ନୂଆଦିଲ୍ଲୀ: ଏପ୍ରିଲ ୨୨। ଭାରତର ଭୂସ୍ୱର୍ଗରେ ଆତଙ୍କୀ ଖେଳିଲେ ରକ୍ତର ହୋଲି। ପହଲଗାମ୍ ହମ୍ଲା ନେଲା ୨୬ ନୀରିହ ଜୀବନ । ଏସବୁ ପଛର ମାଷ୍ଟରମାଇଣ୍ଡ ଥିଲା ପାକିସ୍ତାନ। ଯିଏ କେବଳ ଆତଙ୍କବାଦୀଙ୍କୁ ଜନ୍ମ ଦେଇ ଭାରତ ବିରୋଧରେ ରଚିଚାଲିଛି ଷଡ଼ଯନ୍ତ୍ର। ଆତଙ୍କୀସ୍ତାନ ପାକିସ୍ତାନ ବିରୋଧରେ କେବଳ ଭାରତ ନୁହେଁ, ସାରା ବିଶ୍ୱରୁ ଉଠିଥିଲା ସ୍ୱର। ଅଥଚ ବ୍ୟତିକ୍ର ଥିଲା ଏକ ରାଷ୍ଟ୍ର। ଯାହାର ବିପଦରେ ଛିଡ଼ା ହୋଇଥିଲା ଭାରତ। ସେହି ଦେଶ ତୁର୍କୀ। ଯେତେବେଳେ ପହଲଗାମ୍ ନରସଂହାରକୁ ବିଶ୍ୱ ନେତା ସମୂହ ନିନ୍ଦା କରୁଥିଲେ, ସେହି ସମୟରେ ପାକିସ୍ତାନକୁ ସମର୍ଥନ କରିଥିଲା ତୁର୍କୀ। ବିପଦ ବେଳର ବନ୍ଧୁକୁ ଭୁଲି ଆତଙ୍କୀ ରାଷ୍ଟ୍ର ସହ ମିଳାଇଲା ହାତ ।
୨୦୨୩ ଫେବୃଆରୀ ୬ ତାରିଖ। ତୁର୍କୀ ସୀମାରେ ଆସିଥିଲା ଭୟଙ୍କର ଭୂକମ୍ପ। ବିପର୍ଯ୍ୟୟରେ ସବୁ କିଛି ହୋଇଯାଇଥିଲା ଛାରାଖାର। ଠିକ୍ ସେହି ସମୟରେ ତୁର୍କୀକୁ ମାନବୀୟ ସହାୟତା ପାଇଁ ଆଗେଇ ଆସିଥିଲା ଭାରତ। ଆରମ୍ଭ କରିଥିଲା ଅପରେସନ ଦୋସ୍ତ। ଭୂମିକମ୍ପର ମାତ୍ର ୧୨ ଘଣ୍ଟା ମଧ୍ୟରେ ୭ କୋଟି ଟଙ୍କାର ରିଲିଫ ପଠାଇଥିଲା ନୂଆଦିଲ୍ଲୀ। ଏପରିକି ଘଟଣାସ୍ଥଳକୁ ଉଦ୍ଧାରକାର୍ଯ୍ୟ ପାଇଁ ଭାରତରୁ ଯାଇଥିଲେ ୪୭ ଜଣିଆ NDRF ଟିମ୍। ଭାରତର ଏହି କାର୍ଯ୍ୟ ବିଶ୍ୱ ସମ୍ମୁଖରେ ଥିଲା ପ୍ରଶଂସନୀୟ। କେବଳ ସେତିକି ନୁହେଁ ଗତ କିଛି ବର୍ଷ ମଧ୍ୟରେ, ଭାରତ ଅନେକ ଅନ୍ତର୍ଜାତୀୟ ସ୍ତରରେ ତୁର୍କୀକୁ ସମର୍ଥନ କରିଛି। କିନ୍ତୁ ଏବେ ଭାରତ ବିରୋଧରେ ଛିଡ଼ା ହେଉଥିବା ଶକ୍ତିକୁ କାହିଁକି ସମର୍ଥନ କରୁଛି ତୁର୍କୀ? କିଛି ମାସ ନହେଉଣୁ କିପରି ଭାରତର ସହାୟତା ଭୁଲିଗଲା ଅଙ୍କାରା।
ଏଥିପାଇଁ ଆମକୁ ଓଲଟାଇବାକୁ ପଡ଼ିବ ଇତିହାସର ପୃଷ୍ଠା। ୧୯୪୮ ମସିହାରେ ସୃଷ୍ଟି ହୋଇଥିଲା ଭାରତ ଏବଂ ତୁର୍କୀ ମଧ୍ୟରେ କୂଟନୈତିକ ଫାଟ । ସେହି ସମୟରେ ଚାଲୁଥିଲା ଆମେରିକା ଏବଂ ରୁଷ ମଧ୍ୟରେ ଶୀତଳ ଯୁଦ୍ଧ। ଏଥିରେ ତୁର୍କୀ ଆମେରିକାକୁ ସମର୍ଥନ କରିଥିଲା। କିନ୍ତୁ ଭାରତ ଖୋଲାଖୋଲି ଋଷକୁ କରିଥିଲା ସମର୍ଥନ। ଅନ୍ୟପକ୍ଷରେ, ପାକିସ୍ତାନ ମଧ୍ୟ ଆମେରିକାର ହାତ ଧରିଥିଲା। ଏହି ଆଧାରରେ ଭିତରେ ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଲା।
