କଟକରେ ହେବ କେନ୍ଦ୍ରାପଡ଼ା ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, କଡ଼ା ସୁରକ୍ଷାରେ ହେଲା ସ୍ଥାନାନ୍ତର

Published By : Prameya-News7 Bureau | August 07, 2025 IST

କେନ୍ଦ୍ରାପଡ଼ା ୭।୮: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ନୂଆ ମୋଡ । କଟକରେ ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ l ପୂର୍ବାହ୍ନ ୧୦ଟାରେ ମୃତଦେହ କେନ୍ଦ୍ରାପଡ଼ାରୁ କଟକ ଏସ୍‌ସିବି ମେଡିକାଲ ଅଭିମୁଖେ ବାହାରି ଯାଇଛି l କଡ଼ା ସୁରକ୍ଷା ମଧ୍ୟରେ କଟକ ସ୍ଥାନାନ୍ତର ହୋଇଛି ଛାତ୍ରୀଙ୍କ ମୃତଦେହ l କେନ୍ଦ୍ରାପଡାରେ FMT ଡାକ୍ତରଙ୍କ ଅଭାବ ଦର୍ଶାଇ ପୋଲିସ ଏହି ନିଷ୍ପତ୍ତି ନେଇଛି l

ସେପଟେ, ପୀଡ଼ିତାଙ୍କ ମା’ କହିଛନ୍ତି ମୋ ଝିଅଙ୍କୁ ନ୍ୟାୟ ମିଳୁ । ଦୋଷୀକୁ ଫାଶୀ ହେବା ଦରକାର । ମୋ ଝିଅ ତ ଗଲା । ଅଭିଯୁକ୍ତ କ’ଣ ଖୋଲା ବୁଲିବ । ତାକୁ ଫାଶୀ ହେଉ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଥିଲେ ବାପା । ତାଙ୍କ ମତରେ, ଜଣେ ଯୁବକ ତାଙ୍କ ଝିଅକୁ ବ୍ଲାକମେଲିଂ କରୁଥିଲା । ବାରମ୍ବାର ସେ ଝିଅର ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବାକୁ ଧମକ ମଧ୍ୟ ଦେଉଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଥାନା ଅଧିକାରୀ ଅଭିଯୋଗକୁ ରଖିନଥିଲେ । ବରଂ ଫୋନ୍‌ରେ ସେ ପୁଅର ନମ୍ବର ବ୍ଲକ୍ କରିବାକୁ କହିଥିଲେ । ଶେଷରେ ଯୁବତୀ ଜଣଙ୍କ ବାରମ୍ବାର ବ୍ଲାକମେଲିଂର ଧମକ ପାଇଁ ଆତ୍ମହତ୍ୟା କରିବାକୁ ପଛାଇନଥିଲା । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ବାପା କହିଥିଲେ । 


ତେବେ ଜଣେ ଥାନା ଅଧିକାରୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ତୁରନ୍ତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରିଛନ୍ତି ଏସ୍‌ପି ।

You Can Read:

କାଠିଆପଡ଼ାରେ ଛାତ୍ରୀ ପୋଡ଼ି ଘଟଣା, ବଦଳିଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.