ନୂଆଦିଲ୍ଲୀ ୧୯/୦୩: ୯ ମାସର ପ୍ରତିକ୍ଷାର ଅନ୍ତ । ପୃଥିବୀକୁ ଫେରିଛନ୍ତି ମହାକାଶ ପରୀ । ସଫଳ ହୋଇଛି ନାସାର ମିଶନ । ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲା ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ । ଜୁନ୍ ୨୦୨୪ରେ ଆରମ୍ଭ ହୋଇଥିବା ମହାକାଶ ଅଭିଯାନ ସମୟ ସୀମା ଥିଲା ମାତ୍ର ୮ ଦିନ । ହେଲେ ଯାନ୍ତ୍ରିକ ତ୍ରୁଟିରୁ ୯ ମାସ ଫସିଗଲେ ସୁନୀତା ଓ୍ୱିଲିୟମ୍ସ । ଆଉ ମହାକାଶରେ ବିତାଇଥିବା ୯ ମାସ ସାବ୍ୟସ୍ତ ହୋଇପାରେ ମହଙ୍ଗା । ସ୍ୱାସ୍ଥ୍ୟ ଉପରେ ପକାଇପାରେ ଗଭୀର ପ୍ରଭାବ । ଆସନ୍ତୁ ଜାଣିବା ମହାକାଶରୁ ଫେରିବା ପରେ କେଉଁ କେଉଁ ସମସ୍ୟ ଭୋଗିବେ ସୁନିତା ୱିଲିୟମ୍ସ ।
ସୁନୀତା ଫେରିବା ଖୁସିଦାୟକ ନିଶ୍ଚିତ । ହେଲେ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଚେତାଇଛନ୍ତି କି, ଦୁର୍ବଳ ହେବ ହାଡ଼ ଓ ମାଂସପେଶୀ । ପ୍ରତି ମାସରେ ନିଜର ହାଡ଼ର ୧ ପ୍ରତିଶତ ହରାଇପାରନ୍ତି ସୁନୀତା । ବିଶେଷ କରି ଅଣ୍ଟା, ପଛଭାଗ ଓ ଜଙ୍ଘର ହାଡ଼ ପ୍ରଭାବିତ ହେବ । ପୃଥିବୀକୁ ଫେରିବା ପରେ ହାଡ଼ ଭାଙ୍ଗିବାର ଆଶଙ୍କା ବଢ଼ିଯାଇଥାଏ । ଏହାକୁ କମ କରିବା ପାଇଁ ମହାକାଶ ଯାତ୍ରୀ ISSରେ କଠିନ ପରିଶ୍ରମ କରିଥାନ୍ତି । ମହାକାଶରେ ଯାତ୍ରୀ ୧-୨ ଇଞ୍ଚ ଲମ୍ବା ହୋଇପାରନ୍ତି କାରଣ ସେମାନଙ୍କର ମେରୁଦଣ୍ଡର ହାଡ଼ ଲମ୍ବା ହୋଇପାରେ । ମାତ୍ର ଏହି ଉଚ୍ଚତା ପୃଥିବୀକୁ ଫେରିବା ପରେ କମ ହୋଇଯାଏ ।
ଏହା ସହ ISSରେ ଅଧିକ ଦିନ ରହିବା ଫଳରେ ହାର୍ଟ ଉପରେ ପଡିଥାଏ ପ୍ରଭାବ । କାରଣ ବଦଳିଯାଇଥାଏ ହୃଦୟର ଆକାର । ରିସର୍ଚ୍ଚରୁ ଜଣାପଡିଛି ମହାକାଶ ଯାତ୍ରୀଙ୍କ ହୃଦୟର ଆକାର ପାଖାପାଖି ୯.୪ ପ୍ରତିଶତ ଅଧିକ ଗୋଲ ହୋଇଯାଇଥାଏ । ମହାକାଶରେ ଭାସମାନ ଅବସ୍ଥାରେ, ଯାତ୍ରୀଙ୍କ ପାଦ ଉପରେ ଅଧିକ ଚାପ ପଡ଼େ ନାହିଁ ।
ଯାହା ସେମାନଙ୍କ ପାଦ ସଂସ୍ପର୍ଶରେ ଆସୁଥିବା କଠିନ ସ୍ତରକୁ ନରମ କରିଥାଏ। ଏହି କାରଣରୁ, ସେମାନଙ୍କ ପାଦର ଚର୍ମ ସମ୍ବେଦନଶୀଳ ହୋଇଯାଏ ଏବଂ ନବଜାତ ଶିଶୁର ପାଦର ଚର୍ମ ପରି ଛାଲି ପଡ଼ିବାକୁ ଲାଗେ । ସେତିକି ନୁହେଁ ମୁହଁ ଫୁଲିଯିବା, ନାକ ବନ୍ଦ ହେବା ଏବଂ ମୁଣ୍ଡରେ ଚାପ ବୃଦ୍ଧି କରିପାରେ। ଏହା ସହିତ, ଶରୀରର ତଳ ଅଂଶ ଦୁର୍ବଳ ଓ ପତଳା ହେବ । ଯାହାକୁ କୁହାଯାଏ "ପଫି-ହେଡ୍ ପକ୍ଷୀ-ଲେଗ୍ ସିଣ୍ଡ୍ରୋମ୍" ।
୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ କ୍ରୁ ସଦସ୍ୟ ପୃଥିବୀକୁ ଫେରିଛନ୍ତି । ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ୍ ମଧ୍ୟ ଫେରିଛନ୍ତି । ଦୀର୍ଘ୧୭ ଘଣ୍ଟାର ଯାତ୍ରା ପରେ ସ୍ପେଷ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡ କରିଛି ନାସାର ସ୍ପେସକ୍ରାଫ୍ଟ । ଆଉ ତାଙ୍କ ସଫଳ ଅବତରଣର ମୂକସାକ୍ଷୀ ଥିଲେ ସାରା ବିଶ୍ୱ । ଏମିତିକି ସମୂଦ୍ର ଜୀବ କରିଥିଲେ ସ୍ୱାଗତ । ବିଭୋର ହୋଇ ଡଲଫିନ୍ ଜାହିର କରିଥିଲେ ଖୁସି ।