ପରୀକ୍ଷା ପୂର୍ବରୁ ଭାଙ୍ଗିଗଲା ପୁଅର ଗୋଡ, କାନ୍ଧରେ ଦୁଇ କିଲୋମିଟର ବୋହି ଦୌଡ଼ିଲେ ବାପା

NEWS7
bmc-to-provide-rs-5-lakh-assistance-to-sahadevs-family

ହଜାରିବାଗ୍ ୧୨/୦୨: ଆଶାର ଆକାଶ, ସାହସର ସମୂଦ୍ର । ତ୍ୟାଗ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ । ମା ଯଦି କୁ଼ିଆ ହୁଏ ତେବେ ବାପା ହେଉଛି ଝଡ଼ବର୍ଷା ସହୁଥିବା ଛାତ । ସେଥିପାଇଁ ତ'ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ' । ଅର୍ଥାତ, ପିତାଙ୍କୁ ସ୍ନେହ, ଭକ୍ତି ଓ ଯର୍ଥାତ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ଖୁବ ସନ୍ତୁଷ୍ଟ ହୋଇଥାଆନ୍ତି ।

ପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ । ବାପାର ଋଣ ଶୁଝିବା ପ୍ରତିଟି ସନ୍ତାନ ପକ୍ଷେ କମ୍ । ପୌରାଣିକ ଯୁଗରେ ଶ୍ରାବଣ କୁମାର ବାପା ମାଆଙ୍କ ଋଣ ସୁଝିବାକୁ ସୃଷ୍ଟି କରିଥିଲେ ଉଦାହରଣ । ତେବେ ଏଠି କିନ୍ତୁ ଚିତ୍ର ଟିକେ ଅଲଗା । ପୁଅ ପାଇଁ ବାପା ସାଜିଛନ୍ତି ଶ୍ରାବଣ କୁମାର । କାନ୍ଧେଇ ନେଇଛନ୍ତି ପୁଅକୁ ପରୀକ୍ଷା ଦେବାକୁ । କାରଣ ପୁଅ ଚାଲିବାକୁ ଥିଲା ଅକ୍ଷମ । ସେଥିପାଇ ଅଣ୍ଟା ଭିଡିଲା ବାପା । ଘଟଣା ଘଟିଛି ଝାଡ଼ଖଣ୍ଡର ହଜାରିବାଗରେ ।

କେରେଡାରି ବ୍ଲକର ପ୍ଲସ୍ ଟୁ ସ୍କୁଲ୍ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ଭାବପ୍ରବଣ ଦୃଶ୍ୟ । ଯାହା ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ଜଣେ ବାପା ତାଙ୍କ ଆହତ ପୁଅକୁ କାନ୍ଧରେ ବୋହି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଲକ୍ଷ୍ୟ ଥିଲା ଯେ ପୁଅର ଭବିଷ୍ୟତ ଯେମିତି ଅନ୍ଧାର ନହୁଏ ।ବେଲଟୁ ଗାଁର ବାସିନ୍ଦା ରାମବୃକ୍ଷ ସାଓଙ୍କ ପୁଅ ଓମ୍ ପ୍ରକାଶ କୁମାର । ଓମ୍ ପ୍ରକାଶ ଏବେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ଶନିବାର ଦିନ, ପରୀକ୍ଷା ପରେ ଘରକୁ ଫେରୁଥିବା ସମୟରେ ଘଟିଥିଲା ଅଘଟଣ ।

also read..

ରକ୍ତ ସମ୍ପର୍କକୁ ଭାଙ୍ଗି ପାରିଲାନି ମଣିଷ କରିଥିବା ସୀମା, ବାଂଲାଦେଶୀ ଭାଇକୁ କିଡନୀ ଦାନ କଲେ ଭାରତୀୟ ଭଉଣୀ

ଫେରିବା ବାଟରେ ଧକ୍କା ଦେଇଥିଲା ଦ୍ରୁତଗାମୀ ବାଇକ୍ । ସ୍ଥିତି ଏମିତି ହୋଇଥିଲା ଯେ, ତାଙ୍କ ବାମ ଗୋଡ଼ ଗୁରୁତର ଭାବରେ ଭାଙ୍ଗି ଯାଇଥିଲା।ପରେ ଏସବୁ ଦେଖି ଚିନ୍ତାରେ ପଡ଼ିଥିଲେ ପରିବାର । ମନରେ ଥିଲା ଅନେକ ଦ୍ୱନ୍ଦ୍ୱ । କିନ୍ତୁ ବାପା ରାମବୃକ୍ଷ ସାଓ ତାଙ୍କ ପୁଅର ପାଠପଢ଼ା ଓ ପରୀକ୍ଷାକୁ ଯେକୌଣସି ମୂଲ୍ୟରେ ବାଧାପ୍ରାପ୍ତ ହେବାକୁ ନଦେବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ । ସୋମବାର ଦିନ ବିଜ୍ଞାନ ପରୀକ୍ଷା ହେବାର ଥିଲା । ତାଙ୍କ ପୁଅ ଚାଲିପାରୁ ନଥିଲେ । ବାପା ସାଜିଥିଲେ ସୁପର ଫାଦର ।

ରାମବୃକ୍ଷ ସାଓ ତାଙ୍କୁ କାନ୍ଧରେ ବୋହି ପରୀକ୍ଷା କେନ୍ଦ୍ରକୁ ପ୍ରାୟ ଦୁଇ କିଲୋମିଟର ଚାଲି ଚାଲି ଯାଇଥିଲେ ।ଅବିଶ୍ରାନ୍ତ ଭାବେ ନଜି ପୁଅକୁ କାନ୍ଧରେ ବୋହି ଦୌଡିଥିଲେ । ଟିକିଏ ହେଲେ ବି ଅକ୍ଲାନ୍ତ ଅନୁଭବ କରିନଥିଲେ । ଯେପରି କେବଳ ତାଙ୍କ ପୁଅକୁ ନୁହେଁ ବରଂ ତାଙ୍କ ସ୍ୱପ୍ନକୁ ମଧ୍ୟ କାନ୍ଧରେ ବୋହିଥିଲେ। ଆଉ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଥିବା ଶିକ୍ଷକ, ଛାତ୍ର ଏବଂ ଅଭିଭାବକମାନେ ଏହି ଦୃଶ୍ୟ ଦେଖି ଭାବପ୍ରବଣ ହୋଇଯାଇଥିଲେ ।

ସମସ୍ତେ ପିତାଙ୍କ ତ୍ୟାଗ, ଧୈର୍ଯ୍ୟ ଓ ଆଗ୍ରହକୁ ପ୍ରଶଂସା କରିଥିଲେ । କହିଥିଲେ ଯେ ଏହା କେବଳ ଜଣେ ପିତାଙ୍କ କର୍ତ୍ତବ୍ୟ ନୁହେଁ, ବରଂ ତାଙ୍କ ପିଲାର ଭବିଷ୍ୟତ ପାଇଁ ଏକ ଅସାଧାରଣ ସଂଘର୍ଷ । ରାମବୃକ୍ଷ ସାଓଙ୍କ କାହାଣୀ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ଏହି ଘଟଣା ପ୍ରମାଣ କରେ ଯେ ପ୍ରକୃତ ପ୍ରେମ, ତ୍ୟାଗ ଏବଂ ସାହସ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ ସ୍ୱପ୍ନକୁ ଭାଙ୍ଗି ପାରେନି ।

also read...

ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି: ମୁଁ ସବୁବେଳେ ତୁମ ସହ ରହିବି, ସାଥୀ ହୋଇ ଚାଲିବି...