ଭାରତରେ ସାଧାରଣ ଲୋକଙ୍କୁ ମିଳୁନି ଶସ୍ତା ଋଷ ତେଲର ଫାଇଦା: ତୈଳ କମ୍ପାନୀଙ୍କ ଲାଭ ବଢିଛି ୨୫ ଗୁଣା, ସରକାର ନେଉଛନ୍ତି ୪୦% ଟ୍ୟାକ୍ସ

Published By : Prameya-News7 Bureau | August 16, 2025 IST

internet

ନୂଆଦିଲ୍ଲୀ: ରୁଷ ଠାରୁ ଭାରତ ଖୁବ୍‌ ଶସ୍ତାରେ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ଆଦୌ ବରଦାସ୍ତ କରିପାରୁ ନାହିଁ। ଏଥିପାଇଁ ସେ ବାରମ୍ବାର ଭାରତକୁ ଟାରିଫ ଧମକ ବି ଦେଉଛି, ଆଉ ୫୦ ପ୍ରତିଶତ ଟାରିଫ ବି ଲଗାଇଛି । ଅନ୍ୟପଟେ ଭାରତ ସରକାର କହିଛନ୍ତି ଆମେ ଆବଶ୍ୟକତା ପୂରଣ କରିବାକୁ ତେଲ କିଣୁଛୁ ଲାଭ ପାଇଁ ନୁହେଁ, ଦେଶର ଜନତାଙ୍କୁ ଶସ୍ତା ତେଲ ଦେବାକୁ ଜାତୀୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନେଉଛୁ। ଏମିତିରେ ଆପଣଙ୍କ ମନରେ ପଶ୍ନ ଉଠୁଥିବ, ଯଦି ଭାରତ ଶସ୍ତାରେ ତେଲ କିଣୁଛି, ତେବେ ଏହାର କ'ଣ ଫାଇଦା ହେଉଛି ? ପେଟ୍ରୋଲ ଦାମ ତ' ଆଜି ପର୍ଯ୍ୟନ୍ତ କମୁନାହିଁ ? ତାହାଲେ ଶସ୍ତା ତେଲେ କିଣି ଭାରତ ପାଉଥିବା ରିହାତିର ଲାଭ ଯାଉଛି କୁଆଡ଼େ କାହାକୁ ମିଳୁଛି ପ୍ରକୃତ ଲାଭ ?... ପଢନ୍ତୁ ବିଜନେଶ ବିଶେଷରେ ସ୍ଫେଶାଲ ରିପୋର୍ଟ। 

ଗତ ୩ ବର୍ଷ ଧରି ଭାରତ ପ୍ରତି ବ୍ୟାରେଲ ୫ରୁ ୩୦ ଡଲାର ରିହାତିରେ ରୁଷରୁ ଅଶୋଧିତ ତେଲ କିଣୁଛି। ହେଲେ ଅବଶୋଷ... ଏହି ରିହାତିର ଲାଭ କେବଳ କମ୍ପାନୀ ଓ ସରକାରଙ୍କ ପାଖରେ ରହିଯାଉଛି। ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ।  ମିଡିଆ ରିପୋର୍ଟ କହୁଛି, ଏହି ରିହାତିର ୬୫% ରିଲାଏନ୍ସ ଏବଂ ନାୟାରା ଭଳି ଘରୋଇ କମ୍ପାନୀ ଓ ଇଣ୍ଡିଆନ୍ ଅଏଲ୍ ଏବଂ ଭାରତ ପେଟ୍ରୋଲିୟମ୍ ଭଳି ସରକାରୀ କମ୍ପାନୀଗୁଡ଼ିକୁ ଯାଇଛି। ଆଉ ବଳକା ୩୫% ଯାଇଛି ସରକାରଙ୍କ ତହବିଲକୁ।  ଫଳରେ ସାଧାରଣ ଲୋକଙ୍କୁ ଏହି ରିହାତିର ଲାଭ ମିଳୁ ନାହିଁ। 

