ବଡ଼ବିଲ ଖଣି ଅଞ୍ଚଳରେ କୃଷିଭିତ୍ତିକ ଜୀବିକାକୁ ସୁଦୃଢ଼ କରୁଛି OMC, ଚାଷୀଙ୍କୁ ଆଳୁ ଚାଷ ପାଇଁ କରାଯାଉଛି ପ୍ରୋତ୍ସାହିତ

NEWS7
bolangir-bhimobhoi-medical-issue

ବଡ଼ବିଲ: ଖଣି ପରିଧି ଅଞ୍ଚଳରେ ରହୁଥିବା ସ୍ଥାୟୀ ସମ୍ପ୍ରଦାୟଗୁଡ଼ିକର ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ଓଡ଼ିଶା ମାଇନିଂ କର୍ପୋରେସନ (OMC)। ଏଥିପାଇଁ ଓଏମସି ପକ୍ଷରୁ କେନ୍ଦୁଝର ବଡ଼ବିଲର ଦୁବନା-ସେକରାଡିହି ଲୁହା ଏବଂ ମାଙ୍ଗାନିଜ୍ ଖଣିର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ଚାଷୀଙ୍କୁ ରବିଋତୁ ଆଳୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି।ଏହିକ୍ରମରେ କୃଷିଭିତ୍ତିକ ଜୀବିକାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୨୦୨୫ରେ ଡିସେମ୍ବରରେ OMC, ପଢ଼ାପୋଖରୀ, ବସନ୍ତପୁର, ପୁରୁଣାଡିହି, ହାଣ୍ଡିଭଙ୍ଗା, କଟୁପାଲି ଏବଂ ଦୁବନା ଗ୍ରାମର ୩୦୦ ଜଣ ଚାଷୀଙ୍କୁ ୧୩୦ କ୍ୱିଣ୍ଟାଲ ଉନ୍ନତ ପ୍ରକାରର ଆଳୁ ବିହନ ବଣ୍ଟନ କରିଥିଲା। ଫସଲର ଅମଳ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହେବାର ଆଶା କରାଯାଉଛି।

ଏହା ସହ ଚାଷୀଙ୍କୁ ବିହନ ବଣ୍ଟନ ବ୍ୟତୀତ, ବୈଜ୍ଞାନିକ ପଦ୍ଧତିରେ ଚାଷ ଏବଂ ଉନ୍ନତ ଅମଳ ପାଇଁ ସହାୟକ କୃଷି ଅଧିକାରୀଙ୍କ ସହ ସମନ୍ୱୟ ମାଧ୍ୟମରେ ବୈଷୟିକ ମାର୍ଗଦର୍ଶନ ମଧ୍ୟ ଦିଆଯାଉଛି। ଫଳରେ ଏହି ସହାୟତା ପାଇ ଚାଷୀମାନେ ନିଜ ଜମିରେ ଚାଷ କରିବାକୁ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କର ଆୟ ସମ୍ଭାବନା ସୁଦୃଢ଼ ହୋଇଛି ଏବଂ ନୂଆ ଚାଷ ପାଇଁ ମଧ୍ୟ ସେମାନେ ଏବେ ଉତ୍ସାହିତ। ଖଣି ଅଞ୍ଚଳରେ କୃଷି କାର୍ଯ୍ୟ ଧୀରେ ଧୀରେ ହ୍ରାସ ପାଉଥିବାବେଳେ, ଏହି ଗାଁଗୁଡ଼ିକରେ ବଡ଼ ଆକାରରେ ଆଳୁ ଚାଷ କରିବା ଦ୍ବାରା ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ ସହ ସମ୍ପ୍ରଦାୟର ସ୍ଥାୟୀତ୍ବର ଏକ ଦୃଢ଼ ଉଦାହରଣ ଭାବରେ ଠିଆ ହୋଇଛି।

ସୂଚନାଥାଉକି, ପୂର୍ବରୁ କୃଷି ପାଇଁ ଜଳସେଚନ ସୁବିଧା ସୁନିଶ୍ଚିତ କରିବା ପାଇଁ OMC ଏହି ଗାଁଗୁଡ଼ିକରେ ଚାରୋଟି ଚେକ୍ ଡ୍ୟାମ୍ ନିର୍ମାଣ କରିଥିଲା। ଏହି ଭିତ୍ତିଭୂମି ନିର୍ମାଣ ଦ୍ବାରା ସଂସ୍ଥା ଆଳୁ ଚାଷକୁ ପ୍ରୋତ୍ସାହିତ କରୁଛି। କେବଳ ଆଳୁ ହିଁ ନୁହେଁ, ଗହମ ଏବଂ ସୂର୍ଯ୍ୟମୁଖୀ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହନ ଦେଉଛି। ଯେପରି ଏହି ଅଞ୍ଚଳରେ ଫସଲ ବିବିଧତା ଆସିପାରିବ।ଆଉ ଏହିପରି ନିରନ୍ତର ପଦକ୍ଷେପ ମାଧ୍ୟମରେ, OMC ସ୍ଥାୟୀ ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରି ଏବଂ ଏହାର କାର୍ଯ୍ୟକ୍ଷମ କ୍ଷେତ୍ରରେ ସ୍ଥାୟୀ ଜୀବିକାକୁ ସୁଦୃଢ଼ କରି ଦାୟିତ୍ୱପୂର୍ଣ୍ଣ ଖଣିର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇ ଚାଲିଛି।