ଭାରତ ସହ ବିବାଦ ବାଂଲାଦେଶକୁ ପଡ଼ିଲା ମହଙ୍ଗା ! ବର୍ଷେ ଯାଏଁ କ୍ରିକେଟ୍ ସିରିଜ ସ୍ଥଗିତ କଲା ବିସିସିଆଇ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରୁ ବାଂଲାଦେଶରେ ଭାରତ ସହ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜକୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ଏବଂ ବିସିସିଆଇ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କେବଳ କ୍ରିକେଟ୍ ସହ ଜଡ଼ିତ ନୁହେଁ, ବରଂ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା, ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଏବଂ ଭାରତ ସହିତ ଚାଲିଥିବା ସୀମା ବିବାଦର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବୋଲି ଧରାଯାଉଛି । ବାଂଲାଦେଶରେ ଚାଲିଥିବା ଘଟଣା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୁଦ୍ଧରେ ଏହାର ଅବାନ୍ତର ବୟାନ ବିସିବିକୁ ମହଙ୍ଗା ପଡ଼ିଛି ।

ବାଂଲାଦେଶରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜନୈତିକ ଅସ୍ଥିରତା ଜାରି ରହିଛି । ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନାଙ୍କ ସରକାରର ପତନ ଘଟିଥିଲା । ତାଙ୍କୁ ଦେଶ ଛାଡି ଭାରତରେ ଆଶ୍ରୟ ନେବାକୁ ପଡିଥିଲା । ବାଂଲାଦେଶରେ ଏବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଅଛି । ଅନ୍ତରୀଣ ସରକାର ଲଗାତାର ଭାରତ ବିରୋଧରେ ବୟାନ ଦେଇ, ଚୀନର ଗୁଣଗାନ କରୁଛି । ଏହାଛଡ଼ା ଭାରତ ଲଗାତାର ଆପତ୍ତି ସତ୍ତ୍ୱେ ସେଠାକାର ସରକାର ସଂଖ୍ୟାଲଘୁ ହିନ୍ଦୁଙ୍କୁ ସୁରକ୍ଷା ଦେଇପାରୁ ନାହିଁ । 

ଏପରି ସ୍ଥିତିରେ ବିସିସିଆଇ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା । ଭାରତ ସରକାର ବି ବିସିସିଆଇକୁ ସୁରକ୍ଷା ନେଇ ସତର୍କ କରାଇଥିଲେ । ଭାରତ ସରକାର ଚାହୁଁଛନ୍ତି ଯେ ବାଂଲାଦେଶରେ ସ୍ଥିର ସରକାର ଓ ଆଇନ ବ୍ୟବସ୍ଥା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ହିଁ ଖେଳାଳି ଗସ୍ତ କରନ୍ତୁ । ଆସନ୍ତା ବର୍ଷ ଆରମ୍ଭରେ ବାଂଲାଦେଶରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ବିସିବି ୨୦୨୬ ସେପ୍ଟେମ୍ୱରରେ ଭାରତ ସହ ସିରିଜ ପାଇଁ ଇଚ୍ଛୁକ ଅଛି । କିନ୍ତୁ ବାଂଲାଦେଶରେ ସ୍ଥିର ସରକାର ପରେ ହିଁ ତାରିଖ ସ୍ପଷ୍ଟ ହୋଇପାରିବ । ଏହି ସ୍ଥଗିତ କେବଳ କ୍ରିକେଟ୍ ସିରିଜକୁ ଟାଳିବା ନୁହେଁ, ବରଂ ବାଂଲାଦେଶର ଆଭ୍ୟନ୍ତରୀଣ ଆହ୍ୱାନ ଓ ଭାରତ ସହ ଏହାର ଜଟିଳ ସମ୍ପର୍କକୁ ଦର୍ଶାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.