LIVE TV
LIVE TV

ଅଚିହ୍ନା ଶବର ସାଥୀ ସ୍ୱର୍ଣ୍ଣଲତା, ବୃଦ୍ଧାଶ୍ରମ ପାଇଁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

NEWS7
bar-girl-found-dead-in-bhubaneswe-family-alleges-murder

ଭୁବନେଶ୍ୱର ୦୨।୧୨ : ସବୁଦିନ ପାଇଁ ସ୍ୱାମୀ ହାତ ଛାଡ଼ିଦେଲେ । କୋଳରେ ୨ଟି ଛୋଟ ଛୋଟ ଛୁଆ । ପ୍ରଶାସନିକ ଚକ୍ରବ୍ୟୁହରେ ଛନ୍ଦି ହୋଇ ମିଳିଲାନି ପେନ୍ସନ୍ । ଶେଷରେ ବାପା-ଭାଇଙ୍କ ଦ୍ୱାରସ୍ଥ ହେଲେ । ତାଙ୍କ ସହାୟତାରେ ସଂସାର ଚଳୁଛି । ଏତେ ସବୁ ଦୁଃଖ ଓ କଷ୍ଟ ଭିତରେ ଚଳି ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଲେ। ନିଜର ଅର୍ଜିତ ଜମିକୁ ଏକ ବୃଦ୍ଧାଶ୍ରମକୁ ଦାନ କରିଦେଇଛନ୍ତି ।

ସେବାର ଅନ୍ୟତମ ସ୍ୱରୂପ ସାଜିଥିବା ଏହି ମହିୟସୀ ମହିଳା ହେଉଛନ୍ତି ସ୍ୱର୍ଣ୍ଣଲତା ପ୍ରଧାନ । ବୟସ ୪୦ ଭିତରେ ହେବ । ଶିଶୁପାଳଗଡ଼ରେ ରହୁଛନ୍ତି । ସ୍ୱାମୀ ଉପେନ୍ଦ୍ର ପ୍ରଧାନ ରାଜ୍ୟ ବିଜୁଳି ବିଭାଗରେ କାମ କରୁଥିଲେ । ୫ ବର୍ଷ ତଳେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଅକାଳରେ ଆରପାରିକୁ ଚାଲିଗଲେ । ସ୍ୱର୍ଣ୍ଣଲତାଙ୍କ କୋଳରେ ୨ଟି ଛୋଟ ପିଲା । ଚାକିରି ଫାଇଲରେ ଦୋଷତ୍ରୁଟି ଦର୍ଶାଇ ତାଙ୍କୁ ମିଳିବାକୁ ଥିବା ପେନସନ ଅଟକାଇ ଦେଲେ । ଇତିମଧ୍ୟରେ ସ୍ୱର୍ଣ୍ଣଲତା ସ୍ୱେଚ୍ଛାସେବୀ ସଂଗଠନ ପ୍ରଦୀପ ସେବା ଟ୍ରଷ୍ଟ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ସହିତ ମିଶି ଅଚିହ୍ନା ଶବର ସାଥୀ ସାଜିଲେ । ଅସହାୟଙ୍କୁ ସାହାଯ୍ୟ ଆଦି କାମରେ ନିଜକୁ ଉତ୍ସର୍ଗ କରିଦେଲେ । ଗରିବ ଓ ଅସହାୟଙ୍କ ପାଇଁ କିଛି ଗୋଟିଏ କରିବାକୁ ସେ ଏକ ବଡ଼ ନିଷ୍ପତ୍ତି ନେଲେ ।

ଗୁଡ଼ିଆପୋଖରୀ ନିକଟ ପୁରୀଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ସ୍ୱାମୀ ତାଙ୍କ ନାମରେ କିଣିଥିବା ୯୨ ଡେସିମିଲ ଜମିରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିବାକୁ ସେ ଇଚ୍ଛା ପ୍ରକାଶ କଲେ । ଏହାକୁ ସାକାର କରିବା ପାଇଁ ସେ ପ୍ରଦୀପ ସେବା ଟ୍ରଷ୍ଟ ହାତରେ ଉକ୍ତ ଜମିକୁ ସମର୍ପି ଦେଇଛନ୍ତି । ସ୍ୱର୍ଣ୍ଣଲତା ଓ ଟ୍ରଷ୍ଟ ମଧ୍ୟରେ ଏଥିପାଇଁ ବିଧିବଦ୍ଧ କାଗଜପତ୍ର ସମ୍ପାଦିତ ହୋଇଛି । ଖୁବ୍ ଶୀଘ୍ର ଉକ୍ତ ଜମିରେ ବୃଦ୍ଧାଶ୍ରମ ନିର୍ମାଣ ହେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ପୃଷ୍ଟି କହିଛନ୍ତି । ସେଠାରେ ବୃଦ୍ଧାଶ୍ରମ ନିର୍ମାଣ ହେବା ପରେ ମୋ ସ୍ୱପ୍ନ ସାକାର ହେବ ଓ ଆତ୍ମା ଶାନ୍ତି ପାଇବ ବୋଲି ସ୍ୱର୍ଣ୍ଣଲତା ଖୁସି ମନରେ କହିଛନ୍ତି ।