ବେଙ୍ଗାଲୁରୁ ୨୩।୩: ଆମେରିକୀୟ ବିମାନ ନିର୍ମାତା ବୋଇଂ ବେଙ୍ଗାଲୁରୁ ଇଞ୍ଜିନିୟରିଂ ଟକ୍ନୋଲଜି ସେଣ୍ଟରରୁ ୧୮୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ନିଜର ଗ୍ଲୋବାଲ ୱାର୍କଫୋର୍ସ ହ୍ରାସ ଯୋଜନାରେ କମ୍ପାନୀ ଭାରତରେ ଏହି ପଦକ୍ଷେପ ଗ୍ରହଣ କରିଛି। ବୋଇଂ ସାରା ବିଶ୍ୱରେ ଥିବା କାର୍ଯ୍ୟାଳୟମାନଙ୍କରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁଛି। ଭାରତରେ ବୋଇଂ ପ୍ରାୟ ୭ହଜାର କର୍ମଚାରୀ ରଖିଛି। କୁହାଯାଉଛି ବୋଇଂ ଏବେ ବୈଶ୍ୱିକ ସ୍ତରରେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କମ୍ପାନୀ ଗତବର୍ଷ ତା ୱାର୍କଫୋର୍ସରୁ ୧୦% କର୍ମଚାରୀ କମାଇବ ବୋଲି ଘୋଷଣା କରିଥିଲା।
ତେବେ ନିକଟରେ ହୋଇଥିବା ଛଟେଇକୁ ନେଇ କମ୍ପାନୀ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କମ୍ପାନୀର ଷ୍ଟ୍ରାଟେଜିକ ଆଡଜଷ୍ଟମେଣ୍ଟରେ କିଛି ପଦ ନିଶ୍ଚିତ ରୂପେ ପ୍ରଭାବିତ ହୋଇଛି, ତେବେ ଏହା ଦ୍ୱାରା ଗ୍ରାହକ ଅଥବା ସରକାରୀ ପରିଚାଳନାରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି। କମ୍ପାନୀ କହିଛି ଯେ କିଛି ପୂରୁଣା ଭୂମିକା ସମାପ୍ତ କରାଯାଇଥିବା ବେଳେ କିଛି ନୂଆ ଭୂମିକା ମଧ୍ୟ ସୃଜନ କରାଯାଇଛି।
ତେବେ ଭାରତରେ ଗ୍ରାହକସେବା, କ୍ୱାଲିଟି ଷ୍ଟାଣ୍ଡାର୍ଡ ଉପରେ ଫୋକସ କରି କମ୍ପାନୀ ସନ୍ତୁଳିତ ଉପାୟରେ କର୍ମଚାରୀ ଛଟେଇ କରିଛି। ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁ ଓ ଚେନ୍ନାଇରେ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ସେଣ୍ଟର ଆଡଭାନ୍ସ ଏରୋସ୍ପେସ୍ କାମ ହେଉଛି। ଏଥି ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ବୋଇଂକୁ ଆମେରିକା ବାୟୁସେନା ନିମନ୍ତେ ଅତ୍ୟାଧୁନିକ ଯୁଦ୍ଧବିମାନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଦେଇଛନ୍ତି। ଏଣୁ କମ୍ପାନୀର ସେୟାର ମୂଲ୍ୟ ଅଚାନକ ବୃଦ୍ଧି ହୋଇଛି।
ନେକ୍ସଟ ଜେନେରେସନ ଏୟାର ଡୋମିନେନ୍ସ (ଏନଜିଏଡି) କାର୍ଯ୍ୟକ୍ରମରେ ଆମେରିକା ବାୟୁସେନା ନିମନ୍ତେ ନିର୍ମାଣ ହେବାକୁ ଥିବା ଷଷ୍ଠ ପିଢୀର ଏହି ଫାଇଟର ଜେଟ୍ ଏଫ-୪୭ ନାମରେ ଜଣାଯିବ, ଯାହା ପଞ୍ଚମ ପିଢୀର ଏଫ-୨୨ ରାଫ୍ଟରର ସ୍ଥାନ ନେବ।