ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଋଣ ଆକାଉଣ୍ଟକୁ ଫ୍ରଡ୍‌ ଘୋଷଣା କରିବା ନେଇ ଏସ୍‌ବିଆଇର ନିଷ୍ପତ୍ତି ବିରୋଧରେ ଅନୀଲ ଅମ୍ବାନୀ ଦାୟର କରିଥିବା ଆବେଦନକୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ରେବତୀ ମୋହିତେ ଡେରେ ଏବଂ ନୀଲା ଗୋଖଲେଙ୍କ ଏକ ଖଣ୍ଡପୀଠ ଅମ୍ବାନୀଙ୍କ ପ୍ରକ୍ରିୟାଗତ ଅନ୍ୟାୟର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହିତ SBIର କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି।

ଜୁନ୍ ୨୦୨୫ରେ ଏସବିଆଇ ରିଲାଏନ୍ସ କମ୍ୟୁନିକେସନ୍ସ (RCom) ଏବଂ ଏହାର ପ୍ରମୋଟର ଅନିଲ ଅମ୍ବାନୀଙ୍କ ଋଣ ଆକାଉଣ୍ଟଗୁଡ଼ିକୁ ଫ୍ରଡ୍ ବୋଲି ଟ୍ୟାଗ୍ ଦେଇଥିଲା। ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର, ଚୁକ୍ତିନାମା ଉଲ୍ଲଂଘନ ଏବଂ ସମ୍ବନ୍ଧିତ-ପକ୍ଷ କାରବାରକୁ ଉଲ୍ଲେଖ କରି ଏସ୍‌ବିଆଇ ଏହି ପଦକ୍ଷେପ ନେଇଥିଲା। ଏନେଇ ଏସ୍‌ବିଆଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)କୁ ଜଣାଇବା ସହିତ ସିବିଆଇକୁ ଜଣାଇବାକୁ ଚେଷ୍ଟା କରିଥିଲା।

ଅମ୍ବାନୀ ଏସ୍‌ବିଆଇର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଏବଂ କହିଥିଲେ ଯେ ସେ କେବଳ ଜଣେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ତାଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି।ସେ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ ତାଙ୍କ ପକ୍ଷ ଉପସ୍ଥାପନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ତାଙ୍କୁ ଦିଆଯାଇ ନାହିଁ। ତେବେ ଶୁଣାଣି କରୁଥିବା ହାଇକୋର୍ଟ ଜାଣିବାକୁ ପାଇଥିଲେ ଯେ ଏସବିଆଇ ଜାଲିଆତି ବର୍ଗୀକରଣ ଉପରେ ଆରବିଆଇର ଜୁଲାଇ ୨୦୨୪ ମାଷ୍ଟର ନିର୍ଦ୍ଦେଶାବଳୀ ପାଳନ କରିଛି। ତେଣୁ ସେ ଅନୀଲ ଅମ୍ବାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ସୂଚନା ଥାଉକି ଏହି ସମାନ ଖଣ୍ଡପୀଠ ପୂର୍ବରୁ ଆରବିଆଇର ମାଷ୍ଟର ସର୍କୁଲାରର ପାଳନ ନକରିବା ଦର୍ଶାଇ କାନାରା ବ୍ୟାଙ୍କ ଦ୍ୱାରା ଅମ୍ବାନୀଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ସମାନ ଆଦେଶକୁ ସ୍ଥଗିତ ରଖିଥିଲେ। ଆରବିଆଇର ଏହି ସର୍କୁଲାର ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଋଣଗ୍ରହୀତାଙ୍କ ଆକାଉଣ୍ଟକୁ ଠକ ବୋଲି ବର୍ଗୀକୃତ କରିବା ପୂର୍ବରୁ ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଶୁଣିବାକୁ ବାଧ୍ୟ। ତେବେ ଜୁଲାଇ ୨୦୨୫ରେ, କାନାରା  ବ୍ୟାଙ୍କ କୋର୍ଟକୁ ଜଣାଇଥିଲା ଯେ ସେ ଏହା ଠକେଇ ବର୍ଗୀକରଣ ପ୍ରତ୍ୟାହାର କରିନେଇଛି। ଏହାପରେ ମାମଲାଟି ସମାଧାନ ହୋଇଥିଲା

ଅମ୍ବାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଠକେଇ ବର୍ଗୀକରଣ ବିରୁଦ୍ଧରେ ମଧ୍ୟ ଆବେଦନ କରିଥିଲେ। ହେଲେ ସମାନ ଖଣ୍ଡପୀଠ ସ୍ଥଗିତାଦେଶ ପ୍ରତ୍ୟାଖ୍ୟାନ କରିବା ସହିତ ଅମ୍ବାନୀଙ୍କୁ ଆରବିଆଇ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।