ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କି ଅନ୍ୟ କୌଣସି ଭତ୍ତା ପାଇଁ କାହାର ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବନି

NEWS7
auto-associatin-and-police-dg-meeting

ଭୁବନେଶ୍ବର ୨୦।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ୍ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- କୃଷି, ରୋଜଗାର, AI, ପର୍ଯ୍ୟଟନ...ବଜେଟରେ ୧୬ ନୂଆ ପଦକ୍ଷେପ ଘୋଷଣା

ବଜେଟ୍ ଅଭିଭାଷଣରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କି ଅନ୍ୟ କୌଣସି ଭତ୍ତା ପାଇଁ କାହାର ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବନି । ଟାର୍ଗେଟ୍ ଖାଲି ସ୍ଥାନ ନାହିଁ ତେଣୁ ଏବେ ହେବନି ବୋଲି ଶୁଣିବାକୁ ପଡ଼ିବନି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏଣିକି ଆମ ସରକାର ଏହାକୁ ଏକ ଗୁରୁତର ଅସଙ୍ଗତି ଭାବେ ସ୍ବୀକାର କରୁଛି ଏବଂ ଏହାର ସମାଧାନ ପାଇଁ "ମଧୁବାବୁ ପେନ୍‌ସନ ଯୋଜନା" ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପରିପୃକ୍ତି ବା ସାଚୁରେସନ ମୋଡ୍‌ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପତ୍ତିର ପ୍ରସ୍ତାବ ଦିଆଗଲା ।

ଏ ଖବର ବି ପଢ଼ନ୍ତୁ:- ​​​​​​​ଜଳଭଣ୍ଡାର-କ୍ଷେତ୍ର ବିକାଶ ପାଇଁ ୯୯ କୋଟି, ପୁରୀରେ ହେବ "ଶାମୁକା" ପ୍ରକଳ୍ପ

ଆମେ ତୁରନ୍ତ ବାଦ୍ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବୁ । ଏହାସହିତ, ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକ ଯୋଗ୍ୟତା ପୂରଣ କରିବେ, ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାକାରୀଙ୍କ ମୃତ୍ୟୁ ଦ୍ବାରା ଖାଲି ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା ନ‌କରି ତୁରନ୍ତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ । ଆଗରୁ ସମସ୍ତ ଯୋଗ୍ୟତା ପୂରଣ କରିଥିବା ସତ୍ତ୍ବେ, ଏହି ସୁବିଧା ପାଇବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା କେତେବେଳେ ପୂର୍ବ ହିତାଧିକାରୀଙ୍କ ମୃତ୍ୟୁ ଯୋଗୁଁ ଖାଲି ସ୍ଥାନ ସୃଷ୍ଟି ହେବା ପର୍ଯ୍ୟନ୍ତ । ଏହା ରାଜ୍ୟର ବୃଦ୍ଧ ଓ ଅସହାୟ ନାଗରିକମାନଙ୍କ ପ୍ରତି ଏକ ଅନ୍ୟାୟ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।