ପାଟଣାଗଡ଼ ୧୮।୧୧: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ ସଦନ ଠାରେ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ପୁସ୍ତକ‘ପାର୍ସଲ ବମ୍ ଇନ୍ ଏ କୋର୍ଟ ରୁମ୍’ ଉନ୍ମୋଚିତ ହୋଇଯାଇଛି । କେସ୍ ଲଢ଼ୁଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ଘଟଣା ସହିତ କୋର୍ଟ ମଧ୍ୟରେ ଘଟୁଥିବା ସମସ୍ତ ଘଟଣା ଉପରେ ବିଷଦ ବିବରଣୀ ଦିଆଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିରର ବରିଷ୍ଠ ଓକିଲ ବାଳକୃଷ୍ଣ ନନ୍ଦ, ପାଟଣାଗଡ଼ର ବରିଷ୍ଠ ଡାକ୍ତର ଗିରିବର ଧାରୀ ପାଣିଗ୍ରାହୀ, କ୍ରିମିନାଲ କୋର୍ଟ ବାର୍ ଆସୋସିଏସନର ସଭାପତି ଦର୍ପଗଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ବାର୍ ଆସୋସିଏସନର ସଭାପତି ଇନ୍ଦୁଭୂଷଣ ଠାକୁର ଯୋଗ ଦେଇଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ବ୍ଲକ ଭଇଁଷା ଜ୍ୟୋତିବିକାଶ କଲେଜରୁ ଅଧକ୍ଷ ପଦ ପାଇଁ ପୁଞ୍ଜିଲାଲ ମେହେର ଓ ସଂଯୁକ୍ତା ସାହୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପାଟଣାଗଡ଼ର ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁଙ୍କ ପୁଅ ବାହାଘରକୁ ପାର୍ସଲ ବୋମା ପଠାଇଥିଲେ ପୁଞ୍ଜିଲାଲ । ଫେବୃଆରୀରେ ୧୮ରେ ବାହାଘର ସରିଯାଇଥିବା ବେଳେ ୨୩ ତାରିଖରେ ଉପହାର ଖୋଲିଲା ବେଳେ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ସୌମ୍ୟଶେଖର ଓ ତାଙ୍କ ସମ୍ପର୍କୀୟ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ।ଦୀର୍ଘଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିବା ବେଳେ ୨୦୦୦ପୃଷ୍ଠାର ଚାର୍ଜସିଟ୍କୋର୍ଟରେ ଦାଖଲ କରିଥିଲେ । ସମସ୍ତ ଦିଗକୁ ଦୃଷ୍ଟି ରଖି ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ଗତ ୨୮/୦୫/୨୦୨୫ରେ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ରାୟ ଶୁଣାଇଥିଲେ ।
