ବାବର-ରିଜଓ୍ଵାନଙ୍କ ପ୍ରତ୍ୟାବର୍ତ୍ତନ, ଶାହିନଙ୍କୁ ମିଳିଲା ସୁଯୋଗ, ୨୦୨୫ ଏସିଆ କପ୍ ପାଇଁ ପାକିସ୍ତାନର ଟିମ୍ ଲିକ୍ !

Published By : Prameya-News7 Bureau | August 16, 2025 IST

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍‌ ପାଇଁ ପାକିସ୍ତାନ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ତାର ଚିତ୍ର ସାମ୍ନାକୁ ଆସିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏ ପର୍ଯ୍ୟନ୍ତ ଦଳ ଘୋଷଣା କରିଥିଲେ ହେଁ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ଏସିଆ କପ୍ ପାଇଁ ପାକିସ୍ତାନର ୧୫ ଜଣିଆ ଦଳକୁ ଦେଖିବାକୁ ମିଳିଛି। ପ୍ରଶଂସକ ଖୁବ୍ ଏହି ଫଟୋକୁ ସେୟାର କରୁଛନ୍ତି। କୁହାଯାଉଛି ପିସିବି ୨୦୨୫ ଏସିଆ କପ୍ ପାଇଁ ଏହି ୧୫ ଖେଳାଳିଙ୍କ ନାଁ ଉପରେ ମୋହର ମାରିଛି।

ଭାଇରାଲ୍ ଫଟୋରେ ୧୫ ଜଣଙ୍କ ନାଁ ଦେଖିବାକୁ ମିଳିଛି। ଏଥିରେ ପୂର୍ବତନ ଅଧିନାୟକ ବାବର ଆଜମ, ଦିନିକିଆ ଦଳର ଅଧିନାୟକ ମହମ୍ମଦ ରିଜଓ୍ଵାନ ଏବଂ ତାରକା ବୋଲର ଶାହିନ ଆଫ୍ରିଦି ସାମିଲ୍। ଏହି ଖେଳାଳିଙ୍କୁ ୨୦୨୫ ଏସିଆ କପ୍ ଓ ତ୍ରିକୋଣୀୟ ସିରିଜ୍‌ ପାଇଁ ଦଳରେ ସ୍ଥାନ ମିଳିଛି। ଏହି ଦଳରେ ଅଭିଜ୍ଞ ଖେଳାଳି ଫଖର ଜମାନ ମଧ୍ୟ ଅଛନ୍ତି। ହେଲେ ଅଧିନାୟକ କିଏ ହେବ ତାର ଖୁଲାସା  କରାଯାଇ ନାହିଁ।




ଏହି ଦଳରେ ଯୁବ ତାରକା ବ୍ୟାଟର ସାମ ଆୟୁବ ଅଛନ୍ତି। ହସନ ନଓ୍ଵାଜ, ମହମ୍ମଦ ହାରିସ, ସାହିବଜାଦା ଫରହାନ ଓ ସୁଫିୟାନ ମୁକିମଙ୍କ ପରି ଯୁବ ଖେଳାଳି ବି ସାମିଲ୍। ଅନ୍ୟପଟେ ଅନେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ବାବର ଆଜମ ଓ ମହମ୍ମଦ ରିଜଓ୍ଵାନଙ୍କୁ ଏସିଆ କପ୍‌ ଦଳରେ ସ୍ଥାନ ମିଳିବ ନାହିଁ। ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ବାବରଙ୍କୁ ଦଳରେ ସାମିଲ୍ କରଯାଇପାରେ, ମାତ୍ର ମହମ୍ମଦ ରିଜଓ୍ଵାନଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିବ ନାହିଁ।

ସୂଚନାଯୋଗ୍ୟ, ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ଅଂଶଗ୍ରହଣ କରିବେ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏସିଆ କପ୍ ଆବୁଧାବି ଓ ଦୁବାଇରେ ଖେଳାଯିବ। ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ସେପ୍ଟେମ୍ବର ୧୪ରେ ଖେଳାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.