ସଚିବାଳୟ ଘେରାଉ କରିବ ବିଜେଡି, କର୍ମଚାରୀମାନଙ୍କ ପାଇଁ ଗାଇଡଲାଇନ୍

Published By : Prameya-News7 Bureau | July 16, 2025 IST

ଭୁବନେଶ୍ୱର ୧୬/୦୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାର ପ୍ରତିବାଦରେ ବିଜେଡି ଆଜି ସଚିବାଳୟ/ଲୋକସେବା ଭବନ ଘେରାଉ କରିବାକୁ ଘୋଷଣା କରିଛି । ବିଜେଡିର ଏହି ପ୍ରସ୍ତାବିତ ଘେରାଉକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍‌ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।

ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ମାମଲାରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି । କଂଗ୍ରେସ ସମେତ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍‌ଏଲ) ଲିବେରେସନ୍‌, ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌, ଏନ୍‌ସିପି, ସମାଜବାଦୀ ପାର୍ଟି, ଆର୍‌ଜେଡି ପ୍ରମୁଖ ୮ଟି ଦଳ ଏହି ବନ୍ଦ ଡ଼ାକରା ଦେଇଛନ୍ତି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ଗାଡ଼ି, ମୋଟର ଚଳାଚଳ ମଧ୍ୟ ବନ୍ଦ ରହିବ । 

ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବିଚାର ବିଭାଗୀୟ ତଦନ୍ତ ଦାବି ତେଜିଛି ବିଜେଡି । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବୁଧବାର ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା ସହ ଲୋକସେବା ଭବନ ଘେରିବାକୁ ବିଜେଡି ନିଷ୍ପତ୍ତି ନେଇଛି । ଦାବି ପୂରଣ ନ ହେବା ଯାଏଁ ରାଜ୍ୟବ୍ୟାପୀ ବିଭିନ୍ନ କଲେଜରେ ଧର୍ମଘଟ, ବିକ୍ଷୋଭ ଜାରି ରଖିବାକୁ ବିଜେଡି ଚେତାବନୀ ଦେଇଛି । 

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀ କହିଛନ୍ତି, ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଜଣକ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମାତ୍ର ରାଜ୍ୟ ସରକାର ଅଣଦେଖା କରିବାରୁ ଏପରି ଅଭାବନୀୟ କାଣ୍ଡ ଘଟିଲା । 

ସକାଳ ୧୦ଟାରୁ ଲୋକସେବା ଭବନ ଘେରାଉ କରିବ ବିଜେଡି । ନ୍ୟାୟ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ବିଜେଡି କର୍ମକର୍ତ୍ତାମାନେ ମହମବତୀ ରାଲି କରିଥିଲେ । ରାଜ୍ୟବ୍ୟାପୀ ବିଜେଡି କର୍ମୀ ଓ ଛାମୁଆ ସଂଗଠନ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଭବନରେ ମିଳିତ ବିରୋଧୀ ଦଳର ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛି ମିଳିତ ବିରୋଧୀ ଦଳ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.