LIVE TV
LIVE TV

ରୋହିତ ଓ ବିରାଟଙ୍କ ବିନା ବିଶ୍ଵକପ୍ ୨୦୨୭ ଜିତି ପାରିବ ନାହିଁ, ଅଗରକର-ଗମ୍ଭୀରଙ୍କୁ ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ଉପଦେଶ

NEWS7
birds-census-report-the-number-of-birds-is-less-this-year

ରାଞ୍ଚି: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦିନିକିଆ ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଦୁଇ ଖେଳାଳି ଟେଷ୍ଟରୁ ବି ଅବସର ନେଇ ସାରିଛନ୍ତି। ତେଣୁ ଅନେକ କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ଯେ, କଣ କୋହଲି ଓ ରୋହିତ ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳି ପାରିବେ। କାରଣ ସେତେବେଳକୁ କୋହଲିଙ୍କ ବୟସ ୩୯ ଏବଂ ରୋହିତଙ୍କ ବୟସ ୪୦ ବର୍ଷ ହୋଇଯିବ। କିନ୍ତୁ ରାଞ୍ଚିରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଦୁଇ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ସବୁ ବିତର୍କ ଉପରେ ପୂର୍ଣ୍ଣଛେଦ ପକାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ୧୩୫ ରନର ଶତକୀୟ ଇନିଂସ ଖେଳିଛନ୍ତି। ରୋହିତଙ୍କ ବ୍ୟାଟରୁ ମଧ୍ୟ ୫୭ ରନ ଆସିଛି। ଦୁହେଁ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୩୬ ରନର ଭାଗିଦାରୀ କରିବାରୁ ଭାରତ ୩୪୯ ରନର ବଡ଼ ସ୍କୋର କରି ପାରିଛି। ଭାରତ ଏହି ମ୍ୟାଚ୍କୁ ୧୭ ରନରେ ଜିତି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦୁଇ ବ୍ୟାଟରଙ୍କ ଏମିତି ପ୍ରଦର୍ଶନ ପରେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କୃଷ୍ଣାମାଚାରୀ ଶ୍ରୀକାନ୍ତ ଦୁଇ ଷ୍ଟାର ବ୍ୟାଟରଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଶ୍ରୀକାନ୍ତଙ୍କ କହିବା କଥା ଭାରତୀୟ ଦଳ ରୋହିତ ଓ କୋହଲିଙ୍କ ବିନା ୨୦୨୭ ଦିନିକିଆ ବିଶ୍ଵକପ୍ ଜିତି ପାରିବ ନାହିଁ। ଏମିତି କହି ପରୋକ୍ଷରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ସେ ଉପଦେଶ ଦେଇଛନ୍ତି।

ଶ୍ରୀକାନ୍ତ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ରୋହିତ ଓ କୋହଲି ଏକ ଭିନ୍ନ ସ୍ତରରେ ଖେଳୁଛନ୍ତି। କ୍ରିକେଟର ଏହି ପର୍ଯ୍ୟାୟରେ ଏମିତି କଠିନ ମ୍ୟାଚ୍ ଖେଳିବା ସହଜ ନୁହେଁ। ମାତ୍ର ଉଭୟ କେବଳ ଗୋଟିଏ ଫର୍ମାଟ୍ ଖେଳି ନିଜର ଫିଟନେସ୍ ଓ ମାନସିକତା ମଜବୁତ ରଖିଛନ୍ତି। ଉଭୟଙ୍କ ବିନା ଟିମ୍ ଇଣ୍ଡିଆର ଦିନିକିଆଯ ଯୋଜନା ବେକାର। ୨୦୨୭ ବିଶ୍ଵକପ୍ ଜିତିବାର ଅଛି ତ ରୋହିତ ଓ ବିରାଟଙ୍କୁ ଦଳରେ ରଖିବା ଉଚିତ୍ ବୋଲି ଏହି ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି।

୧୯୮୩ ବିଶ୍ଵକପ୍ ବିଜେତା ଦଳର ସଦସ୍ୟ ଥିବା ଶ୍ରୀକାନ୍ତ ଏହା ମଧ୍ୟ କହିଛନ୍ତି, ଯଦି ରୋହିତ ଓ କୋହଲି ୨୦ ଓଭର ଖେଳି ଦିଅନ୍ତି ତେବେ ବିପକ୍ଷ ଦଳ ମାନସିକ ଭାବେ ଦୁର୍ବଳ ହୋଇଯିବ। ଆଉ ରାଞ୍ଚିରେ ମଧ୍ୟ ତାହା ଘଟିଛି। ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାହାରିଗଲା। କାରଣ ଦୁଇ ବ୍ୟାଟର ଆରମ୍ଭରୁ ହିଁ ମ୍ୟାଚକୁ ଭାରତ ପକ୍ଷକୁ ଟାଣି ଦେଇଥିଲେ। ଚାପରେ କେମିତି ଖେଳାଯାଏ କେବଳ ବରିଷ୍ଠ ଖେଳାଳି ହିଁ ଜାଣିଛନ୍ତି। ବୟସ ବଢିବା ସତ୍ତ୍ଵେ ବି କୋହଲି-ରୋହିତଙ୍କ ଫିଟନେସ୍ ଯୁବ ଖେଳାଳିଙ୍କ ପରି ରହିଛି।