ନୂଆଦିଲ୍ଲୀ:ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୩୭ ଜଣଙ୍କର ଜୀବନ ଯାଇଛି। ବୁଧବାର ଏକ ଯାତ୍ରୀବାହୀ ବସ୍ ଏକ ପିଅକପ ଭ୍ୟାନ ସହ ଧକ୍କା ଖାଇକୁ ଖସି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ମୃତକଙ୍କ ସହିତ ୨୪ ଜଣ ଆହତ ହୋଇଛନ୍ତି। ଦକ୍ଷିଣ ପେରୁର ଆରେକ୍ୱିପାରେ ଏହି ଦୁର୍ଘଟଣା ଘଟିଥିଲା।

ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି କୁହାଯାଉଛି। ପେରୁକୁ ଚିଲି ସହିତ ସଂଯୋଗ କରୁଥିବା ପାନାମେରିକାନା ସୁର ରାଜପଥରେ ଯାତ୍ରୀବାହୀ ବସ୍‌ଟି ଯାଉଥିବା ବେଳେ ଭୋର ସମୟରେ ଦୁର୍ଘଟଣା ଘଟିଥିଲା।

Image

ଅନ୍ତର୍ଜାତୀୟ ଗଣମାଧ୍ୟମ ଏଫ୍‌ପିକୁ ପ୍ରତିକ୍ରିୟା ଦେଇ ଆରେକ୍ୱିପାର ଆଞ୍ଚଳିକ ସ୍ୱାସ୍ଥ୍ୟ ପରିଚାଳକ ୱାଲ୍ଥର ଓପୋର୍ଟୋ କହିଛନ୍ତି "ଆମ ପାଖରେ ୩୭ ଜଣଙ୍କ ମୃତ୍ୟୁ ସଂଖ୍ୟା ଅଛି। ୨୪ ଜଣ ଆହତ ହୋଇଛନ୍ତି।"

ଘଟଣା ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ପେରୁକୁ ଚିଲି ସହିତ ସଂଯୋଗ କରୁଥିବା ପାନାମେରିକାନା ସୁର ରାଜପଥର ଭୋର ସମୟରେ ଦୁର୍ଘଟଣା ଘଟିଥିଲା। କମ୍ପାନୀ ଦ୍ୱାରା ପରିଚାଳିତ ବସ୍‌ଟି କାରାଭେଲି ପ୍ରଦେଶର ଚାଲା ସହରରୁ ଆରେକ୍ୱିପା ଅଭିମୁଖେ ଯାଉଥିଲା। ଏଥିରେ ୬୦ ଜଣ ଯାତ୍ରୀ ଥିଲେ।

ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ବସଟି ବୁଲାଣିରେ ବୁଲୁଥିବା ବେଳେ ଏକ ପିକଅପ୍ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇ ପ୍ରାୟ ୨୦୦ ମିଟର (୬୫୦ ଫୁଟ) ଗଭୀର ଖାଇକୁ ଖସି ପଡ଼ିଥିଲା।

​​​​​​​

ତେବେ ପେରୁରେ ଏଭଳି ଦୁର୍ଘଟଣା ନୂଆ ନୁହେଁ। ସେଠାକାର ଲୋକଙ୍କର ଦ୍ରୁତ ଗତିରେ ବେପରୁଆ ଡ୍ରାଇଭିଂ ଖରାପ ରାସ୍ତା ଓ କର୍ତ୍ତୃପକ୍ଷଙ୍କ ଦୁର୍ବଳ କାର୍ଯ୍ୟାନୁଷ୍ଠାନ ଯୋଗୁ ପେରୁରେ ଟ୍ରାଫିକ୍ ଦୁର୍ଘଟଣା ବାରମ୍ବାର ଘଟୁଛି।