ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ କ୍ୟାପିଟାଲ୍ ରିଜନ ରିଙ୍ଗ ରୋଡ୍, ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଟ୍ୱିନି ସିଟି ପାଇଁ ୬ ଲେନ୍ ବିଶିଷ୍ଟ ରିଙ୍ଗ ରୋଡ୍ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୧୦.୮୭୫ କିଲୋମିଟର ଲମ୍ୱା ରିଙ୍ଗ ରୋଡ୍ ପାଇଁ ମୋଟ ୮୩୦୭.୭୪ କୋଟି ଟଙ୍କା ଖର୍ଚ୍ଚ ହେବ ।
ଜାତୀୟ ରାଜପଥରେ ଅଧିକ ଟ୍ରାଫିକ୍ ଯୋଗୁ ଖୋର୍ଦ୍ଧା ରାମେଶ୍ୱରରୁ କଟକ ଟାଙ୍ଗୀ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ୬ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥ ନିର୍ମାଣ ନେଇ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ସହ ପୂର୍ବଭାରତର ଅନେକ ରାଜ୍ୟ ଲାଭବାନ ହେବେ । ଏହାଦ୍ୱାରା ଖୋର୍ଦ୍ଧା, ଭୁବନେଶ୍ୱର, କଟକରୁ ଭାରୀ ବାଣିଜ୍ୟିକ ଗାଡ଼ିର ଟ୍ରାଫିକ ହ୍ରାସ କରାଯାଇପାରିବ । ଯାହା ପରିବହନ ଖର୍ଚ୍ଚକୁ କମ କରିବା ସହ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶକୁ ଗତି ଦେବ ।
ଏହି ପ୍ରକଳ୍ପ ତିନି ଜାତୀୟ ରାଜପଥ (ଏନ୍ଏଚ୍-୫୫, ଏନ୍ଏଚ୍-୫୭ ଓ ଏନ୍ଏଚ୍-୬୫୫) ଓ ଗୋଟିଏ ରାଜ୍ୟ ରାଜପଥ (ଏସ୍ଏଚ୍-୬୫) ସହିତ ସମନ୍ୱିତ, ଯାହା ସମଗ୍ର ଓଡ଼ିଶାରେ ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ ନୋଡଗୁଡ଼ିକୁ (ସଂଯୋଗ ସ୍ଥଳୀ) ସଂଯୋଗ ପ୍ରଦାନ କରିବ । ଏହା ସହିତ, ଉନ୍ନତ କରିଡର ୧୦ଟି ଅର୍ଥନୈତିକ ନୋଡ୍, ୪ଟି ସାମାଜିକ ନୋଡ୍ ଏବଂ ୫ଟି ଲଜିଷ୍ଟିକ୍ସ ନୋଡ୍ ସହିତ ସଂଯୋଗ କରି ମଲ୍ଟି-ମୋଡାଲ୍ ସମନ୍ୱୟକୁ ବୃଦ୍ଧି କରିବ । ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ପ୍ରମୁଖ ଧାର୍ମିକ ଓ ଅର୍ଥନୈତିକ କେନ୍ଦ୍ରଗୁଡ଼ିକ ଯୋଗାଯୋଗକୁ ବଢାଇବ । ଏହି ପ୍ରକଳ୍ପ ଦ୍ୱାରା ପାଖାପାଖି ୭୪.୪୩ ଲକ୍ଷ ବ୍ୟକ୍ତି- ଦିନ (ପ୍ରତ୍ୟକ୍ଷ) ଏବଂ ୯୩.୦୪ ଲକ୍ଷ ବ୍ୟକ୍ତି- ଦିନ (ପରୋକ୍ଷ)ରେ ନିଯୁକ୍ତି ସୃଷ୍ଟି ହେବ ।