ଭଦ୍ରକ: ପ୍ରଶାସନ ଓ ରାଜସ୍ବ ମନ୍ତ୍ରୀଙ୍କ ତାଗିଦ୍ ସତ୍ତ୍ବେ ସମୂହ ଛୁଟିରେ ଗଲେ ଭଦ୍ରକ ଜିଲ୍ଲାର ରାଜସ୍ବ ବିଭାଗର ଅମଲା କର୍ମଚାରୀ । ଗୁରୁବାର ଜିଲ୍ଲାରେ ସମୁଦାୟ ୧୬୧ ଜଣ ରାଜସ୍ବ ଅମଲା କର୍ମଚାରୀ ସମୂହ ଛୁଟି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନରେ ବସିଛନ୍ତି । ସୂଚନାଥାଉକି, ୯ ଦଫା ଦାବି ପୂରଣ ପାଇଁ ଧାରଣାରେ ବସିଛନ୍ତି ରାଜ୍ୟର ରାଜସ୍ବ ବିଭାଗର ଅମଲା କର୍ମଚାରୀ। ଭଦ୍ରକ ଜିଲ୍ଲାରେ ମଧ୍ୟ ରାଜସ୍ବ ବିଭାଗର ଅମଲା କର୍ମଚାରୀମାନେ ଧାରଣା ଦେଇଛନ୍ତି। ଫଳରେ କାମରେ ବାଧା ସୃଷ୍ଟି ହୋଇଛି। ଏମିତିରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ରାଜସ୍ବ ଅମଲା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଯଥା ଶୀଘ୍ର କାର୍ଯ୍ୟରେ ଯୋଗ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ ନଦେଲେ ଦରମା କାଟ , ସର୍ଭିସ୍ ବୁକ୍ରେ ବ୍ରେକ ସର୍ଭିସ୍ ସହ ଡିସିପ୍ଲିନାରୀ ଆକ୍ସନ ହେବ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ରାଜସ୍ବ ଅମଲା ସଂଘ ଏବେବି ଛୁଟିରେ ରହିଛନ୍ତି।
ରାଜସ୍ବ ଅମଲା ସଙ୍ଘ ଭଦ୍ରକ ଶାଖାର ଜିଲ୍ଲା ସମ୍ପାଦକ କହିଛନ୍ତି ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଓ ସମୂହ ଛୁଟି ଜାରି ରହିବ। ଦୀର୍ଘ ଦିନର ଲଢେଇ ଏବେ ବନ୍ଦ ହେବ ନାହିଁ। ରାଜ୍ୟର ୧୦ ହଜାର କର୍ମଚାରୀଙ୍କ ଭାଗ୍ୟ ଏବେ ବି ଝୁଲି ରହିଛି।
ସେପଟେ ଆନ୍ଦୋଳନରେ ବସିଥିବା ରାଜସ୍ବ ଅମଲା କର୍ମଚାରୀଙ୍କ ସହ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଆଲୋଚନା କରିଥିଲେବି କୌଣସି ସୁଫଳ ମିଳିନାହିଁ । କିନ୍ତୁ କୌଣସି ଜରୁରୀକାଳୀନ ପରିସ୍ଥିତ ଉପୁଜିଲେ ରାଜସ୍ବ ଅମଲା କର୍ମଚାରୀମାନେ ତୁରନ୍ତ ସେବା ଯୋଗାଇ ଦେବେ ବୋଲି କହିଛନ୍ତି । ଜିଲ୍ଲାପାଳ କହିଛନ୍ତି ସରକାରଙ୍କ ଆଭିମୁଖ୍ୟ ବିଷୟରେ ନୋଟିସ ଦେଇଛୁ। କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ପରେ ସଂଘ ସହ ଆଲୋଚନା ହୋଇଛି । ରାଜସ୍ବ ଅମଲାଙ୍କ ମତାମତ ଅପେକ୍ଷାରେ ରହିଛୁ।