ଭୁବନେଶ୍ଵର: ୧.୫ କୋଟି ମୁଣ୍ଡ ଜାମିନର ନକ୍ସଲ କମାଣ୍ଡର। ପୋଲିସ ପାଇଁ ଥିଲା ମୋଷ୍ଟ ଓ୍ଵାଣ୍ଟେଡ। ସୁରକ୍ଷା ପାଇଁ ପାଖରେ ସବୁ ବେଳେ ରଖୁଥିଲା ଏକେ ୪୭। ବିଟେକ୍ ପଢୁଆ ଏହି ମାଓବାଦୀ ହେଉଛି ବସବରାଜୁ। ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ସୁରକ୍ଷାବଳକୁ ବଡ଼ ସଫଳତା। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଗଡ଼ିଛି ୨୭ ନକ୍ସଲଙ୍କ ମୁଣ୍ଡ। ମୃତକଙ୍କ ମଧ୍ୟରେ ସାମିଲ ଥିଲା ଦେଢ କୋଟି ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ବସବରାଜୁ। ବସବରାଜୁ ଓରଫ ଗନନ୍ନାର ନିହତ ନକ୍ସଲ ସଂଗଠନକୁ ଦେଇଛି ବଡ଼ ଝଟକା। ଆଉ ସୁରକ୍ଷାବଳ ସହ ସରକାରଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି।
ବସବରାଜୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୂଲମର ବାସିନ୍ଦା। ପାଠପଢାରେ ଉଚ୍ଚ ଶିକ୍ଷିତ ଥିଲା ବସବରାଜ। ବି.ଟେକ୍ ପର୍ଯ୍ୟନ୍ତ ପାଠ ପଢିଥିବା ବସବରାଜୁ ୧୯୭୦ ମସିହାରେ ଘର ଛାଡି ନକ୍ସଲ ସଙ୍ଗଠନରେ ହୋଇଥିଲା ସାମିଲ। ୧୯୮୭ ମସିହାରେ ବସ୍ତର ଜଙ୍ଗଲରେ ଏଲଟିଟିଇ କ୍ୟାମ୍ପରୁ ବୋମା ପ୍ରସ୍ତୁତି ଓ ଅମ୍ବୁସ୍ ଟ୍ରେନିଂ ମଧ୍ୟ ନେଇଥିଲା। ରାଜୁକୁ ନକ୍ସଲ ସଙ୍ଗଠନରେ ବୋମା ଏକ୍ସପର୍ଟ ବୋଲି କୁହାଯାଉଥିଲା। ୨୦୧୮ ମସିହାରେ ସେ ନକ୍ସଲ ସଙ୍ଗଠନର ଦାୟିତ୍ୱ ସମ୍ଭାଳିଥିଲା। ନକ୍ସଲ ସଂଗଠନର ସାଧାରଣ ସଂପାଦକ, ପୋଲିଟ ବ୍ୟୁରୋର ସଦସ୍ୟ ସହ କେନ୍ଦ୍ରୀୟ ସମିତିର ଥିଲା ସଦସ୍ୟ। ଅନେକ ସ୍ତରର ସୁରକ୍ଷା ବଳୟ ଭିତରେ ରହୁଥିଲା ବସବରାଜ। ନିଜ ପାଖରେ ସର୍ବଦା ରଖୁଥିଲା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜିତ ୩୦ରୁ ୪୦ ମାଓବାଦୀ । ମାଓବାଦୀ ଗଣପତି ପରେ ନକ୍ସଲ ସଂଗଠନର ଦାୟିତ୍ଵ ସମ୍ଭାଳୁଥିଲା ରାଜୁ। ତାକୁ ମାଓବାଦୀ ମିଲିଟାରୀ ଅପରେସନର ପ୍ରମୁଖ ପଦ ମଧ୍ୟ ମିଳିଥିଲା।
ବସବରାଜୁର ପ୍ରକୃତ ନାମ ନମ୍ବାଲା କେଶବ ରାଓ। ସଙ୍ଗଠନରେ ତାକୁ ଗଗନ୍ନା, ପ୍ରକାଶ ଓ ବି.ଆର ନାମରେ ଡକାଯାଉଥିଲା। ପୋଲିସ ଗୁଳିବିନିମୟରେ ମୁତ୍ୟ ସମୟରେ ବୟସ ପାଖାପାଖି ୭୫ ବର୍ଷ ବୋଲି କୁହାଯାଉଛି। ବସବ ରାଜୁ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଥିଲା। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ବରିଷ୍ଠ କ୍ୟାଡର ଓ ଦକ୍ଷିଣ ବସ୍ତର ଡିଭିଜନାଲ କମିଟିର ମୁଖ୍ୟ ରୂପେ ମଧ୍ୟ ଜଣାଶୁଣା। ସେ ଛତିଶଗଡ଼, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ସକ୍ରିୟ ଥିଲା। ନକ୍ସଲ ବସବ ରାଜୁ ଗୁରିଲା ଯୁଦ୍ଧରେ ମଧ୍ୟ ବିଚକ୍ଷଣ ଥିଲା।