ମନି ଲାଇଫ୍‌ରୁ ତଥ୍ୟ ନେଇ ଜାତୀୟ ଗଣାଧ୍ୟମ ମନିଭାସ୍କର ଏଭଳି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ କହିଛି ଯେ ସରକାର କହୁଛନ୍ତି ତୈଳ ମୂଲ୍ୟ ଆମେ ନିୟନ୍ତ୍ରଣ କରୁ ନାହୁଁ। ସରକାରୀ ସ୍ତରରେ କାଗଜପତ୍ରରେ ତୈଳ ମୂଲ୍ୟ ନିୟନ୍ତ୍ରଣମୁକ୍ତ ହୋଇଛି। ହେଲେ ବାସ୍ତବ କଥା ହେଲା ଏବେବି ଖୁଚୁରା ମୂଲ୍ୟ ସରକାର ଏବଂ ତୈଳ କମ୍ପାନୀଗୁଡ଼ିକର ନିୟନ୍ତ୍ରଣରେ ରହିଛି। ଏହି ନିୟନ୍ତ୍ରଣ ପାଇଁ ଉଭୟ ସରକାର ଓ କମ୍ପାନୀ ଲାଭବାନ ହେଉଛନ୍ତି। ସରକାର ଚାହୁଁଛନ୍ତି ନିର୍ଦ୍ଦିଷ୍ଟ ପରିମାଣରେ ଟିକସ ବୃଦ୍ଧି କରି ରାଜକୋଷ ଭରିବେ, ଅନ୍ୟପଟେ କମ୍ପାନୀ କହୁଛି ପୂର୍ବରୁ ଆମେ ବହୁତ ସବ୍‌ସିଡି ଦେଉଛୁ, ତେଣୁ କ୍ଷତିଭରିବା ପାଇଁ ମାର୍ଜିନ ରଖିବାକୁ ପଡ଼ୁଛି। ଫଳରେ ଶସ୍ତା ତେଲର ଫାଇଦା କେବଳ କମ୍ପାନି ଏବଂ ସରକାରୀ ରାଜକୋଷକୁ ଯାଉଛି। ଲୋକଙ୍କୁ ଏହାର ଫାଇଦା ମିଳୁ ନାହିଁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ର ଏକ ବଡ଼ ଭାଗ ଟିକସରେ ଯାଉଛି। ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, କେନ୍ଦ୍ର ସରକାର ଦିଲ୍ଲୀରେ ପେଟ୍ରୋଲ ଉପରେ ଲିଟର ପିଛା ୨୧.୯୦ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୭.୮୦ ଟଙ୍କା ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରମାନେ ଭାଲ୍ୟୁ ଆଡେଡ୍‌ ଟ୍ୟାକ୍ସ (VAT) ଲଗାଇ ପେଟ୍ରୋଲରୁ ଆୟ କରୁଛନ୍ତି। ସବୁ ରାଜ୍ୟରେ ଅଲଗା ଅଲାଗ ଟ୍ୟାକ୍ସ ଲଗାଯାଉଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ବି ଅଲଗା ଅଲଗା ରହୁଛି। ଯେପରି ଦିଲ୍ଲୀରେ ପେଟ୍ରୋଲ ଉପରେ ୧୫.୪୦ ଟଙ୍କା ଏବଂ ଡିଜେଲ ଉପରେ ୧୨.୮୩ ଟଙ୍କା ଭାଟ୍ ଆଦାୟ କରାଯାଉଛି। ସେହିପରି ଓଡ଼ିଶାରେ ପେଟ୍ରୋଲ ଉପରେ ୨୮ ପ୍ରତିଶତ ଓ ଡିଜେଲ୍ ଉପରେ ୨୪ ପ୍ରତିଶତ ଶୁଳ୍କ ଲାଗୁ କରାଯାଉଛି। ଏହା ବାଦ୍ ଡିଲରସିପ୍ କମିଶନ ମଧ୍ୟ ରହୁଛି। ଏସବୁ ପରେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିଲା ବେଳକୁ ତୈଳ ଦର ଆକାଶ ଛୁଆଁ ରହୁଛି। ସାମଗ୍ରିକ ଭାବରେ ଦେଖିଲେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟର ୪୦%ରୁ ଅଧିକ କେବଳ ଟିକସ ଆଦାୟ କରି ନିଆଯାଉଛି। 

