LIVE TV

ଭାରତରୁ ସଫା ହୋଇଯିବେ ମାଓବାଦୀ: ପୁଣି ୨୧ ଜଣ କଲେ ଆତ୍ମସମର୍ପଣ

NEWS7
chhattisgarh 21 naxals surrender in kanker

କାଙ୍କେର: ସାରା ଦେଶରେ ଜୋରସୋରରେ ମାଓ ଦମନ ନୀତି ଜାରି ରହିଥିବାରୁ ବିଭିନ୍ନ ରାଜ୍ୟର ମାଓବାଦୀମାନେ ଏବେ ଆତ୍ମସମର୍ପଣ କରୁଛନ୍ତି। ଛତିଶଗଡ଼ କାଙ୍କେର ଜିଲ୍ଲାରେ ୨୧ କ୍ୟାଡର ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ରବିବାର ପୁଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ପାଖରୁ ୧୮ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଅଧିକାରୀ ଜଣକ କହିଛନ୍ତି ଯେ ସେମାନେ ବସ୍ତର ରେଞ୍ଜ ପୋଲିସ ଦ୍ୱାରା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ଆରମ୍ଭ ହୋଇଥିବା 'ପୁନା ମାର୍ଗେମ: ଅଭିଯାନ ମାଧ୍ୟମରେ ସେମାନେ ଆତ୍ମସମର୍ପଣ କରିଥିଲେ।

ଏନେଇ ବସ୍ତର ପୁଲିସ କହିଛି ଏହି ୨୧ ଜଣଙ୍କ ମଧ୍ୟରେ ଡିଭିଜନ କମିଟି ସଚିବ ମୁକେଶ ଥିବା ବେଳେ ୧୩ ଜଣ ମହିଳା ଚରମପନ୍ଥୀ ଅଛନ୍ତି। ୪ ଜଣ ଡିଭିଜନ କମିଟି ସଦସ୍ୟ, ୯ ଜଣ କ୍ଷେତ୍ର କମିଟି ସଦସ୍ୟ ଏବଂ ୮ ଜଣ ତଳ ସ୍ତରର ସଂଗଠକ। ସେମାନେ ସମସ୍ତେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର କେଶକାଲ ଡିଭିଜନ (ଉତ୍ତର ଉପ-ଜୋନାଲ୍ ବ୍ୟୁରୋ)ର କୁଏମାରି/କିସ୍କୋଡୋ କ୍ଷେତ୍ର କମିଟିର ସଦସ୍ୟ।

ସେମାନେ ୩ଟି AK-47, ଦୁଇଟି INSAS ରାଇଫଲ୍,୪ ଏସଏଲଆର୍ ରାଇଫଲ୍, ୬ଟି ୩୦୩ ରାଇଫଲ୍, ୨ ସିଙ୍ଗଲ୍ ସଟ୍ ରାଇଫଲ୍ ଏବଂ ଗୋଟିଏ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ପୁଲିସକୁ ହସ୍ତାନ୍ତର କରିଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

ପୂର୍ବରୁ, ଅକ୍ଟୋବର ୧୭ ତାରିଖରେ ବସ୍ତର ଜିଲ୍ଲାର ଜଗଦଲପୁରରେ ମୋଟ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନେ ୧୫୩ଟି ଅସ୍ତ୍ରଶସ୍ତ୍ର ମଧ୍ୟ ହସ୍ତାନ୍ତର କରିଥିଲେ। କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶ ଓରଫ ସତୀଶ ମଧ୍ୟ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମୁଣ୍ଡ ଉପରେ ସାମୁହିକ ଭାବେ ୯.୧୮ କୋଟି ଟଙ୍କାର ପୁରସ୍କାର ରାଶି ରହିଥିଲା।  

ସେହିପରି ଅକ୍ଟୋବର ୨ ତାରିଖରେ, ବସ୍ତର ଅଞ୍ଚଳର ବିଜାପୁର ଜିଲ୍ଲାରେ ୧୦୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କର ସାମୂହିକ ପୁରସ୍କାର ରାଶି ୧.୦୬ କୋଟି ଟଙ୍କାରୁ ଅଧିକ ଥିଲା।