ସେପଟେ ମୁସଲିମ୍ ଦେଶଗୁଡ଼ିକର ନେତା ହେବାକୁ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ ଏର୍ଦୋଗାନଙ୍କ ଇଚ୍ଛା। ସେ ମୁସଲିମମାନଙ୍କ ମାନବାଧିକାରର ଦମନ ବିରୁଦ୍ଧରେ ସ୍ୱର ଉଠାଇ ଆସୁଛନ୍ତି। ଗାଜା ଉପରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ପରେ ପାଲେଷ୍ଟାଇନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସାମଗ୍ରୀ ପଠାଉଛି ତୁର୍କୀ। ଆତଙ୍କବାଦକୁ ବିରୋଧ କରିବାକୁ ଯାଇ ଇସ୍ରାଏଲକୁ ସମର୍ଥନ ଜଣାଇଥିଲା ଭାରତ କିନ୍ତୁ ମୁସଲିମ ରାଷ୍ଟ୍ର ଦୃଷ୍ଟିରୁ ପାଲେଷ୍ଟାଇନକୁ ସମର୍ଥନ କରିଥିଲା ତୁର୍କୀ।
ଏହା ବ୍ୟତୀତ ୨୦୧୬-୧୭ରେ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ବିରୋଧରେ ଆରମ୍ଭ ହୋଇଥିଲା ବିଦ୍ରୋହ। ଏର୍ଦୋଗାନ ବିଶ୍ୱାସ କରୁଥିଲେ ଯେ ଏହି କାର୍ଯ୍ୟ ପରେ ଆମେରିକାରେ ରହୁଥିବା ତୁର୍କୀ ଧାର୍ମିକ ନେତା ଫେତୁଲ୍ଲାହ ଗୁଲାନଙ୍କ ସଂଗଠନର ଷଡ଼ଯନ୍ତ୍ର। ତୁର୍କୀରେ ଗୁଲାନଙ୍କର ଏକ ଦୃଢ଼ ପ୍ରଭାବ ଥିଲା। ଆଉ ଗୁଲାନଙ୍କୁ ବ୍ୟବହାର କରି ଆମେରିକୀୟ ଗୁଇନ୍ଦା ସଂସ୍ଥା-ସିଆଇଏ ତାଙ୍କୁ ହଟାଇବାକୁ ଚାହୁଁଥିବା ମନେକରୁଥିଲେ ଏର୍ଦୋଗାନ୍। ବିଦ୍ରୋହ ଦମନ କରିବା ପାଇଁ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ସେହି ସମୟରେ ଏର୍ଦୋଗାନ ସାରା ବିଶ୍ୱରେ ଗୁଲାନଙ୍କ ସଂଗଠନ ସହିତ ଜଡିତ ସ୍କୁଲ ଏବଂ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ଭାରତ ତାଙ୍କ କଥାକୁ କୌଣସି ଧ୍ୟାନ ଦେଇ ନଥିଲା। ସେବେଠାରୁ ଏର୍ଦୋଗାନ୍ ଖୋଲାଖୋଲି ଭାବରେ କାଶ୍ମୀର ପ୍ରସଙ୍ଗ ଉଠାଇବା ଆରମ୍ଭ କରିଥିଲେ।
ଅପରେସନ ସିନ୍ଦୂର ସମୟରେ ଧରାପଡିଛି ତୁର୍କୀର ଚାଲ୍। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିଲା ପାକିସ୍ତାନ। ଏହି ଡ୍ରୋନଗୁଡ଼ିକ ତୁର୍କୀ ନିର୍ମିତ 'ଆସିସଗାର୍ଡ ସୋଙ୍ଗାର' ମଡେଲ ଥିଲା। ଯାହା ସାଧାରଣତଃ ସଠିକ୍ ଟାର୍ଗେଟ୍ ପାଇଁ ବ୍ୟବହାର କରାଯାଏ। ଏହା ଦର୍ଶାଉଛି ଯେ ତୁର୍କୀ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ପାକିସ୍ତାନକୁ ସମର୍ଥନ କରୁଛି। ଏହାପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା। ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବୟକଟ୍ ତୁର୍କୀ ଟ୍ରେଣ୍ଡ୍।