ନୂଆଦିଲ୍ଲୀ ୩।୧୧:  ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ୩ ନଭେମ୍ବର ସୋମବାର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହୋଇଛି। ଏଣୁ ପରୀକ୍ଷାର୍ଥୀ ଅଧିକାରୀକ ୱେବସାଇଟରେ ସେମାନଙ୍କ ସ୍କୋର କାର୍ଡ ଦେଖି ପାରିବେ। ପରୀକ୍ଷା ଫଳ ଦେଖିବା ପାଇଁ ପରୀକ୍ଷାର୍ଥୀ ତାଙ୍କ ୬ ଅଙ୍କର ରୋଲ ନମ୍ବର ଦେଇ ଫଳାଫଳ ଜାଣି ପାରିବେ।

ଚଳିତବର୍ଷ ସାରା ଦେଶରେ ୨.୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସିଏ ଫାଉଣ୍ଡେସନ, ଇଣ୍ଟରମିଡିଏଟ ଓ ଫାଇନାଲ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୧,୪୬୬ ଜଣ ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ଗ୍ରୁପ-୧ରେ ଉତୀର୍ଣ୍ଣ ହାର ୨୪.୬୬% ହୋଇଥିବା ବେଳେ ଗ୍ରୁପ-୨ରେ ୨୫.୨୬ ଓ ଉଭୟ ଗ୍ରୁପରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରତିଶତ ୧୬.୨୩% ରହିଛି। ଏଥିରେ ମୁକୁନ୍ଦ ଅଗିୱାଲ ଟପ୍ପର ହୋଇଛନ୍ତି।

ମୁକୁନ୍ଦଙ୍କ ପଛକୁ ତେଜସ ମୁନ୍ଦଡା ଓ ବକୁଲ ଗୁପ୍ତା ଅଛନ୍ତି। ଛାତ୍ରଛାତ୍ରୀଙ୍କୁ ପାସ ହେବା ପାଇଁ ପ୍ରତି ପେପରରେ ୪୦% ଓ ମୋଟ ଯୋଗ ୫୦% ହେଉଥିବା ଆବଶ୍ୟକ। ମୁକୁନ୍ଦ ଅଗିୱାଲ ସିଏ ଫାଇନାଲରେ ମୋଟ ୫୦୦ ଅଙ୍କ ପ୍ରାପ୍ତ କରିଛନ୍ତି। ଅର୍ଥାତ ସେ ୮୩.୩୩% ମାର୍କ ରଖି ଅଲ ଇଣ୍ଡିଆ ନମ୍ବର -୧ ରାଙ୍କ ହାସଲ କରିଛନ୍ତି।  ଏହି ପରୀକ୍ଷାରେ ମୁକୁନ୍ଦଙ୍କ ରୋଲ ନମ୍ବର ୬୩୮୧୫୫ ଥିବା ବେଳେ ସେ ଗ୍ରୁପ-୧ରେ ମୋଟ ୨୬୧ ମାର୍କ ରଖିଥିବା ବେଳେ ଗ୍ରୁପ-୨ରେ ୨୩୯ ମାର୍କ ରଖିଛନ୍ତି । ତାଙ୍କର ମୋଟ ଯୋଗ ୫୦୦ ମାର୍କ ହେଉଛି।