ନିବେଶ କରି ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର, ୩ ସେଲ୍ସ ଏକଜିକ୍ୟୁଟିଭଙ୍କ ସହ ଗିରଫ କଲା ପୋଲିସ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ଆଜିର ସମୟରେ ବଦଳିଛି ନିବେଶର କରିବାର ମାଧ୍ୟମ। ଫିକ୍ସ ଡିପୋଜିଟ, ସେଭିଙ୍ଗ୍ସ ଆକାଉଣ୍ଟରୁ ସୁଧ, କିମ୍ବା ସୁନାରେ ନିବେଶ କରିବା ଏବେ ପୁରୁଣା ହୋଇଛି। ବର୍ତ୍ତମାନ ଟ୍ରେଡିଂ ଏବଂ ମ୍ୟୁଚୁଆଲ ଫଣ୍ଡ୍‌ ଭଳି ମାଧ୍ୟମରେ ନିବେଶକର ବଢ଼ିଛି ଲୋକପ୍ରିୟତା। ଲୋକେ ବ୍ୟାଙ୍କରେ ଟଙ୍କା ରଖିବା ପରିବର୍ତ୍ତେ ଶେୟାର ମାର୍କେଟରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। କାରଣ ସେଠାରେ ବ୍ୟାଙ୍କ ଅପେକ୍ଷା ଅଧିକ ରିଟର୍ଣ୍ଣ ମିଳିବାର ଆଶା ଯେ ରହିଛି। କିନ୍ତୁ ଅନଲାଇନ୍‌ ଟ୍ରେଡିଂରେ ଟଙ୍କା ଲଗାଇବା ପୂର୍ବରୁ ସେ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବଜାର ନିୟାମକ ସେବି ବାରମ୍ବାର ଚେତାବନୀ ଦେଇଆସିଛି । ଏହା ସତ୍ତ୍ୱେ ଲୋକମାନେ ସାଇବର ଠକେଇର ଶିକାର ହେଉଛନ୍ତି । 

ମଙ୍ଗଳବାର (ଅକ୍ଟୋବର ୧୫) ବେଙ୍ଗଲୁରୁ ପୋଲିସ ଶେୟାର ମାର୍କେଟ ସହ ଜଡ଼ିତ ଏକ ଠକେଇର ପର୍ଦ୍ଦାଫାସ କରିଥିବା ନେଇ ସୂଚନା ଦେଇଛି । ଷ୍ଟକ୍‌ ମାର୍କେଟରେ ଟଙ୍କା ଲଗାଇଲେ ମୋଟାଅଙ୍କର ରିଟର୍ଣ୍ଣ ଦେବା ନେଇ ପ୍ରତିଶ୍ରୁତି ଦେଇ ୯୭ କୋଟି ଟଙ୍କା ଠକିନେଇଥିବା ୮ ସାଇବର ଠକଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆକ୍ସିସ୍‌ ବ୍ୟାଙ୍କର ମ୍ୟାନେଜର ଏବଂ ତିନି ଜଣ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ସାମିଲ ଅଛନ୍ତି । ଆଉ ଏହି ଘଟଣା ଏବେ ସମସ୍ତଙ୍କୁ ତାଜୁବ କରିଦେଇଛି। 

ଏହି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଖୋଲାଯାଇଥିବା ୬ଟି ଆକାଉଣ୍ଟ ଜରିଆରେ ନେଣଦେଣ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମ ବେଙ୍ଗାଲୁରୁରେ ଥିବା ଘରୋଇ ବ୍ୟାଙ୍କର ମ୍ୟାନେଜର କିଶୋର ସାହୁ ଏବଂ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ମନୋହର, କାର୍ତ୍ତିକ ଏବଂ ରାକେଶ ସାମିଲ । ସେମାନଙ୍କ ବ୍ୟତୀତ ଲକ୍ଷ୍ମୀକାନ୍ତ, ରଘୁରାଜ, କେଙ୍ଗେଗୌଡା ଏବଂ ମାଲା ସିପିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନାଁରେ ନକଲି ବ୍ୟାଙ୍କ ଆକାଉଣ୍ଟ ରହିଛି। 

