ମୃତ୍ୟୁ ପୂର୍ବରୁ ଜ୍ୟୋତିଙ୍କ ଶେଷ କଥା, ଲୁହରେ ଭିଜିଗଲା IICଙ୍କ ଲୁହ

Published By : Prameya-News7 Bureau | August 16, 2025 IST

ବାଲିପାଟଣା: ହସ୍ପିଟାଲ ବେଡ୍‌ରେ ପଡ଼ି ଛଟପଟ ହେଉଥାନ୍ତି। ପାଟି ଖନି ମାରିଯାଉଥାଏ। ଏ ସମୟରେ ପାଖରେ ଥାନା ଅଧିକାରୀଙ୍କୁ ଦେଖି କୋହ ସମ୍ଭାଳିପାରିନଥିଲେ ଜ୍ୟୋତି । ନିଜର ଶେଷ ଶକ୍ତି ଲଗାଇ କହିଥିଲେ ଦୋଷୀଙ୍କ ନାଁ। କିନ୍ତୁ ଏତିକି କହିବାବେଳକୁ ଧୀରେ ଧୀରେ ନିସ୍ତେଜ ହୋଇଆସୁଥାଏ ଶରୀର। ଶବ୍ଦ କ୍ଷୀଣ ହୋଇଯାଇଥିଲା। ଥାନାଧିକାରୀଙ୍କୁ ତାଙ୍କର ଶେଷ କଥା ଶୁଭିଥିଲା ‘ସାର୍ ମତେ ନ୍ୟାୟ ଦେବେ’। ଆଉ ଏତିକି ଶୁଣି ଖୋଦ୍ ଥାନା ଅଧିକାରୀଙ୍କ ଆଖି ବି ଲୁହରେ ଭିଜି ଯାଇଥିଲା। 

ଶୁକ୍ରବାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଥିଲା କିଛି ଏଭଳି ଅଭାବନୀୟ ଦୃଶ୍ୟ। ନିଆଁରେ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ସ୍ଥାନୀୟ ଅଞ୍ଚଳର ଜ୍ୟୋତି କୁମାର ମାଠିଆ। ଆଉ ହସ୍ପିଟାଲ ବେଡ୍‌ରେ ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କୁ କହିଥିଲେ ଶେଷ କଥା। ଯାହାକୁ ଶୁଣି ଭାବବିହ୍ବଳ ହୋଇପଡ଼ିଥିଲେ ଥାନାଧିକାରୀ। ହେଲେ ଆଖିର ଲୁହକୁ ମୁହଁ ବୁଲେଇ ପୋଛି ଦେଇଥିଲେ। କହିଥିଲେ ଜ୍ୟୋତି ତୁମକୁ ନିଶ୍ଚୟ ନ୍ୟାୟ ମିଳିବ। ଆଉ ଏହି ଘଟଣା ହିଁ ବୟାନ କରୁଛି ଯଦି ଜଣେ ପୋଲିସ ଅଫିସର ଆଖିରେ ଲୁହ ଆସିଯାଉଛି। ତେବେ ଜ୍ୟୋତିଙ୍କୁ ପୋଡ଼ି ଘଟଣା କେତେ ହୃଦୟ ବିଦାରକ ତାହା ବର୍ଣ୍ଣନା କରିବା ଅସମ୍ଭବ ।

ଜଣାପଡ଼ିଛି ଜ୍ୟୋତି କୁମାର ମାଠିଆଙ୍କର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିଲା । ତାଙ୍କ ପତ୍ନୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସ୍ୱଳ୍ପ ଦରମାରେ ଚାକିରି କରନ୍ତି । ଜ୍ୟୋତି ପ୍ରତିଦିନ ବାଲିପାଟଣା ଥାନାରେ ବସିଥାନ୍ତି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପାଇଁ ଏଫଆଇଆର ଲେଖିଦିଅନ୍ତି । ଯଦି କେହି ଦଶ କିମ୍ବା ପଚାଶ ଟଙ୍କା ଦିଅନ୍ତି ଜ୍ୟୋତି ତାକୁ ରଖନ୍ତି । ନଦେଲେ ବି ଜ୍ୟୋତି କେବେ ମନ ଖରାପ କରନ୍ତି ନାହିଁ । ସବୁବେଳେ କୁହନ୍ତି ଲୋକଙ୍କ ଅସମୟରେ ସାହାଯ୍ୟ କରୁଛି, ସେଥିରେ ମୋର ଖୁସି ।

ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ଥାନାକୁ ଆସିଲା ବେଳେ ଜ୍ୟୋତି ଠିଆ ହୋଇ ପଡ଼ି "ସାର୍ ନମସ୍କାର "ବୋଲି କହିଥାନ୍ତି । ଆଉ ଆଇଆଇସି ଜ୍ୟୋତିଙ୍କ ଶେଷ ବୟାନ ରେକର୍ଡ କଲାବେଳେ ତାଙ୍କ ଆଖି ଆପେ ଆପେ ଜକେଇ ଆସିଥିଲା ।

ସୂଚନାଥାଉକି, ଶୁକ୍ରବାର ବାଲିପାଟଣାର ଜ୍ୟୋତି ମାଠିଆଙ୍କୁ ତାଙ୍କୁ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜ୍ୟୋତି ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ଏହା ଦେଖି ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକ ଏବଂ ବାଲିପାଟଣା ପୋଲିସ ଜ୍ୟୋତିଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । 

ସଙ୍କଟାପନ୍ନ ଥିବାରୁ ଜ୍ୟୋତିଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଇ ଏବଂ ପରେ ଏମ୍ସ  ସ୍ଥାନାନ୍ତର କରାଯାଇଥିଲା । ତେବେ ଶନିବାର ଭୋର ୪ଟାରେ ଜ୍ୟୋତିଙ୍କ ମୃତ୍ୟୁ ହୋଇଛି । ଜ୍ୟୋତିଙ୍କ ଶରୀର ୧୦୦ ପ୍ରତିଶତ ପୋଡ଼ିଯାଇଥିଲା। ଜଣାପଡ଼ିଛି ଜ୍ୟୋତିଙ୍କ ବାପା ସୁରେନ୍ଦ୍ର ତାଙ୍କର ସମସ୍ତ ସମ୍ପତ୍ତି ଜ୍ୟୋତିଙ୍କ ସାବତ ଭାଇ ପ୍ରଶାନ୍ତ ନାମ ରେଜିଷ୍ଟ୍ରି କରି ଦେଇଥିଲେ । ଏଥିପାଇଁ ଜ୍ୟୋତିଙ୍କର ତାଙ୍କ ଭାଇ ଏବଂ ବାପାଙ୍କ ସହ ଶତ୍ରୁତା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.