ଆରେ ! ଡିକେ, ଡିକେ କିଏ ଚିଲାଉଛି ? ଶିବକୁମାରଙ୍କ ସମର୍ଥକଙ୍କ ନାରା ଶୁଣି ରାଗିଗଲେ ସିଏମ୍ ସିଦ୍ଦରମୈୟା

NEWS7
bmp-house-owner-arrest-during-misbehave-of-renter

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ରାଲିରେ ହଠାତ ରାଗି ଗଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ସେ ମଞ୍ଚ ଉପରେ ଭାଷଣ ଦେବାକୁ ଉଠିବା ମାତ୍ରେ କିଛି ଯୁବ କଂଗ୍ରେସ ନେତା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ସିଦ୍ଦରମୈୟା ତାଙ୍କ ଚୌକିରୁ ଉଠି ମଞ୍ଚ ଆଡ଼କୁ ଯିବା ମାତ୍ରେ କିଛି କର୍ମୀ "ଡିକେ, ଡିକେ" ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ଶୁଣି ମୁଖ୍ୟମନ୍ତ୍ରୀ ବିଚଳିତ ହୋଇପଡ଼ିଥିଲେ । ସେ ଲୋକଙ୍କୁ ନିରବ ରହିବାକୁ କହିଥିଲେ, କିନ୍ତୁ କେହି ଶୁଣିନଥିଲେ । ସିଦ୍ଦରମୈୟା ରାଗରେ ପଚାରିଥିଲେ, ‘ଆରେ ! 'ଡିକେ, ଡିକେ' ସ୍ଲୋଗାନ କିଏ ଦେଉଛି ?’

ପରିସ୍ଥିତି ଖରାପ ହେଉଥିବା ଦେଖି, କାର୍ଯ୍ୟକ୍ରମର ଆବାହକଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ସେ ମଞ୍ଚ ଉପରୁ ଯୁବ କଂଗ୍ରେସ ନେତାମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ପାଟି କରନ୍ତୁ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ କଥା ଧ୍ୟାନ ଦେଇ ଶୁଣନ୍ତୁ। ସେ କହିଥିଲେ, ‘ଯୁବ କଂଗ୍ରେସ ନେତାମାନେ, ଦୟାକରି ଚୁପ୍ ରୁହନ୍ତୁ। ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆମେ ଜାଣୁ ତୁମେ କିଏ। ମୁଖ୍ୟମନ୍ତ୍ରୀଙ୍କ କଥା ନୀରବରେ ଶୁଣ।’

ସିଦ୍ଦରମୈୟା ତାଙ୍କ ଭାଷଣ ଆରମ୍ଭ କରିବା ପରେ ମଧ୍ୟ ସ୍ଲୋଗାନ ଜାରି ରହିଥିଲା । ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲେ ମୁଖ୍ୟମନ୍ତ୍ରୀ । ସିଦ୍ଦରମୈୟାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସିଂହ ସୁରଜେୱାଲା, ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମନରେଗାକୁ ଏକ ନୂତନ ଗ୍ରାମୀଣ ନିଯୁକ୍ତି ଯୋଜନାରେ ବଦଳାଇବାକୁ ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିରୋଧରେ ଏହି ପ୍ରତିବାଦ ସଭା ଆୟୋଜନ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ସାମ୍ନାକୁ ଆସୁଛି। କିଛି ଦଳୀୟ ବିଧାୟକ ଏବଂ ଏମଏଲସି ଖୋଲାଖୋଲି ଭାବରେ ଶିବକୁମାରଙ୍କୁ ସମର୍ଥନ କରୁଛନ୍ତି। ତଥାପି, ଉଭୟ ନେତା ବାରମ୍ବାର କହିଛନ୍ତି ଯେ, ସେମାନେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ପାଳନ କରିବେ। ସିଦ୍ଦରମୈୟା ବିଶ୍ୱାସ କରୁଛନ୍ତି, ତାଙ୍କର ନେତୃତ୍ୱକୁ ପୂର୍ଣ୍ଣ ସମର୍ଥନ ରହିଛି ଏବଂ ସେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିବେ।