ଯାଜପୁର ୧୪।୭: ପିଲାଙ୍କୁ ଉଦ୍ଧାର କରିବାକୁ ଆସି ନିରାଶ ହୋଇ ଫେରିଲେ ଶିଶୁ ସୁରକ୍ଷା ଅଧିକାରୀ । ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଳୁକୁଣ୍ଡ ଠାରେ ଥିବା ବଳଦେବଜୀଉ ସେବାଶ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ଅଳୁକୁଣ୍ଡ ଠାରେ ଥିବା ବଳଦେବଜୀଉ ସେବାଶ୍ରମ ପାଖାପାଖି ୩୪ ଜଣ ପିଲା ରହୁଛନ୍ତି । କିନ୍ତୁ ଶିଶୁ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ ଏହି ସେବାଶ୍ରମଟିର ରେଜିଷ୍ଟ୍ରେସନ ନଥିବାବେଳେ ସରକାରଙ୍କ କୌଣସି ନିୟମ ମାନୁନାହିଁ । ତେଣୁ ଏହାକୁ ବେଆଇନ ଦର୍ଶାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଯାଜପୁର ଶିଶୁ ସୁରକ୍ଷା କମିଟିର ଏକ ଟିମ୍ ସହ ଯାଜପୁର SDPO ସତ୍ୟବ୍ରତ ଲେଙ୍କା, ଅଳୁକୁଣ୍ଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଦାସ ସହ ପୋଲିସ ଫୋର୍ସ ଅଳୁକୁଣ୍ଡ ସ୍ଥିତ ଆଶ୍ରମରେ ପହଞ୍ଚିଥିଲେ । ଅନ୍ୟପଟେ ଆଶ୍ରମ ଦାଇତ୍ୱରେ ଥିବା ଦୁଷ୍ମନ୍ତ ଦାସଙ୍କ କହିବା ଅନୁଯାୟୀ ସେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିଥିଲେ ସୁଦ୍ଧା ସମ୍ପୃକ୍ତ ବିଭାଗ ତାଙ୍କୁ ଏହାର ଅନୁମତି ଦେଲେ ନାହିଁ ତେଣୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଆସନ୍ତା ଜୁଲାଇ ୧୫ ତାରିଖରେ ଉଭୟ ପକ୍ଷଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଶିଶୁ ସୁରକ୍ଷା ଅଧିକାରୀ ପିଲାମାନଙ୍କୁ ନେବା ପାଇଁ ପହଞ୍ଚି ଥିଲେ । ତେଣୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା ।