ନୂଆଦିଲ୍ଲୀ: ଗ୍ରହାଣୁ ବା ଆଷ୍ଟ୍ରଏଡ୍ଠାରୁ ପୃଥିବୀ ପ୍ରତି ବିପଦ ଲଗାତାର ବଢିବାରେ ଲାଗିଛି । ପୃଥିବୀ ପାଇଁ ଘାତକ ସାବ୍ୟସ୍ତ ହେବାକୁ ଥିବା ଏହି ଆଷ୍ଟ୍ରଏଡ୍କୁ ନେଇ ବୈଜ୍ଞାନିକଙ୍କ ଚିନ୍ତା ମଧ୍ୟ ବଢିଛି । ଏଭଳି ଏକ ଗ୍ରହାଣୁ ହେଉଛି ଆଷ୍ଟ୍ରଏଡ୍ 2024 YR4 । ଏହି ଆଷ୍ଟ୍ରଏଡ୍ ୨୦୩୨ରେ ପୃଥିବୀରେ ମାଡ଼ ହେବାର ସମ୍ଭାବନା ରହିଛି । ତେବେ ସବୁଠୁ ଅଧିକ ଚିନ୍ତା ବିଷୟ ଏହା ଯେ ବୈଜ୍ଞାନିକମାନେ ପ୍ରଥମେ ପୃଥିବୀ ସହ ଏହାର ଧକ୍କା ହେବାର ସମ୍ଭାବନା ୧.୩ ପ୍ରତିଶତ ଥିବା କହିଥିଲେ, କିନ୍ତୁ ଏବେ ଏହି ସମ୍ଭାବନା ୨.୧ ପ୍ରତିଶତ ହୋଇଛି ।
ରିପୋର୍ଟ ଅନୁସାରେ 2024 YR4 ୨୦୩୨ରେ ଆଷ୍ଟ୍ରଏଡ୍ ପୃଥିବୀରୁ ସୁରକ୍ଷିତ ଅତିକ୍ରମ କରିବାର ୯୭.୯ ପ୍ରତିଶତ ସମ୍ଭାବନା ରହିଛି । ନାସା ବୈଜ୍ଞାନିକଙ୍କ ମତରେ ଏହି ଗ୍ରହାଣୁ ଦ୍ୱାରା ୨.୧ ପ୍ରତିଶତ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଯଦି ଆଷ୍ଟ୍ରଏଡ୍ ପୃଥିବୀ ସହ ମାଡ଼ ହୁଏ, ତେବେ ୨୦୩୨ ଡିସେମ୍ୱର ୨୨ରେ ଏହି ଘଟଣା ଘଟିପାରେ ।
ନାସାର କାଟାଲିନା ସ୍କାଏ ସର୍ଭେ ପ୍ରୋଜେକ୍ଟର ଜଣେ ବୈଜ୍ଞାନିକ ଡେଭିଡ୍ ରାଙ୍କିନ୍ ଗ୍ରହାଣୁ ପାଇଁ ଏକ 'ରିସ୍କ କରିଡର' ଆକଳନ କରିଛନ୍ତି । ଏହା ଯଦି ମାଡ଼ ହୁଏ ତେବେ ପୃଥିବୀର ଏକ ବଡ଼ ଭାଗରେ ବ୍ୟାପକ କ୍ଷତି ପହଞ୍ଚାଇବ । ତାଙ୍କ ମତରେ ଏହି ରିସ୍କ କରିଡର ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର ଏବଂ ଆଫ୍ରିକା ଯାଏଁ ବ୍ୟାପ୍ତ ହେବ । ଭେନେଜୁଏଲା, କଲୋମ୍ବିଆ, ଇକ୍ୱେଡର, ଭାରତ, ପାକିସ୍ତାନ, ବାଂଲାଦେଶ, ଇଥିଓପିଆ, ସୁଡାନ ଏବଂ ନାଇଜେରିଆ ଭଳି ନିର୍ଦ୍ଦିଷ୍ଟ ଦେଶଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି । ତେବେ ପୃଥିବୀର ଘୂର୍ଣ୍ଣନ ଶେଷରେ ଏହା କେଉଁଠାରେ ମାଡ଼ କରିବ ତାହା ସ୍ଥିର କରିବ ।
ଗ୍ରହାଣୁ ଉପରେ ଏକ ବୈଶ୍ୱିକ ଟିମ୍ ନଜର ରଖିଛନ୍ତି । ବୈଜ୍ଞାନିକଙ୍କ ଏହି ଟିମ୍ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ସାହାଯ୍ୟରେ ସମ୍ଭାବ୍ୟ କ୍ଷତିର ଆକଳନ କରୁଛନ୍ତି । ୧୯୦୮ ମସିହାରେ ସମାନ ଆକାରର ଏକ ଗ୍ରହାଣୁ ଟୁଙ୍ଗୁସ୍କା, ସାଇବେରିଆରେ ମାଡ଼ ହୋଇଥିଲା । ଯାହା ୮୩୦ ବର୍ଗ କିଲୋମିଟର ଜଙ୍ଗଲକୁ ଧ୍ୱଂସ କରିଥିଲା । ୨୦୨୪ ଡିସେମ୍ବରରେ 2024 YR4 ଗ୍ରହାଣକୁ ଚିହ୍ନଟ କରାଯାଇଥିଲା । ସେତେବେଳେ ଏହାର ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ୧.୩% ଥିଲା, ତଥାପି ନାସା ଏହାକୁ ସବୁଠାରୁ ବିପଦପୂର୍ଣ୍ଣ ବସ୍ତୁ ଭାବରେ ସ୍ଥାନିତ କରିଥିଲା।
ଡେଲି ମେଲ୍କୁ ପ୍ରତିକ୍ରିୟା ଦେଇ ୟୁରୋପୀୟ ସ୍ପେସ୍ ଏଜେନ୍ସି ପ୍ରତିନିଧିଙ୍କ ଅନୁଯାୟୀ, 'ବିଶ୍ୱବ୍ୟାପୀ ଜ୍ୟୋତିର୍ବିଦମାନେ ଗ୍ରହାଣୁର କକ୍ଷପଥ ଯଥାସମ୍ଭବ ସଠିକ୍ ନିରୀକ୍ଷଣ କରିବା ପାଇଁ ଅତ୍ୟାଧୁନିକ ଟେଲିସ୍କୋପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହାର କକ୍ଷପଥ ଜାଣିବା ଦ୍ୱାରା ଆମେ କେବଳ ଗ୍ରହାଣୁ ପୃଥିବୀର କେଉଁ ଭାଗକୁ ପ୍ରଭାବିତ କରିବ ତାହା ଜାଣିବା ପାରିବ । ଏହାର ପ୍ରଭାବ କେତେ ଅଧିକ ରହିବ ତାହା ହୋଇପାରେ ତାହା ନୁହେଁ।'