ପ୍ରଧାନମନ୍ତ୍ରୀ ମୋଦୀଙ୍କୁ G7କୁ କାହିଁକି ଆମନ୍ତ୍ରଣ କଲେ ? ସାମ୍ୱାଦିକଙ୍କୁ କାନାଡା ପିଏମ୍‌ଙ୍କ ଜବାବ-ଭାରତ ବୈଶ୍ୱିକ ଯୋଗାଣ ଶୃଙ୍ଖଳାର କେନ୍ଦ୍ର

Published By : Prameya-News7 Bureau | June 07, 2025 IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଆମନ୍ତ୍ରଣ କରିଛନ୍ତି । ଏହାକୁ ନେଇ କାନାଡା ସରକାରଙ୍କୁ ସେଠାକାର ବିରୋଧୀ ପ୍ରଶ୍ନ କରୁଛନ୍ତି । କାନାଡାର ବରୋଧୀ ଦଳ ୨୦୨୩ରେ ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜର ହତ୍ୟାରେ ଭାରତର କଥିତ ଭୂମିକାକୁ ନେଇ ଏହି ଆମନ୍ତ୍ରଣ ଉପରେ ଆପତ୍ତି ଉଠାଇଛନ୍ତି ।

କାନାଡାର ସାମ୍ୱାଦିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ ଉପରେ ପିଏମ୍ କାର୍ନିଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ କାନାଡା ପିଏମ୍ କହିଥିଲେ, ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା ଓ ଅନେକ ମହତ୍ୱପୂର୍ଣ୍ଣ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଏହାର କେନ୍ଦ୍ରୀୟ ଭୂମିକା ରହିଛି । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଗାମୀ ଜି୭ ଶିଖର ସମ୍ମିଳନୀ ପାଇଁ ଅମନ୍ତ୍ରିତ କରାଯାଇଛି । ଭାରତ ପରି ଦେଶ ଏହି ଉଚ୍ଚସ୍ତରୀୟ ବୈଶ୍ୱିକ ଚର୍ଚ୍ଚାର ଅଂଶ ହେବା ଆବଶ୍ୟକ । ସାମ୍ୱାଦିକମାନେ ଯେତେବେଳେ ହରଦୀପ ସିଂହ ନିଜ୍ଜରର ହତ୍ୟା ମାମଲା ଉପରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଏହି ମାମଲା ଆଇନ ପ୍ରକ୍ରିୟାରେ ଅଛି ଓ ଏହା ଉପରେ ଟିପ୍ପଣୀ କରିବା ଉଚିତ୍ ନୁହେଁ ।

ପ୍ରଧାନମନ୍ତ୍ରୀ କାର୍ନି ସ୍ପଷ୍ଟ ଭାବେ କହିଛନ୍ତି ଯେ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଭାରତର ଭୂମିକାକୁ ଦେଖି ଜି୭ ପରି ମଞ୍ଚରେ ସାମିଲ କରିବା ବୁଦ୍ଧିମାନ ପଦକ୍ଷେପ । କାର୍ନି ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରିତ କରିବା ପୂର୍ବରୁ ଜି୭ର ଅନ୍ୟ ସଦସ୍ୟଙ୍କ ସହ ଏହା ଉପରେ ଆଲୋଚନା କରିଥିଲେ ଓ ସହମତି ପରେ ନିଷ୍ପତ୍ତି ନିଆଗଲା ।

ମାର୍କ କାର୍ନି ଏହା ବି କହିଛନ୍ତି ଯେ ଭାରତ ଓ କାନାଡା ପାରସ୍ପାରିକ ଆଇନ ପ୍ରବର୍ତ୍ତନ ସମ୍ୱାଦ (law enforcement dialogue)କୁ ଜାରି ରଖିବା ଉପରେ ସହମତି ହୋଇଛନ୍ତି । ସେ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାରର ସଂକେତ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ 2023ରେ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦ୍ୱାରା ନିଜ୍ଜର ହତ୍ୟାରେ ଭାରତର ସମ୍ପୃକ୍ତି ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିଥିଲା । ଭାରତ ନିଜ ହାଇକମିଶନର ଓ ପାଞ୍ଚ ଅନ୍ୟ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ଆଣିଥିଲା । ଏହାସହ କାନାଡାର କିଛି କୂଟନୀତିଜ୍ଞଙ୍କୁ ଦେଶ ବହିଷ୍କାର କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.