LIVE TV

୧୫ ଦିନ ପରେ ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା, ରାଜନୈତିକ ଶତ୍ରୁତାରୁ ମର୍ଡର

NEWS7
bmp

ବ୍ରହ୍ମପୁର ୨୨।୧୦ : ହଟିଲା ପରଦା । ଖୋଲିଲା ଗୁମର । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସର ନୂଆ ଖୁଲାସା । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର। ପଏଣ୍ଟ ବ୍ଲାଙ୍କରୁ ଫାୟରିଂ କରିଥିଲେ ସାର୍ପ ସୁଟର । ଏହି ହତ୍ୟାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା । ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ସାର୍ପ ସୁଟର।

ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଏକ ହୋଟେଲକୁ ଯାଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଫେରୁଥିଲେ । ବୈକୁଣ୍ଠନଗର ବୁଲାଣିରେ ଯାଉଥିବା ବେଳେ ହଠାତ୍‌  ଦୁର୍ବୃତ୍ତ ଆସି ଗୁଳି କରିଥିଲେ । ଯେଉଁଥିରେ ସ୍ପଟରେ ହିଁ ଟଳିପଡିଥିଲେ ପୀତବାସ । ଏହି ହତ୍ୟା ପରେ ପୁରା ବ୍ରହ୍ମପୁରରେ ଖେଳିଗଲା ଆତଙ୍କର ମାହୋଲ । କିଏ ଓ କାହିଁକି ପୀତବାସଙ୍କୁ ଗୁଳି କରି ହତ୍ୟା କରିଲା ? ତାକୁ ନେଇ ଆରମ୍ଭ ହେଲା ଛାନ୍‌ଭିନ୍‌ । ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଲା । ଖୋଦ୍‌ ଏସପି ଏହି ଟିମ୍‌ର ନେତୃତ୍ୱ ନେଉଥିଲେ । ସମସ୍ତ ସମ୍ବେଦନଶୀଳ ସ୍ଥାନ ଓ ରାଡାରରେ ଥିବା କିଛି ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରିଲା । ଏହିପରି ଭାବେ ଗୋଟିଏ ପରେ ଗୋଟିଏ ଅଡୁଆ ସୂତା ଖିଅ ବାହାର କରିବାରେ ଲାଗିଥିଲା ପୋଲିସ । ଶେଷରେ ମଙ୍ଗଳବାର ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଦେଲେ ବଡ଼ ବୟାନ । ଦୁଇ ଦିନ ମଧ୍ୟରେ ପୁରା ଘଟଣାର ଖୁଲାସା ହୋଇଯିବ ବୋଲି କହିଥିଲେ । ଶେଷରେ ଆସିଲା ମଙ୍ଗଳବାର ରାତି । ବ୍ରହ୍ମପୁର ରାଜନୀତିରେ ନୂଆ ମୋଡ଼ । ଏକ ବ୍ୟାଙ୍କ କାରବାର ନେଇ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରିଲା ପୋଲିସ । ଏକ ଅଜ୍ଞାତ ସ୍ଥାନରେ ରଖି ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲା ପୋଲିସ । ଶେଷରେ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କର୍ପୋରେଟର ମଳୟ ବିଶୋଇ, ପୂର୍ବତନ ମେୟର ଶିବଶଙ୍କର ଦାସ, ସାର୍ପ ସୁଟର ଚିଣ୍ଟୁ ଆଦି ରହିଛନ୍ତି ।