News7 Logo

କିର୍କଙ୍କ ସନ୍ଦିଗ୍ଧ ହତ୍ୟାକାରୀକୁ ଗିରଫ କଲା ପୋଲିସ, ଟ୍ରମ୍ପ କହିଲେ- ମୃତ୍ୟୁ ଦଣ୍ଡ ଦେବୁ

NEWS7

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା ଚାର୍ଲି କିର୍କଙ୍କ ହତ୍ୟାକାରୀ ଗିରଫ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଅଭିଯାନ ପରେ ସନ୍ଦିଗ୍ଧ ହତ୍ୟାକାରୀକୁ ହେପାଜତକୁ ନିଆଯାଇଛି । ଫକ୍ସ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସନ୍ଦିଗ୍ଧର ନିକଟତର ସମ୍ପର୍କୀୟ ତାକୁ ଧରାଇବାରେ ସାହାଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୟୁଟହରେ ଏକ କଲେଜ କାର୍ଯ୍ୟକ୍ରମରେ କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।  

ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜକୁ କହିଛନ୍ତି, ସେ ହେପାଜତରେ ଥିବା ନେଇ ମୁଁ ପୂର୍ଣ୍ଣ ବିଶ୍ୱାସ ରଖିଛି । ତା’ର ନିକଟତର କେହି ଜଣେ ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସନ୍ଦିଗ୍ଧ ବ୍ୟକ୍ତି ନିଜ ଇଚ୍ଛାରେ ପୋଲିସ ମୁଖ୍ୟାଳୟ ଯାଇଥିବା ଜଣାପଡ଼ିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କ ବୁଧବାର ୟୁଟହ ଭ୍ୟାଲି ବିଶ୍ୱବିଦ୍ୟାଳୟ ପରିସରରେ ସାମାଜିକ ପ୍ରସଙ୍ଗରେ ଭାଷଣ ଦେଉଥିଲେ । ତେବେ ଏହି ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଆକ୍ରମଣ ସ୍ପଷ୍ଟ ଭାବରେ ଦେଖାଯାଉଛି । କିର୍କ ମାଇକ୍ରୋଫୋନ୍ ଧରି ଭାଷଣ ଦେଉଥିବା ସମୟରେ ତାଙ୍କ ବେକକୁ ଗୁଳି କରାଯାଇଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ଲୋକମାନେ ଚିତ୍କାର ଏବଂ ଭୟରେ ଦୌଡ଼ୁଥିବା ଭିଡିଓରେ ନଜର ଆସୁଛନ୍ତି । ଏହି ହତ୍ୟାକାଣ୍ଡ ଆମେରିକାରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଉପରେ ପୁଣି ଥରେ ଚିନ୍ତା ବଢାଇ ଦେଇଛି । ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ଦଳ ଉଭୟ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି

ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଗୁଳିକାଣ୍ଡରେ ସାମିଲ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଦୁଇଟି ଫଟୋ ଏଫବିଆଇ ଦ୍ୱାରା ଜାରି କରାଯାଇଥିଲା । ଫଟୋରେ ଜଣେ ବ୍ୟକ୍ତି ଟୋପି, ଚଷମା ଏବଂ କଳା ଫୁଲ୍-ସ୍ଲିଭ୍ ସାର୍ଟ ପିନ୍ଧିଥିବାର ଦେଖାଯାଉଛି । ଅଧିକାରୀ କହିଥିଲେ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟ ଜଙ୍ଗଲରେ ଏକ ଗାମୁଛାରେ ଗୁଡ଼ାଯାଇଥିବା ଏକ ମାଉଜର ମିଳିଛି । ଏଥିରେ ଏକ ବ୍ୟବହୃତ କାର୍ଟ୍ରିଜ୍ ଏବଂ ମ୍ୟାଗାଜିନରେ ତିନୋଟି ଗୁଳି ମିଳିଥିଲା । ଫେଡେରାଲ୍ ଲାବୋରେଟୋରୀରେ ବନ୍ଧୁକ ଏବଂ ଗୁଳିଗୁଡ଼ିକର ପରୀକ୍ଷା କରାଯାଉଛି ।

ସେପଟେ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ କିର୍କଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରେସିଣ୍ଡେନସିଆଲ୍ ମେଡାଲ ଅଫ୍ ଫ୍ରିଡମ୍‌ରେ ସମ୍ମାନିତ କରିବେ । ଅନ୍ୟପଟେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ମଧ୍ୟ କିର୍କଙ୍କ ପରିବାରକୁ ଭେଟିବା ପାଇଁ ସଲ୍ଟ ଲେକ୍ ସିଟିରେ ପହଞ୍ଚିଥିଲେ । ଭାନ୍ସ ଏକ୍ସରେ ଲେଖିଥିଲେ, ୨୦୧୭ରେ ତାଙ୍କର ଓ କିର୍କଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । କିର୍କ କେବଳ ୨୦୨୪ରେ ରିପବ୍ଲିକାନ୍ ବିଜୟରେ ନୁହେଁ ବରଂ ସରକାରୀ ଦଳ ଗଠନରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ।