ବେଙ୍ଗାଲୁରୁ ୧୬।୬: କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟରେ ୧୬ଜୁନ ୨୦୨୫ରୁ ବାଇକ୍ ଟ୍ୟାକ୍ସି ସେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଯାଇଛି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ରାଜ୍ୟ ସରକାର ମୋଟର ଯାନ ଅଧିନିୟମ ଅନୁସାରେ ବାଇକ୍ ଟ୍ୟାକ୍ସି ସେବାକୁ ନିୟମିତ କରିବା ପାଇଁ ସ୍ପଷ୍ଟ ନିୟମ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ସେବା ସଞ୍ଚାଳନ ବନ୍ଦ ରହିବ। ଏଣୁ ରାପିଡୋ ନିଜ ଆପରୁ ବାଇକ୍ ଟ୍ୟାକ୍ସି ବିକଳ୍ପକୁ ହଟାଇ ଦେଇଛି।
ଆରମ୍ଭ କଲା ‘ପାର୍ସଲ’ ସେବା
ମନି କଣ୍ଟ୍ରୋଲର ସ୍ପଟ୍ ଯାଞ୍ଚରୁ ଜଣା ପଡିଛି ଯେ ରାପିଡୋ ତାଙ୍କ ଆପ୍ ରୁ ବାଇକ୍ ଟ୍ୟାକ୍ସି ସେବା ହଟାଇ ଦେଇଛନ୍ତି। ସେହି ସ୍ଥାନରେ ବାଇକ୍ ପାର୍ସଲ ସେବାକୁ ଯୋଡିଛନ୍ତି। ଏହି ଆପରେ ଏକ ବାର୍ତ୍ତା ମଧ୍ୟ ଦେଖାଯାଉଛି, ଯେଉଁଥିଲେ ‘୧୬ ଜୁନ ୨୦୨୫ରୁ ଆମର ବାଇକ୍ ଟ୍ୟାକ୍ସି ସେବାକୁ କର୍ଣ୍ଣାଟକରେ ହାଇକୋର୍ଟଙ୍କ ଆଦେଶ ପାଳନ ପାଇଁ ଅସ୍ଥାୟୀ ରୂପେ ରୋକି ଦେଇଛୁ’ ବୋଲି ଉଲ୍ଲେଖ କରାଯାଇଛି। ରାପିଡୋ ଏକ ବୟାନରେ କହିଛନ୍ତି ଯେ ଆମେ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ଗର୍ବିତ, ତେବେ ଆମେ ନ୍ୟାୟାଳୟଙ୍କ ଆଦେଶକୁ ସମ୍ମାନ କରୁଛୁ ଓ ତାଙ୍କ ଆଦେଶକୁ ସମ୍ପୂର୍ଣ୍ଣ ପାଳନ କରିବୁ। ଆମେ ଆଶା କରୁଛୁ ଭବିଷ୍ୟତରେ ଏହି ସେବା ପୁଣି ଆରମ୍ଭ ହେବ।
ଓଲା, ଉବେରରେ ଏବେ ବି ଦେଖାଯାଉଛି ବିକଳ୍ପ
ରାପିଡୋ ତାଙ୍କର ବାଇକ୍ ଟ୍ୟାକ୍ସି ସେବା ରୋକି ଦେଇଛନ୍ତି। ତେବେ ଓଲା ଏବଂ ଉବେର ଭଳି ଆପ୍ ରେ ବାଇକ୍ ଟ୍ୟାକ୍ସି ବିକଳ୍ପ ଏବେ ବି ଦେଖାଯାଉଛି। ହେଲେ ଏଥିରେ ପ୍ରତୀକ୍ଷା ସମୟ (ୱେଟିଂ ଟାଇମ) ଅଧିକ ଦେଖାଯାଉଛି। ଉଭୟ କମ୍ପାନୀ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି ଯେ ‘ଆମେ କୋର୍ଟରେ ଆମ ପକ୍ଷ ସ୍ପଷ୍ଟ ରୂପେ ରଖିଛୁ। ଆମେ କୋର୍ଟଙ୍କ ଆଦେଶ ପାଳନ କରି ଏହା ଉପରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ କରିବୁ’। ପରିବହନ ବିଭାଗ କହିଛନ୍ତି ଯେ ଯେଉଁ କମ୍ପାନୀ ଏହି କଟକଣା ଉଲ୍ଲଂଘନ କରିବ ତାଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ନମ୍ମା ବାଇକ୍ ଟ୍ୟାକ୍ସି ଆସୋସିଏସନର ଚିନ୍ତା
କୋର୍ଟଙ୍କ ଏହି ରାୟ ବିରୋଧରେ ନମ୍ମା ବାଇକ୍ ଟ୍ୟାକ୍ସି ଆସୋସିଏସନ ମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖିଛି ଓ ଏଥିରେ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛି। ସଙ୍ଗଠନ କହିଛି ଯେ କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁ ରାଜ୍ୟର ହଜାର ହଜାର ଗିଗ ୱାର୍କରଙ୍କ ରୋଜଗାର ସଂକଟରେ ପଡିଯିବ। ତେବେ ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ ମନିକଣ୍ଟ୍ରୋଲକୁ କହିଛନ୍ତି ଯେ ଆମକୁ ଏ ପର୍ଯ୍ୟନ୍ତ କୌଣସି ବାଇକ୍ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ପତ୍ର ମିଳି ନାହିଁ।