ସରକାର ଓ କମ୍ପାନୀ କହୁଛନ୍ତି ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳର ସ୍ଥିତିକୁ ନେଇ ଆମେ ଦାମ କମ ବେଶି କରିଥାଉ। ଯଦି ଅନ୍ତର୍ଜାତୀୟ ବଜାରରେ ତେଲ କମିଲା ତେବେ ଆମେ କମାଉ ଓ ବଢିଲେ ମୂଲ୍ୟ ବଢାଉ। ଏଥିରେ ଗ୍ରାହକଙ୍କୁ ମହଙ୍ଗା ତେଲରୁ ସାମାନ୍ୟ ଆଶ୍ୱସ୍ଥି ମିଳେ। ହେଲେ କୋଭିଡ ପରଠାରୁ ଭାରତରେ ତୈଳ ଦର ଉପର ମୁହାଁ ହେବାରେ ଲାଗିଛି। ମଝିରେ ଯଦିଓ ତୈଳ ଦର କମିଥିଲା, ହେଲେ ବଡ଼ ହାଇକ୍‌ ପରେ ଏହି ହ୍ରାସ ଖୁବ୍ କମ୍ ଥିଲା। କିନ୍ତୁ ଗତ ୩ ବର୍ଷ ହେଲାଣି ତୈଳ ଦର କମ୍‌ ହେଉ ନାହିଁ। ଶେଷ ଥର ମେ ୨୨ ତାରିଖରେ ତୈଳ ଦର କମିଥିଲା, ହେଲେ ଖୁବ୍ ସାମାନ୍ୟ। ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ଅନେକ ଥର ୬୮ ଡଲାର ପ୍ରତି ବ୍ୟାରେଲ ପର୍ଯ୍ୟନ୍ତ ଖସିଆସିଛି। ହେଲେ ଭାରତର ଉଚ୍ଚ ଟ୍ୟାକ୍ସ, ରିଫାଇନିଂ ଖର୍ଚ୍ଚ, ଏବଂ ତୈଳ କମ୍ପାନୀଗୁଡ଼ିକର ମାର୍ଜିନ ଯୋଗୁ ପେଟ୍ରୋଲ ଓ ଡିଜେଲର ଦର ସ୍ଥିର ରହିଛି କିମ୍ବା କମି ନାହିଁ। ତେବେ, ୨୦୨୧ ନଭେମ୍ବରରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ, ଯାହା ଦ୍ୱାରା କିଛି ସମୟ ପାଇଁ ଦର କମିଥିଲା। କିନ୍ତୁ ତା’ପରେ ଦର ପୁଣି ସ୍ଥିର ହୋଇଛି।

ଯଦିବା ଅନ୍ତର୍ଜାତୀୟ ବଜାରରେ ତୈଲ ଦାମ କମୁଛି ହେଲେ ସରକାର ଟ୍ୟାକ୍ସ ବଢ଼ାଇ କମ୍ପାନୀ ଠାରୁ ଲାଭ ରଖି ଦେଉଛନ୍ତି। ଫଳରେ ଜନତାଙ୍କୁ କିଛି ମିଳିପାରୁ ନାହିଁ। ରିପୋର୍ଟ ଅନୁସାରେ, ଏପ୍ରିଲ ୨୦୨୫ରେ ପ୍ରତି ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ୩୨ ହଜାର କୋଟି ଟଙ୍କାର ଲାଭ ହୋଇଛି। ଏହି ଟିକସ ସରକାରଙ୍କ ପାଇଁ ଆୟର ଏକ ସ୍ଥିର ଏବଂ ନିର୍ଭରଯୋଗ୍ୟ ଉତ୍ସ। ହେଲେ ଲୋକଙ୍କୁ ଗ୍ରାହକମାନଙ୍କୁ ଶସ୍ତା ତେଲର ଲାଭ ଦେବା ପରିବର୍ତ୍ତେ, ସରକାର ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିବା ପାଇଁ ଏହି ଟଙ୍କାକୁ ନିଜ ରାଜକୋଷରେ ରଖୁଛନ୍ତି।