ଗୁଇନ୍ଦା ବିଭାଗ ଅନୁସାରେ ବସବରାଜୁର ଜନ୍ମ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରେ ୧୯୫୫ ଜୁଲାଇରେ ହୋଇଥିଲା। ପାଠପଢାରେ ମେଧାବୀ ବସବରାଜୁ ବାରଙ୍ଗଲ ରିଜିଓନାଲ ଇଞ୍ଜିନିୟରିଂ କଲେଜରୁ ବିଟେକ୍ରେ ହାସଲ କରିଥିଲା ଡିଗ୍ରୀ। ଇଞ୍ଜିନିୟରିଂ ସହ ଜଣେ କ୍ରୀଡ଼ାବିତ ଥିଲା ବସବରାଜୁ। କଲେଜ୍ ସମୟରେ ଭଲିବଲରେ ଆନ୍ଧ୍ର ପ୍ରଦେଶ ନ୍ୟାସନାଲ ଚାମ୍ପିଅନସିପରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲା।
ବିଟେକ୍ ପରେ ବାମପନ୍ଥୀ ପାର୍ଟିରେ ସକ୍ରିୟ ରହିଥିଲା। ଏବିଭିପିର କିଛି ସଦସ୍ୟଙ୍କ ସହ ସଂଘର୍ଷ ପରେ ୧୯୮୦ରେ ଗିରଫ ହୋଇଥିଲା ବସବରାଜୁ। ଏହାପରେ ସିପିଆଇ ଏମର ପିପୁଲ୍ସଓ୍ଵାର ୟୁନିଟରେ ଯୋଗ ଦେଇଥିଲା। ପ୍ରାୟ ୩୫ ବର୍ଷ ବୟସରୁ ବସ୍ତରରେ ସକ୍ରିୟ ଥିଲା ବସବରାଜୁ। ଦେଢ ଦଶନ୍ଧି ପୂର୍ବରୁ ଛତିଶଗଡ଼ରେ ନକ୍ସଲଙ୍କ ସବୁଠୁ ବଡ଼ ଦଣ୍ଡକାରଣ୍ୟ ଜୋନାଲ କମିଟିର ଚିଫ୍ କମାଣ୍ଡର ଥିଲା।
ସେ ଅନେକ ପୋଲିସ କର୍ମଚାରୀ ଓ ନାଗରିକଙ୍କୁ ହତ୍ୟା କରିବା ସହିତ ଖଣି କମ୍ପାନୀଙ୍କଠାରୁ ବଟି ଆଦାୟ ଓ ସରକାରୀ ସମ୍ପତ୍ତି ନଷ୍ଟ ଲାଗି ବେଶ୍ ଜଣାଶୁଣା ଥିଲା। ଅତୀତରେ ସୁକମା ଓ ଦାନ୍ତେୱାଡାରେ ହୋଇଥିବା ସବୁଠୁ ବଡ଼ ନକ୍ସଲ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା। ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ୭୫ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ। ଏହା ଛଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ମଧ୍ୟ ବସବ ରାଜୁ ସାମିଲ ଥିଲା। ଝୀରମକାଣ୍ଡରେ ମାଓବାଦୀଙ୍କ ହମଲାରେ ଛତିଶଗଡ଼ ରାଜ୍ୟ କଂଗ୍ରେସର ସବୁ ବରିଷ୍ଠ ନେତାଙ୍କ ଘଟିଥିଲା ମୃତ୍ୟୁ।
ବସବରାଜୁ ପ୍ରାୟ ଦେଢ ଦଶନ୍ଧିରୁ ମାଓବାଦୀଙ୍କ ମେରୁଦଣ୍ଡ ପାଲଟିଥିଲା। ସେ ଅଧିକାଂଶ ସମୟ ଅବୁଝମାଡ଼ରେ ରହୁଥିଲା। ବସବରାଜୁ ଉପରେ ୫ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ସରକାରମାନେ ରଖିଥିଲେ ପୁରସ୍କାର ରାଶି। ତାକୁ ଜୀବତ ଅଥବା ମୃତ ଧରାଇଦେବ ତାଙ୍କୁ ମିଳିବ ପୁରସ୍କାର ରାଶି। ଶେଷରେ ୨୦୨୫ ମେ ୨୧ରେ ସୁରକ୍ଷାବଳ ବସବରାଜୁ ଆତଙ୍କର ଅନ୍ତ ଘଟାଇବାରେ ହୋଇଛି ସଫଳ। ବସବରାଜୁ ସହ ୨୭ ମାଓବାଦୀଙ୍କ ମଧ୍ୟ ଘଟିଛି ମୃତ୍ୟୁ।