତେବେ ୱେଷ୍ଟର୍ଣ୍ଣ ମିଡିଆରେ ଏଇ ମନଗଢ଼ା   କାହାଣୀର କିଛି ମୂଲ୍ୟ ନାହିଁ ବୋଲି ପ୍ରବକ୍ତା ପୋଷ୍ଟ କରିଛନ୍ତି। ପ୍ରବକ୍ତା କହିଛନ୍ତି “ ଆଜିର ଜଟିଳ ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଗଭୀର କରିବା ବହୁତ ଜରୁରୀ। ଦୁଇ ଦେଶ ମଧ୍ୟରେ ମତାନ୍ତର ସୁଧାରିବା,ଉଭୟ ସହମତିକୁ ପ୍ରୋତ୍ସାହନ କରିବା, ସହଯୋଗ ବଢ଼ାଇବା ଏବଂ ଏସିଆ ଓ ବିଶ୍ୱ ସ୍ତରରେ ଶାନ୍ତିକୁ ପ୍ରୋତ୍ସାହନ ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ।”

ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର (୬ ଅଗଷ୍ଟ) ଭାରତୀୟ ଆମଦାନୀ ଉପରେ ଆମେରିକାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।  ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ମୋଟ ଶୁଳ୍କ ବର୍ତ୍ତମାନ ୫୦ ପ୍ରତିଶତ ହୋଇଛି। ଯାହା ଚୀନର ୩୦ ପ୍ରତିଶତ ଠାରୁ ଅଧିକ ରହିଛି। ଆଜି ଠାରୁ ପୂର୍ବର ୨୫ ପ୍ରତିଶତ ଶୁଳ୍କ ଲାଗୁ ହୋଇଥିବା ବେଳେ ଅଗଷ୍ଟ ୬ ତାରିଖରେ ଲାଗୁ ହୋଇଥିବା ଶୁଳ୍କ ଏହାର ୨୧ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୮ ତାରିଖରେ ଲାଗୁ ହେବ। 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.