ମାଓ ଦମନ ଅଭିଯାନରେ ବଡ଼ ସଫଳତା: ୪୦ ବର୍ଷ ପରେ ନକ୍ସଲ ମୁକ୍ତ ହେଲା ଛତିଶଗଡ଼ର ବସ୍ତର

Published By : Prameya-News7 Bureau | May 29, 2025 IST

News7

ନୂଆଦିଲ୍ଲୀ: ଛତିଶଗଡ଼ ପାଇଁ ବଡ଼ ଖବର। ୪ ଦଶନ୍ଧି ଧରି ନକ୍ସଲବାଦର ଶିକାର ହୋଇଆସୁଥିବା ଛତିଶଗଡ଼ର ବସ୍ତର ଜିଲ୍ଲା ଶେଷରେ ହୋଇଛି 'ନକ୍ସଲ ମୁକ୍ତ'। ଏହି ଘୋଷଣା କେନ୍ଦ୍ର ସରକାର ନିଜେ କରିଛନ୍ତି। ପ୍ରାୟ ୪୦ ବର୍ଷ ପରେ ବସ୍ତରକୁ ବାମପନ୍ଥୀ ଉଗ୍ରବାଦୀଙ୍କ କବଳରୁ ମୁକ୍ତ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସୁରକ୍ଷା ବାହିନୀ ନିକଟରେ ଅନେକ ବଡ଼ ନକ୍ସଲ କମାଣ୍ଡରଙ୍କୁ ହତ୍ୟା କରିବା ପରେ ଏବେ ଏହି ଘୋଷଣା କରିଛନ୍ତି।

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ବସ୍ତରକୁ ଏବେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା ତାଲିକାରୁ ହଟାଇ ଦିଆଯାଇଛି। ୧୯୮୦ ଦଶକରୁ ଏଠାରେ ନକ୍ସଲବାଦ ବୃଦ୍ଧି ପାଉଥିଲା। ଏପରିକି ନକ୍ସଲବାଦ ଯୋଗୁଁ ବିକାଶରେ ବାଧା ଉପୁଜୁଥିଲା। ତଥାପି ବସ୍ତର ଭିତର ଅଞ୍ଚଳଗୁଡ଼ିକରେ ସୁରକ୍ଷା ବାହିନୀର ନିରନ୍ତର ପ୍ରବେଶ ସହିତ ଏହାକୁ କବଜା କରିଥିଲେ। 

ନକ୍ସଲବାଦର ଏକ ଗଡ଼ ପାଲଟିଥିଲା ବସ୍ତର। ଏପରି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ସହାୟତାରେ ସୁରକ୍ଷା ବାହିନୀ ସେହି ସମସ୍ତ ଜିଲ୍ଲାରେ ଏକ ସ୍ୱତନ୍ତ୍ର 'ନକ୍ସଲ ବିରୋଧୀ' ଅଭିଯାନ ଆରମ୍ଭ କରିଥିଲେ। ନକ୍ସଲମାନେ ସେହି ଅଞ୍ଚଳଗୁଡ଼ିକୁ ଘେରି ରହିଥିଲେ। ସମୟ ସହିତ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ଶହ ଶହ ନକ୍ସଲବାଦୀ ନିପାତ ହେଲେ। ଅନେକ ନକ୍ସଲବାଦୀ ମୁଖ୍ୟସ୍ରୋତରେ ସାମିଲ ହେଲେ। ଶେଷରେ ବସ୍ତର ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି।

ଛତିଶଗଡ଼ ଜିଲ୍ଲା ଉତ୍ତରରେ ଉତ୍ତର ପ୍ରଦେଶ, ଉତ୍ତର-ପଶ୍ଚିମରେ ମଧ୍ୟପ୍ରଦେଶ, ଦକ୍ଷିଣ-ପଶ୍ଚିମରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ଝାଡ଼ଖଣ୍ଡ, ପୂର୍ବରେ ଓଡ଼ିଶା ଏବଂ ଦକ୍ଷିଣରେ ତେଲେଙ୍ଗାନା ସହିତ ଏହାର ସୀମା ଅଂଶୀଦାର। ଏହି ସୀମା ମଧ୍ୟରୁ ଅନେକରେ ନକ୍ସଲବାଦ ସକ୍ରିୟ ଅଛି, ଯାହାକୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀ ନିରନ୍ତର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। 

ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ବିଜ୍ଞପ୍ତିରେ, ଦେଶର ୧୮ଟି ଜିଲ୍ଲାକୁ 'ବାମପନ୍ଥୀ ଉଗ୍ରବାଦୀ-ପ୍ରଭାବିତ', 'ଅନ୍ୟାନ୍ୟ ବାମପନ୍ଥୀ ଉଗ୍ରବାଦୀ-ପ୍ରଭାବିତ' କିମ୍ବା 'ଡିଷ୍ଟିକ୍ଟ ଅଫ୍‌ କନସର୍ଣ୍ଣ' ଭାବରେ ଚିହ୍ନଟ କରାଯାଇଛି, ଯେଉଁଥିରେ ଛତିଶଗଡ଼ର ଛଅଟି ଜିଲ୍ଲା ଅନ୍ତର୍ଭୁକ୍ତ ରହିଛି। କିନ୍ତୁ ରେଡ୍‌ ଲିଷ୍ଟରୁ ମୁକ୍ତ ହୋଇଛି ବସ୍ତର ଜିଲ୍ଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.