ନୂଆଦିଲ୍ଲୀ: ଉତ୍ତରପୂର୍ବ ରାଜ୍ୟ ମିଜୋରାମ ପାଇଁ ବର୍ଷ ୨୦୨୫ ଇତିହାସରେ ଏକ ମାଇଲ୍ ଖୁଣ୍ଟ ରୂପେ ରେକର୍ଡ ହୋଇଛି । ୨୬ ବର୍ଷ ପୂର୍ବେ ଯେଉଁ ସ୍ୱପ୍ନ ଦେଖାଯାଇଥିଲା, ତାହା ଏବେ ବାସ୍ତବ ହୋଇଛି । ପ୍ରଥମ ଥର ଏହି ପର୍ବତୀୟ ରାଜ୍ୟର ରାଜଧାନୀ ଆଇଜୋଲ ଦେଶର ବ୍ରଡ୍ ଗେଜ୍ ରେଲୱେ ନେଟୱାର୍କ ସହ ଯୋଡ଼ି ହୋଇଛି । ଏହାଦ୍ୱାରା ଦେଶର ରାଜଧାନୀ ଦିଲ୍ଲୀ ସହ ମିଜୋରାମ ଆହୁରି ନିକଟତର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଖୁବଶୀଘ୍ର ଏହାର ଆନୁଷ୍ଠାନିକ ଉଦଘାଟନ୍ କରିବେ ।
ଏହି ଐତିହାସିକ ଉପଲବ୍ଧି ବୈଇବି-ସାଇରଙ୍ଗ ବ୍ରଡ୍ ଗେଜ୍ ରେଳ ପରିଯୋଜନା ପୂରା ହେବା ଦ୍ୱାରା ସମ୍ଭବ ହୋଇପାରିଛି । ଏହା କେବଳ ମିଜୋରାମକୁ ନୁହେଁ, ବରଂ ସମଗ୍ର ପୂର୍ବୋତ୍ତର ଭାରତର ଯୋଗାଯୋଗ, ଆର୍ଥିକ ବିକାଶ ଓ ସାମାଜିକ ସମନ୍ୱୟ ପାଇଁ ଏକ କ୍ରାନ୍ତିକାରୀ ପଦକ୍ଷେପ ।
ମିଜୋରାମ ଭାରତର ଏକ ପାହାଡିଆ ଓ ସୀମାବର୍ତ୍ତୀ ରାଜ୍ୟ । ଏହାର ସୀମା ଉତ୍ତରରେ ଆସାମ ଓ ମଣିପୁର, ପଶ୍ଚିମରେ ତ୍ରିପୁରା ଓ ବାଂଲାଦେଶ, ପୂର୍ବରେ ଦକ୍ଷିଣ ମିଆଁମାର ସହ ଲାଗିଛି । ୧୯୯୯ ମସିହାରେ ଏହି ପ୍ରକଳ୍ପର କଳ୍ପନା କରାଯାଇଥିଲା । ପୂର୍ବୋତ୍ତର ସୀମାନ୍ତ ରେଲୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ କପିଞ୍ଜଲ କିଶୋର ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ନଭେମ୍ୱର ୨୯ରେ ବୈରବି-ସାଇରଙ୍ଗ ରେଳ ପରିଯୋଜନାର ଶିଳାନ୍ୟାସ କରିଥିଲେ । ଏହାପରେ ଭୂମି ଅଧିଗ୍ରହଣ କାର୍ଯ୍ୟ ୨୦୧୪-୧୫ରେ ଶେଷ ହୋଇଥିଲା । ୨୦୧୫-୧୬ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନେକ ଆହ୍ୱାନକୁ ପାର୍ କରି ଏହି ପରିଯୋଜନା ୨୦୨୫ରେ ଶେଷ ହୋଇଛି ଓ ୨୦୨୫ ଜୁନରେ ରେଲେୱ ସୁରକ୍ଷା ଆୟୁକ୍ତ ଏହାର ପିଚାଳନା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ଏହି ଯୋଜନାରେ ୫୧.୩୮ କିଲୋମିଟର ଲମ୍ୱା ବ୍ରଡ୍ ଗେଜ୍ ରେଲୱେ ଲାଇନର ନିର୍ମାଣ କରାଯାଇଛି । ଏହା ଉପରେ ୧୦୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡ୍ରେ ଟ୍ରେନ୍ ଚାଳଚଳ ସମ୍ଭବ ହୋଇଛି । ଏହି ରେଲୱେ ଲାଇନ୍ ଉପରେ ବୈରବି-ସାଇରଙ୍ଗ ମଧ୍ୟରେ ହାର୍ତୋକି, କବନପୁଇ ଓ ମୁଆଲଖାଙ୍ଗ ଷ୍ଟେସନ ରହିଛି । ଏହି ପରିଯୋଜନାରେ ମୋଟ ୪୮ ସୁଡ଼ଙ୍ଗ ନିର୍ମାଣ କରାଯାଇଛି, ଯାହା ମୋଟ ଦୂରତା ୧୨.୮୫ କିଲୋମିଟର । ଏହା ବ୍ୟତୀତ ୫୫ଟି ବଡ଼ ପୋଲ ଓ ୮୭ଟି ଛୋଟ ପୋଲ, ୫ଟି ରୋଡ୍ ଓଭରବ୍ରିଜ ତଥା ୯ଟି ରୋଡ୍ ଆଣ୍ଡରବ୍ରିଜ ନିର୍ମାଣ କରାଯାଇଛି । ଏଥିରେ ସବୁଠୁ ଉଚ୍ଚ ପୋଲର ଉଚ୍ଚତା ହେଉଛି ୧୦୪ ମିଟର, ଯାହା ଦିଲ୍ଲୀର କୁତୁବମୀନାରଠାରୁ ମଧ୍ୟ ଉଚ୍ଚ । ଏହି ପରିଯୋଜନାରେ ମୋଟ ୭,୭୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏହାର ନିର୍ମାଣ ଦାୟିତ୍ୱ ଉତ୍ତର-ପୂର୍ବ ସୀମାନ୍ତ ରେଲୱେକୁ ଦିଆଯାଇଥିଲା ।
ବୈରାବି-ସାଇରଙ୍ଗ ରେଳ ପ୍ରକଳ୍ପ ମିଜୋରାମର ବିକାଶର ନୂତନ ରେଳ ପାଲଟିଛି । ଏହା କେବଳ ଯୋଗାଯୋଗରେ ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ରଣନୈତିକ ପରିବର୍ତ୍ତନର ବାହକ ପାଲଟିଛି । ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହାର ରଣନୈତିକ ଗୁରୁତ୍ୱ । ମିଆଁମାର ସୀମା ନିକଟରେ ଥିବାରୁ, ଏହି ରେଳ ଲାଇନ ଭାରତର ରଣନୈତିକ ରଣନୀତିକୁ ମଧ୍ୟ ମଜବୁତ କରେ । ଏହା ଭବିଷ୍ୟତରେ ଦକ୍ଷିଣ-ପୂର୍ବ ଏସିଆ ସହିତ ରେଳ ସଂଯୋଗୀକରଣର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ଏବଂ ଏହା ଏକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଯାହା ଭାରତର 'ଆକ୍ଟ ଇଷ୍ଟ ପଲିସି'କୁ ତ୍ୱରାନ୍ୱିତ କରେ।