ଭଦ୍ରକ ୧୧।୦୮ : ବାଲେଶ୍ୱର ଜିଲ୍ଲା ଅନ୍ତରା ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ପୂର୍ବାଞ୍ଚଳ ଡିଆଇଜି । ପୂର୍ବାଞ୍ଚଲ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଭଦ୍ରକ ମେଡିକାଲରେ ପହଞ୍ଚି ପୀଡିତାଙ୍କୁ ଭେଟିଛନ୍ତି । ପରେ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା ସରିଛି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଡିଆଇଜି । ଘଟଣା ପରେ ଅଭିଯୁକ୍ତକୁ ଗିରଫ କରି କେସ୍ କରାଯାଇଛି । ବର୍ତ୍ତମାନ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ବିରୋଧରେ ପୋସ୍କୋ, ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଛି । ଆବଶ୍ୟକ ହେଲେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ଚିଠି ଲେଖିବୁ । ଏଥର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ।
ଅନ୍ୟପଟେ ଅନ୍ତରା ପୀଡିତାଙ୍କୁ ମେଡିକାଲରେ ଭେଟିଲେ ପୂର୍ବତନ ବିଧାୟକ ଓ ବିଜେଡି ଟିମ୍। ପୀଡିତା ନାବାଳିକା ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ସହ କଥା ହୋଇଛନ୍ତି ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ସହ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ। ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ସାକ୍ଷାତ ପରେ ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ଆମେ ଘଟଣାକୁ ରାଜନୀତିକରଣ କରୁନାହୁଁ। କେବଳ ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା କରୁଛୁ। ଆଇନଶୃଙ୍ଖଳା ବ୍ୟବସ୍ଥା ପୁରା ଭୁଶୁଡି ପଡିଛି । ଅଘଟଣ ପରେ ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି । ପୀଡିତାଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଦିଆଯିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।