ଦର ବଢାଇବେ ମାରୁତି, ସୁଜୁକି, ହ୍ୟୁଣ୍ଡାଇ, ମହିନ୍ଦ୍ରା: ୪% ଯାଏଁ ମହଙ୍ଗା ହେବ ବିଭିନ୍ନ ମଡେଲ୍

Published By : Prameya-News7 Bureau | March 24, 2025 IST

ନୂଆଦିଲ୍ଲୀ ୨୪/୦୩: ଏପ୍ରିଲରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଦେଶର ପ୍ରମୁଖ କାର କମ୍ପାନି ମାରୁତି ସୁଜୁକିର ଯାନ ଗୁଡ଼ିକ ଆସନ୍ତା ମାସରୁ ୪% ଯାଏ ଦରବୃଦ୍ଧି ଘଟିବ । 

ଏହି କମ୍ପାନି ଏବେ ଏଣ୍ଟ୍ରିଲେଭଲ ଅଲ୍‌ଟୋ କେ ୧୦ ଠାରୁ ଆରମ୍ଭ କରି ମଲ୍ଟି ପର୍‌ପସ ଭେଇକିଲ ଇନଭିକ୍ଟୋ ଘରୋଇ ବଜାରରେ ଉପଲବ୍ଧ କରାଉଛି । ଏହି ଯାନ ଗୁଡ଼ିକର ବଜାର ଦର ୪.୨୩ ଲକ୍ଷ ଟଙ୍କାରୁ ୨୯.୨୨ ଲକ୍ଷ ଟଙ୍କା ରହିଛି । ସେହିଭଳି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର କାର୍‌ ଗୁଡ଼ିକ ମଧ୍ୟ ୩% ଯାଏ ମହଙ୍ଗା ହେବ । ଟାଟା ମୋଟର୍ସ ଏହାର ଇ-କାର ସହ ଅନ୍ୟ ବର୍ଗର ଯାନଗୁଡ଼ିକ ଦର ବଢ଼ାଇବ ବୋଲି ମଧ୍ୟ ସ୍ପଷ୍ଟ କରିଛି । ଚଳିତ ବର୍ଷ ଦ୍ୱିତୀୟ ଥର ଲାଗି କମ୍ପାନି ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି । 

ଏପ୍ରିଲରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଏସ୍‌ୟୁଭି ଏବଂ କମର୍ସିଆଲ ଯାନ ଦର ୩% ଯାଏ ବୃଦ୍ଧି କରିବ । ସେହିଭଳି କିଆ ଇଣ୍ଡିଆ, ହୋଣ୍ଡା କାର୍‌ସ ଇଣ୍ଡିଆ, ରେନୋ ଇଣ୍ଡିଆ ଏବଂ ବିଏମ୍‌ଡବ୍ଲ୍ୟୁ ଆସନ୍ତା ମାସରୁ ଯାନ ଦର ବଢ଼ାଇବା ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଅଟୋ ଶିଳ୍ପ ବିଶେଷଜ୍ଞ ରଜତ ମହାଜନ କହିଛନ୍ତି, ଭାରତରେ କାର୍‌ କମ୍ପାନିଗୁଡ଼ିକ ସାଧାରଣତଃ ଜାନୁଆରି ଏବଂ ଏପ୍ରିଲରେ ଦର ବୃଦ୍ଧି କରିଥାନ୍ତି । ସାମଗ୍ରୀ ଆମଦାନି କରିବାକୁ କମ୍ପାନିଗୁଡ଼ିକ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । 

ଗତ ୬ ମାସ ହେବ ଟଙ୍କା ତୁଳନାରେ ଡଲାର ୩% ଶକ୍ତିଶାଳୀ ହୋଇଛି । ଫଳରେ କମ୍ପାନିଙ୍କୁ ଇନ୍‌ପୁଟ ଖର୍ଚ୍ଚ କ୍ଷେତ୍ରରେ ଚାପ ରହିଛି । ଓଇଏମ୍‌ ଏବଂ ସିକେଡି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଛି । ଏବେ ଏଣ୍ଟ୍ରି ସ୍ତରୀୟ କାର ଗୁଡ଼ିକର ଚାହିଦା ପ୍ରଭାବିତ ରହିଛି । ଗ୍ରାମାଞ୍ଚଳରେ ପ୍ରଥମ ଥର କାର କିଣୁଥିବା ଗ୍ରାହକଙ୍କ ମଧ୍ୟରେ ଏଭଳି ପ୍ରଭାବ ଦେଖାଯାଇଛି । ଅନ୍ୟ ପକ୍ଷରେ କାର୍‌ ଗୁଡ଼ିକରେ କମ୍ପାନି ନୂଆ ଫିଚର ଯୋଡ଼ୁଥିବାରୁ ଏଥିଲାଗି ଖର୍ଚ୍ଚ ମଧ୍ୟ ବଢ଼ୁଛି । 

ଫଳରେ ଗତ କିଛି ତ୍ରୈମାସ ହେବ କମ୍ପାନି ଲଗାତାର ଦର ବୃଦ୍ଧି କରୁଥିବା ନଜରକୁ ଆସିଛି । ଏଣ୍ଟ୍ରି ସ୍ତରର କାର ଗୁଡ଼ିକ ଉପରେ ଦର ବୃଦ୍ଧି କରିବା ପୂର୍ବରୁ କମ୍ପାନି ଅନେକ ଥର ଚିନ୍ତା କରୁଛନ୍ତି । କାରଣ ଏ କ୍ଷେତ୍ରରେ ଚାହିଦା ଫେରିବାର ଢ଼େର ସମ୍ଭାବନା ରହିଛି । ବଜେଟରେ ହୋଇଥିବା ଟିକସ ରିହାତି ଘୋଷଣା ପରେ ଲୋକଙ୍କ ହାତରେ ଅର୍ଥ ରହିବାର ଆଶା ଥିବାରୁ ଏହାକୁ ସେମାନେ ଖର୍ଚ୍ଚ ଲାଗି ବ୍ୟବହାର କରିବେ ବୋଲି ବିଶେଷଜ୍ଞ ଆଶାବାଦୀ ରହିଛନ୍ତି । 

ଇକ୍ରା ସଭାପତି ରୋହନ କନୱାର ଗୁପ୍ତା କହିଛନ୍ତି, କଞ୍ଚାମାଲ ଦର ବୃଦ୍ଧି ଜନୀତ ଚାପକୁ କମାଇବା ଲାଗି କମ୍ପାନି ସାଧାରଣତଃ ଆର୍ôଥକ ବର୍ଷ ଏବଂ କ୍ୟାଲେଣ୍ଡର ବର୍ଷ ଆରମ୍ଭରେ ଦର ବୃଦ୍ଧି ନେଇ ଅଗ୍ରସର ହୋଇଥାନ୍ତି । ଏବେ ବଜାରରେ କଞ୍ଚାମାଲ ବଢ଼ିଥିବାରୁ ଏହାକୁ ବିଚାରକୁ ନେଇ କମ୍ପାନି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଚାହିଦାକୁ ନଜରରେ ରଖି ଦରବୃଦ୍ଧି ଏତେଟା ହୋଇନି । ଅନ୍ୟ ପଟେ ପାସେଞ୍ଜର ଯାନ ବର୍ଗରେ କମ୍ପାନି ବେଶ ଭଲ ରିହାତି ଦେଉଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.