ନୂଆଦିଲ୍ଲୀ ୨୨।୮: ଭାରତରେ ଜନ୍ମିତ ବ୍ରିଟେନର ପ୍ରମୁଖ ଉଦ୍ୟୋଗପତି ଲର୍ଡ ସ୍ୱରାଜ ପଲଙ୍କ ପରଲୋକ ହୋଇଛି। କିଛିଦିନ ପୂର୍ବରୁ ଅସୁସ୍ଥତା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରଲୋକ ବେଳକୁ ପଲଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଲଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ପଲ ବ୍ରିଟେନରେ କପାରୋ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜର ସଂସ୍ଥାପକ ଥିଲେ।
ପଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ଏକ ଶୋକବାର୍ତ୍ତା ପୋଷ୍ଟ କରିଛନ୍ତି। ମୋଦି ଲେଖିଛନ୍ତି ଯେ ‘ସ୍ୱରାଜ ପଲଙ୍କ ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖି, ବ୍ରିଟେନରେ ଉଦ୍ୟୋଗ, ପରୋପକାର ଓ ଜନସେବାରେ ତାଙ୍କ ଯୋଗଦାନ ସାଙ୍ଗକୁ ଭାରତ ସହିତ ତାଙ୍କର ଘନିଷ୍ଠ ସମ୍ବଦ୍ଧ ତାଙ୍କୁ ସର୍ବଦା ସ୍ମରଣୀୟ କରିବ’। ଜଲନ୍ଧରରେ ଜନ୍ମିତ ପଲ ବିପୁଳ ସମ୍ପତ୍ତିର ମାଲିକ ଥିଲେ। ତାଙ୍କ ଅନୁମାନିକ ସମ୍ପତ୍ତିର ମୂଲ୍ୟ ୨ ବିଲିୟନ ପାଉଣ୍ଡରୁ ମଧ୍ୟ ଅଧିକ।
Deeply saddened by the passing of Shri Swaraj Paul Ji. His contributions to industry, philanthropy and public service in the UK, and his unwavering support for closer ties with India will always be remembered. I fondly recall our many interactions. Condolences to his family and… pic.twitter.com/6G7D4gDDD1
— Narendra Modi (@narendramodi) August 22, 2025
କପାରୋ କମ୍ପାନୀର ମୁଖ୍ୟାଳୟ ଲଣ୍ଡନରେ ରହିଛି ଓ ଏହା ୪୦ରୁ ଅଧିକ ସ୍ଥାନରେ ଅନ୍ତର୍ଜାତୀୟ ସ୍ତରରେ କାମ କରୁଛି। ଏହି କମ୍ପାନୀର ସଞ୍ଚାଳନ ବ୍ରିଟେନ, ଉତ୍ତର ଆମେରିକା, ଭାରତ ଓ ମଧ୍ୟପ୍ରାଚ୍ୟରୁ ହେଉଛି। କପାରୋ ସମୂହର ନିର୍ଦ୍ଦେଶକ ତାଙ୍କ ପୁଅ ଆକାଶ ପଲ ଅଛନ୍ତି। ୧୯୭୫ ମସିହାରେ ସ୍ୱରାଜ ପଲ ଭାରତ ଓ ବ୍ରିଟେନ ମଧ୍ୟରେ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡୋ-ବ୍ରିଟିଶ ଆସୋସିଏସନର ସ୍ଥାପନା କରିଥିଲେ। ସେ ଏହି ଆସୋସିଏସନର ନିଜେ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ୧୯୮୩ ମସିହାରେ ଭାରତ ସରକାର ପଲଙ୍କୁ ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନୀତ କରିଥିଲେ।
ପଲ ଜଲନ୍ଧରରେ ଜନ୍ମ ହୋଇଥିଲେ ଓ ଏହି ଠାରେ ହିଁ ସେ ବଡ଼ ହୋଇଥିଲେ। ତେବେ ତାଙ୍କ ସାନ ଝିଅ କ୍ୟାନସରରେ ପୀଡ଼ିତ ଥିଲେ, ତାଙ୍କର ଚିକିତ୍ସା ପାଇଁ ୧୯୬୦ ମସିହାରେ ପଲ ବ୍ରିଟେନ ଚାଲି ଯାଇଥିଲେ। ଚିକିତ୍ସା ସତ୍ତ୍ୱେ ତାଙ୍କ ଝିଅଙ୍କ ୪ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ଏଥି ପାଇଁ ସ୍ୱରାଜ ପଲ ତାଙ୍କ ଝିଅଙ୍କ ସ୍ମୃତିରେ ଅମ୍ବିକା ପଲ ଫାଉଣ୍ଡେସନର ସ୍ଥାପନା କରିଥିଲେ। ଏହି ଫାଉଣ୍ଡେସନ ମାଧ୍ୟମରେ ସ୍ୱରାଜ ପଲ ସାରା ବିଶ୍ୱରେ ପିଲା ଓ ଯୁବ କଲ୍ୟାଣ ନିମନ୍ତେ ଲକ୍ଷଲକ୍ଷ ଡଲାର ଦାନ କରିଛନ୍ତି।
ପଲ ତାଙ୍କ ଝିଅଙ୍କୁ ହରାଇବା ପରେ ୨୦୧୫ରେ ପୁଅ ଅଙ୍ଗଦ ଓ ୨୦୨୨ରେ ପତ୍ନୀ ଅଋଣାଙ୍କୁ ହରାଇଥିଲେ। ପରିବାର ପରିଜନଙ୍କୁ ହରାଇବା ପରେ ସେମାନଙ୍କ ନାମରେ ପଲ ଅନେକ ସଂସ୍ଥା ସ୍ଥାପନା କରି ଏହିସବୁ ସଂସ୍ଥାଙ୍କ ମାଧ୍ୟମରେ ଲୋକଙ୍କ କଲ୍ୟାଣ ପାଇଁ କାମ କରୁଥିଲେ।