୨୦୨୦ ଆର୍ଥିକ ବର୍ଷରେ, ଭାରତ ଏହାର ତୈଳ ଆବଶ୍ୟକତାର କେବଳ ୧.୭% ରୁଷରୁ ଆମଦାନୀ କରିଥିଲା। ମାତ୍ର ୨୦୨୫ ଆର୍ଥିକ ବର୍ଷରେ ଏହା ୩୫.୧%କୁ ବୃଦ୍ଧି ପାଇଛି। ରୁଷରୁ ଶସ୍ତା ତେଲ କିଣିବାର ଲାଭ ତୈଳ କମ୍ପାନୀମାନେ ମଧ୍ୟ ଖୁବ୍‌ ଉଠାଉଛନ୍ତି। କମ୍ପାନୀଗୁଡ଼ିକ ଦେଇଥିବା ତଥ୍ୟ ଅନୁସାରେ, ୨୦୨୨-୨୩ରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମର ମୋଟ ଲାଭ ୩,୪୦୦ କୋଟି ଥିଲା। ୨୦୨୩-୨୪ ମସିହାରେ ଏହି ତିନି ସରକାରୀ କମ୍ପାନୀର ଲାଭ ୨୫ ଗୁଣ ବୃଦ୍ଧି ପାଇଛି। ମିଳିତ ଭାବରେ, ତିନୋଟି କମ୍ପାନୀ ୮୬,୦୦୦ କୋଟି ଟଙ୍କା ଆୟ କରିଛନ୍ତି। ସେହିଭଳି ୨୦୨୪-୨୦୨୫ରେ ଏହି କମ୍ପାନୀଗୁଡ଼ିକର ଲାଭ ୩୩,୬୦୨ କୋଟି ଟଙ୍କାକୁ ହ୍ରାସ ପାଇଥିଲା। କିନ୍ତୁ ଏହା ୨୦୨୨-୨୩ର ଲାଭ ଅପେକ୍ଷା ଅଧିକ।

ଘରୋଇ ରିଫାଇନାରୀ କଥା କହିଲେ ଭାରତର ଦୁଇ ବଡ଼ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ନାୟାରା ଏନର୍ଜିର ରିଫାଇନାରୀ ସର୍ବାଧିକ ଅଶୋଧିତ ତେଲ ପ୍ରୋସେସ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ପ୍ରତି ବ୍ୟାରେଲ ୧୨.୫ ଡଲାରର ରିଫାଇନାରୀ ମାର୍ଜିନ୍ ହାସଲ କରିଥିଲା ଏବଂ ନାୟାରା ୧୫.୨ ଡଲାରର ରିଫାଇନାରୀ ହାସଲ କରିଥିଲା। ଅର୍ଥାତ୍, କମ୍ ମୂଲ୍ୟରେ କିଣି ଏହାକୁ ପ୍ରକ୍ରିୟାକରଣ କରି ଏବଂ ଉଚ୍ଚ ମୂଲ୍ୟରେ ବିକ୍ରୟ କରି, ପ୍ରତ୍ୟେକ ବ୍ୟାରେଲ ଉପରେ ଅଧିକ ଲାଭ ଅର୍ଜନ କରିଥିଲେ।

