ମୁମ୍ବାଇ: ନିକଟରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ୍‌ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ ଗରୁତର ଅସୁସ୍ଥ ଥିବା ନେଇ ଖବର ମିଳିଛି ।  ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୂରା ପରିବାର ବର୍ତ୍ତମାନ ତାଙ୍କ ସହିତ ହସ୍ପିଟାଲରେ ଅଛନ୍ତି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସହ ଲଢ଼ୁଛନ୍ତି। ଏମିତି ମଧ୍ୟ କୁହାଯାଉଛି ଯେ, ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡସେମ୍ବର ୮ରେ ଧର୍ମେନ୍ଦ୍ରଙ୍କୁ ୯୦ ବର୍ଷ ହେବ । 

ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା କୁହାଯାଉଛି । ବଲିଉଡ୍‌ର ହି-ମ୍ୟାନ୍‌ ଧର୍ମେନ୍ଦ୍ର  ସାଢ଼େ ୬ ଦଶନ୍ଧୀ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସିଛନ୍ତି। ତାଙ୍କର ଦୀର୍ଘ କ୍ୟାରିୟରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ନିଜର  ଆଗାମୀ ଚଳଚ୍ଚିତ୍ର ‘ଇକ୍କିସ’(୨୧) ପାଇଁ ଚର୍ଚ୍ଚାରେ ଅଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦ ମଧ୍ୟ ଅଭିନୟ କରିଛନ୍ତି। ଅଗସ୍ତ୍ୟା ଅରୁଣ ଖେତ୍ରପାଳଙ୍କ ଭୂମିକାରେ ଅଭିନୟ କରିବେ । ଯିଏ ୧୯୭୧ ଭାରତ-ପାକ୍ ଯୁଦ୍ଧରେ ତାଙ୍କ ସାହସିକତା ପାଇଁ ମରଣୋତ୍ତର ପରମ ବୀର ଚକ୍ରରେ ସମ୍ମାନିତ ହୋଇଥିଲେ । 

ଏହି ଫିଲ୍ମଟି ଡିସେମ୍ବର ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଯୋଜକ ଅଛନ୍ତି ଦିନେଶ ବିଜାନ ଏବଂ ବିନି ପାଡ୍ଡା ।  ଏହା ଅଗସ୍ତ୍ୟାଙ୍କ ସିଲଭର ସ୍କ୍ରିନ ଡେବ୍ୟୁ । ସେ ପୂର୍ବରୁ ୨୦୨୩ ଫିଲ୍ମ ‘ଆର୍ଚିଜ୍’ ରେ ନଜର ଆସିଥିଲେ ।  ଫିଲ୍ମଟି OTT ପ୍ଲାଟଫର୍ମ Netflixରେ ମୁକ୍ତିଲାଭ କରିଥିଲା।  ଧର୍ମେନ୍ଦ୍ର, ଅରୁଣ ଖେତ୍ରପାଳଙ୍କ ପିତା ଏମ ଖେତ୍ରପାଳଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଜୟଦୀପ ଅହଲୱାଟ ଏବଂ ସିକନ୍ଦର ଖେର ଭଳି ଷ୍ଟାର ମଧ୍ୟ ନଜର ଆସିବେ। ଧର୍ମେନ୍ଦ୍ରଙ୍କୁ ଶେଷ ଥର ପାଇଁ ୨୦୨୪ ଚଳଚ୍ଚିତ୍ର ‘ତେରି ବାତୋ ମେଁ ଐସେ ଉଲଝା ଜିଆ’ରେ ଦେଖିବାକୁ ମିଳିଥିଲା ।