ଗତ ମାର୍ଚ୍ଚରେ ଉତ୍ତର ବେଙ୍ଗାଲୁରୁର ଜଣେ ବାସିନ୍ଦାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା । ଅଭିଯୋଗକାରୀଙ୍କ ଅନୁସାରେ, ତାଙ୍କୁ ଗୋଟିଏ ହ୍ବାଟସଆପ୍‌ ଗ୍ରୁପରେ ସାମିଲ କରାଯାଇଥିଲା । ସେଥିରେ ଶେୟାର ମାର୍କେଟରେ ନିବେଶ କରିବାର‌ ଶୈଳୀ ଏବଂ କିଭଳି ୧୦ ଗୁଣା ରିଟର୍ଣ୍ଣ ମିଳିପାରିବ ସେନେଇ କୁହାଯାଇଥିଲା । ଏହା ପରେ ଲୋଭର ବଶବର୍ତ୍ତୀ ହୋଇ ବ୍ୟକ୍ତି ଜଣଙ୍କ ୫୦ ହଜାର ଟଙ୍କା ନିବେଶ କରିଥିଲେ । ସେ ବହୁତ ଟଙ୍କା ରିଟର୍ଣ୍ଣ ପାଇବେ ବୋଲି ତାଙ୍କ ପାଖକୁ ମେସେଜ୍‌ ଆସିଥିଲା । ଏହା ପରେ ସେ ପୁଣି ଦେଢ଼ କୋଟି ଟଙ୍କା ନିବେଶ କରିଥିଲେ । 

ଏବେ ତାଙ୍କ ଆକାଉଣ୍ଟରେ ୨୮ କୋଟି ଟଙ୍କା ଥିବା ନେଇ ମେସେଜ ଆସିଥିଲା । କିନ୍ତୁ ଏସବୁ ଟଙ୍କା ଉଠାଇବା ଲାଗି ସର୍ଭର ପରିଚାଳନା ଫି’ ବାବଦକୁ ୭୫ ଲକ୍ଷ ଟଙ୍କା ତାଙ୍କୁ ମାଗିବା ପରେ ତାଙ୍କ ସହ ଧୋକା ହୋଇଛି ବୋଲି ଜାଣିବାକୁ ପାଇଥିଲେ ଅଭିଯୋଗକାରୀ । ସେ ସାଇବର ଥାନରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା । ସାଇବର ଥାନା ପୋଲିସ ଠକେଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ପତ୍ତା ଲଗାଇବା ପରେ ଅଭିଯୁକ୍ତଙ୍କ ଠିକଣା ହାତରେ ଲାଗିଥିଲା ।  

୯୭ କୋଟି ଟଙ୍କା ଠକେଇ ମାମଲାରେ ବ୍ୟାଙ୍କ ମ୍ୟାନେଜର ଏବଂ ୩ ଜଣ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ସେପ୍ଟେମ୍ବର ୨୬ରେ ଗିରଫ କରି ପଚରା ଉଚରା କରିଥିଲା ପୋଲିସ । ଏହି ସମୟରେ ସେମାନେ ଚିକାମାଗାଲୁରୁର ୬ ଖାତା ଧାରକଙ୍କ ନାଁ କହିଥିଲେ । ପରେ ସେପ୍ଟେମ୍ବର ୨୯ରେ ପୋଲିସ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ବ୍ୟାଙ୍କ ମ୍ୟାନେଜର ଏବଂ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ବିଚାର ବିଭାଗୀୟ ହାଜତରେ ଥିବା ନେଇ ପୋଲିସ କହିଛି । ସେପଟେ ଏହି ମାମଲାରେ ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.