ତୈଳ ବିଶ୍ଳେଷଣ କମ୍ପାନୀ Kpler (କେପ୍ଲର)ର ତଥ୍ୟ ଅନୁଯାୟୀ, ଭାରତ ୨୦୨୫ର ପ୍ରଥମାର୍ଦ୍ଧରେ ଅର୍ଥାତ ଜୁନ୍ ୨୪ ସୁଦ୍ଧା ରୁଷରୁ ୨୩୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିଥିଲା। ଏଥିରେ ରିଲାଏନ୍ସ ଏବଂ ନାୟରାର ଅଂଶ ୪୫% ରହିଛି। ସେହିପରି ୨୦୨୨ରେ, ରିଲାଏନ୍ସର ୮% ଏବଂ ନାୟରାର ୭% ଅଂଶ ଥିଲା। ରୁଷଠାର ଅଶୋଧିତ ତେଲ ଆମଦାନୀ କରି ଏଥିରୁ ପେଟ୍ରୋଲ, ଡିଜେଲ ଏବଂ ATF ଇନ୍ଧନ ପ୍ରସ୍ତୁତ କରାଯାଏ। ଏହାପରେ ସେଗୁଡ଼ିକୁ ୟୁରୋପ, ଆମେରିକା, UAE, ସିଙ୍ଗାପୁର ଭଳି ଦେଶକୁ ରପ୍ତାନି କରାଯାଏ। ରଏଟର୍ସ ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମାର୍ଦ୍ଧରେ ଉଭୟ କମ୍ପାନୀ ୨୪.୬୬ ନିୟୁତ ଟନ୍ ବିଶୋଧିତ ଉତ୍ପାଦ ରପ୍ତାନି କରିଥିଲେ। ଏଥିମଧ୍ୟରୁ ପ୍ରାୟ ୩୦% ୟୁରୋପୀୟ ସଂଘକୁ ରପ୍ତାନି କରାଯାଇଥିଲା।

୨୦୨୨ ଫେବୃଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପ, ରୁଷ ତେଲକୁ ନିଷେଧ କରିଥିଲା। ଏମିତିରେ ରୁଷ ନିଜର ଦେଶର ତେଲକୁ ଏସିଆ ମାର୍କେଟକୁ ପଠାଇବା ଆରମ୍ଭ କରିଥିଲା। ଆଉ କମ ଦାମରେ ତେଲ କିଣିବା ସୁଯୋଗ ଅପେକ୍ଷାରେ ଥିବା ଭାରତ ଏହାର ପାଇଦା ନେଇଥିଲା। ସେତେବେଳେ ବିଶ୍ୱର ଶକ୍ତି ପରିଚାଳନକୁ ବଜାଇ ରଖିବା ପାଇଁ ଆମେରିକା ମଧ୍ୟ ପରୋକ୍ଷରେ ଋଷ ଠାରୁ ତେଲ କିଣିବାକୁ ଭାରତକୁ ପ୍ରୋତ୍ସାହିତ କରିଥିଲା। ଭାରତ ଋଷ ଠାରୁ ତେଲ କିଣି ରିଫାଇନ୍ କରି ପଶ୍ଚିମ ଦେଶମାନଙ୍କୁ ଯୋଗାଉଥିଲା। ହେଲେ ଏବେ ଟ୍ରମ୍ପ ନେବୋଲେ ଶାନ୍ତି ପୁରସ୍କାର ପ୍ରତିଯୋଗିତାରେ ସେସବୁ ଭୁଲି ଋଷ ତେଲ ପାଇଁ ଭାରତକୁ ଟାର୍ଗେଟ୍ ଜାରି ରଖିଛନ୍ତି। ହେଲେ ଭାରତ ତେଲ ଆମଦାନୀ କମ କରିବା ବଦଳରେ ବଢ଼ାଇ ଚାଲିଛି। ଏହି ଧାରାରେ ପ୍ରତିଦିନ ହାରାହାରି ୧.୬୭ ନିୟୁତ ବ୍ୟାରେଲ ଆମଦାନୀ ହେଉଛି। ଯାହା ଭାରତର ମୋଟ ଆବଶ୍ୟକତାର ପ୍ରାୟ ୩୭%। ଋଷ ଠାରୁ ତୈଳ ଆମଦାନୀ ଭାରତ ପାଇଁ ଲାଭଦାୟକ ହେଉଛି। ଅନ୍ୟ ଦେଶ ତୁଳନାରେ ଶସ୍ତାରେ ତେଲ ମିଳୁଛି। ପୂର୍ବରୁ ବ୍ୟାରେଲ ପିଛା ୩୦ ଡଲାର ପର୍ଯ୍ୟନ୍ତ ରିହାତି ମିଳୁଥିଲା। ହେଲେ ଏବେ ରିହାତି ବ୍ୟାରେଲ ପିଛା ୩-୬ ଡଲାରକୁ ହ୍ରାସ ପାଇଛି। 

