ଅକ୍ଟୋବର ୨ରୁ ବିରୋଧୀଙ୍କ ପଦଯାତ୍ରା, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି

Published By : Prameya-News7 Bureau | August 11, 2025 IST

ଭୁବନେଶ୍ବର: ଅକ୍ଟୋବର ୨ରୁ ତେଜିବ ପଦଯାତ୍ରା ପଲିଟିକ୍ସ। ମଇଦାନକୁ ଓହ୍ଲାଇବେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାର ପାଖରେ ପହଞ୍ଚିବାକୁ ହୋଇଛି ଯୋଜନା । ସରକାରଙ୍କ ବିଫଳତାକୁ ପ୍ରମୁଖ ପ୍ରସଙ୍ଗ କରିବେ ବିରୋଧୀ ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ପଦଯାତ୍ରା କରିବ ବିଜେଡି । ନାରୀ ନିର୍ଯାତନା, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗ ଭଳି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି । ସେହିଭଳି ଅକ୍ଟୋବର ୨ରୁ ମାଲକାନଗିରିରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ । ତିନିଟି ପର୍ଯ୍ୟାୟରେ ବର୍ଷେ ବ୍ୟାପୀ ହେବାକୁ ଥିବା କଂଗ୍ରେସର ଏହି ପଦଯାତ୍ରା ୧୪୭ ନିର୍ବାଚନ ମଣ୍ଡଳୀ ଛୁଇଁବ । କଂଗ୍ରେସର ଏହି ପଦଯାତ୍ରାରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସାମିଲ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । 

ବିରୋଧୀଙ୍କ ପଦଯାତ୍ରା ପଲିଟିକ୍ସ ପ୍ଲାନର ଜବାବ୍ ରଖିଛି ଶାସକ ଦଳ ବିଜେପି । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ନିଜର ଅସ୍ତିତ୍ବ ରକ୍ଷା ପାଇଁ ଦୁଇ ବିରୋଧୀ ଦଳ ସଂଘର୍ଷ କରୁଛନ୍ତି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଲୋକଙ୍କ ପାଖରେ ଥିଲା, ଆଜି ସରକାରରେ ଥିବା ବେଳେ ବି ଲୋକଙ୍କ ପାଖରେ ଅଛି । ଦୁଇ ଦଳର ପଦଯାତ୍ରା ପଲିଟିକ୍ସକୁ ଲୋକେ ଗ୍ରହଣ କରିବେନି ।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଆକ୍ଟିଭିଟି ବଢ଼ାଇବାକୁ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏମିତିରେ ଆସନ୍ତା ଅକ୍ଟୋବରରୁ ଗ୍ରାଉଣ୍ଡରେ ଜମିବ ବିରୋଧୀଙ୍କ ପଦଯାତ୍ରା ପଲିଟିକ୍ସ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.