ଶିଳ୍ପ ପାଇଁ ଡବଲ୍ ଇଞ୍ଜିନ ସରକାରରେ ଭରସା ବଢ଼ିଛି : ବିଭୂ ତରାଇ

Published By : Prameya-News7 Bureau | October 30, 2024 IST

ଭୁବନେଶ୍ବର ୩୦।୧୦: ଓଡ଼ିଶାକୁ ପୋସ୍କୋ ପୁଣି ଫେରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ବିଭୂ ପ୍ରସାଦ ତରାଇ । ସେ କହିଛନ୍ତି, ପୋସ୍କୋ ଆସିଲେ ସ୍ବାଗତ କରିବୁ । କେବଳ ବିରୋଧ ପାଇଁ ଓଡ଼ିଶା ଛାଡ଼ିନଥିଲା ପୋସ୍କୋ । ଅନ୍ତର୍ଜାତୀୟ ବଜାରରେ ଚାହିଦା କମିବାରୁ ଓହରିଥିଲା । ଏବେ ଆସିଲେ ସ୍ବାଗତ କରିବୁ, ସହାୟତା ଦିଆଯିବ । ଆଉ ଜମି ଅଧିଗ୍ରହଣ ସମସ୍ୟା ନାହିଁ । ଶିଳ୍ପ ପାଇଁ ଡବଲ ଇଞ୍ଜିନ ସରକାରରେ ଭରସା ବଢ଼ିଛି ।

ସୂଚନାଯୋଗ୍ୟ ଯେ, ୧୨୦୦ କୋଟି ଡଲାର ନିବେଶରେ ଓଡ଼ିଶାରେ ଏକ ୧୦ ଏମ୍‌ଟିପିଏ କ୍ଷମତାଯୁକ୍ତ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ୨୦୦୫ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ବିଭିନ୍ନ ମଞ୍ଜୁରୀ ମିଳିବାରେ ବିଳମ୍ବ ହେତୁ କମ୍ପାନୀ ଏହି ପ୍ରକଳ୍ପରୁ ଓହରିଯାଇଥିଲା । ପରେ ପୋସ୍କୋ ଅଧିଗ୍ରହଣ କରିଥିବା ୨,୯୦୦ ଏକର ଜମିକୁ ରାଜ୍ୟ ସରକାର ଜେଏସ୍‌ଡବ୍ଲ୍ୟୁ ଷ୍ଟିଲକୁ ଏହାର ପ୍ରସ୍ତାବିତ ୧୦ ଏମ୍‌ଟିପିଏ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଦାନ କରିଥିଲେ । 

ଦୀର୍ଘ ୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଦୁଇ କମ୍ପାନୀ ଏକତ୍ର ହୋଇ ଭାରତରେ ଏକ ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବେ । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍‌ ରହିବ । ଯଦିଓ ପ୍ଲାଣ୍ଟ କେଉଁଠି ସ୍ଥାପନ ହେବ ସେଥିପାଇଁ ଉଭୟ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ଏହା ଓଡ଼ିଶାରେ ହୋଇପାରେ ବୋଲି ଅନୁମାନ କରାଯାଉଛି । ନିବେଶ ରାଶିର ଅଧା ଲେଖାଏଁ ଯୋଗଦାନ ଦେବାକୁ ଉଭୟ କମ୍ପାନୀ ଯୋଜନା ରଖିଥିବା ଜଣାପଡ଼ିଛି । ଏମ୍‌ଓୟୁ ମୁତାବକ ଉଭୟ କମ୍ପାନୀ ଷ୍ଟିଲ୍‌, ବ୍ୟାଟେରି ଉପକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । 

You Can Read:

ବସ୍ ଭିତରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.