ଦ୍ୱିତୀୟରେ ଭାରତର ଘରୋଇ କମ୍ପାନୀଗୁଡ଼ିକ ରୁଷ ସହିତ ଦୀର୍ଘକାଳୀନ ଚୁକ୍ତି କରିଛନ୍ତି । ୨୦୨୪ ଡିସେମ୍ବରରେ ରିଲାଏନ୍ସ ୧୦ ବର୍ଷ ପାଇଁ ପ୍ରତିଦିନ ୫ ଲକ୍ଷ ବ୍ୟାରେଲ ତେଲ କିଣିବା ପାଇଁ ରୁଷ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଆଉ ଏଭଳି ଚୁକ୍ତିରୁ ରାତାରାତି ଓହରି ହୁଏନାହିଁ।  ତୃତୀୟରେ ଭାରତର ରୁଷୀୟ ତୈଳ ଆମଦାନୀ ବିଶ୍ୱ ତୈଳ ମୂଲ୍ୟକୁ ସ୍ଥିର ରଖିବାରେ ସାହାଯ୍ୟ କରେ । ଯଦି ଭାରତ ରୁଷରୁ ତେଲ କିଣିବା ବନ୍ଦ କରିଦିଏ, ତେବେ ବିଶ୍ୱ ଯୋଗାଣ ହ୍ରାସ ପାଇପାରେ, ଯାହା ଫଳରେ ମୂଲ୍ୟ ବୃଦ୍ଧି ପାଇପାରେ। ୟୁକ୍ରେନ ସହ ଯୁଦ୍ଧ ପରେ ୨୦୨୨ ମାର୍ଚ୍ଚରେ ତୈଳ ଦାମ ବ୍ୟାରେଲ ପିଛା ୧୩୭ ଡଲାରରେ ପହଞ୍ଚିଥିଲା।

ଭାରତ ଏହାର ତେଲ ଆବଶ୍ୟକତାର ୮୦%ରୁ ଅଧିକ ଆମଦାନୀ କରେ। ରୁଷ ବ୍ୟତୀତ ଇରାକ, ସାଉଦି ଆରବ ଏବଂ ଆମେରିକା ଭଳି ଦେଶଗୁଡ଼ିକରୁ ଭାରତ ଅଧିକାଂଶ ତେଲ କିଣେ। ଋଷ ପରେ ଭାରତ ଇରାକରୁ ସର୍ବାଧିକ ୨୧ ପ୍ରତିଶତ ତେଲ କିଣେ। ଏହା ପଛକୁ ସାଉଦି ଆରବ ୧୫ ପ୍ରତିଶତ, ଏବଂ ଜୁଲାଇ ୨୦୨୫ ସୁଦ୍ଧା ଆମେରିକାରୁ ୭ ପ୍ରତିଶତ ତେଲ ଆମଦାନୀ କରୁଛି। ସେହିପରି ଦକ୍ଷିଣ ଆଫ୍ରିକୀୟ ଦେଶ ନାଇଜେରିଆ ଏବଂ ଅନ୍ୟାନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶମାନେ ମଧ୍ୟ ଭାରତକୁ ତେଲ ଯୋଗାଉଛନ୍ତି। ଆବୁଧାବି (UAE)ରୁ ମୁରବାନ ଅଶୋଧିତ ତୈଳ ଭାରତ ପାଇଁ ଏକ ବଡ଼ ବିକଳ୍ପ। ଏହା ବ୍ୟତୀତ ଗୟାନା, ବ୍ରାଜିଲ ଏବଂ ଅନ୍ୟାନ୍ୟ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରୁ ମଧ୍ୟ ତେଲ ଯୋଗାଉଛନ୍ତି। ତଥାପି ଏମାନଙ୍କ ତୁଳନାରେ ରୁଷୀୟ ତେଲ ଅଧିକ ଶସ୍ତା ହୋଇଥାଏ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.