କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟାନ ହେବ RSS, ଘୋଷଣା କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ଯଦି କଂଗ୍ରେସ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ RSSକୁ ସାରା ଦେଶରେ ବ୍ୟାନ କରାଯିବ। ଏଭଳି ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡଗେ। ପ୍ରିୟାଙ୍କ ଖଡଗେଙ୍କ RSSକୁ ବ୍ୟାନ କରିବା ବୟାନ ଏକ ନୂଆ ବିତର୍କ ସୃଷ୍ଟି କରିଛି। ଦେଶରେ ଘୃଣା ବିସ୍ତାର, ସାମ୍ପ୍ରଦାୟିକ ହିଂସା ପାଇଁ ସେ RSSକୁ ଦାୟୀ କରିଛନ୍ତି।

ସେ ପ୍ରଶ୍ନ କରିଛନ୍ତି- RSS କାହିଁକି ବିଜେପିକୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରୁ ନାହିଁ। ଯେପରିକି ଦେଶରେ ବେକାରୀ କାହିଁକି ବଢ଼ୁଛି, ପହଲଗାମରେ ଆତଙ୍କବାଦୀ ଆକ୍ରମଣ କିପରି ହେଲା? ଏହା ନ ପଚାରି ସଂଘର ଲୋକମାନେ ସମାଜରେ ଘୃଣା ପ୍ରସାର କରୁଛନ୍ତି। ସେ କହିଛନ୍ତି ଯେ କ୍ଷମତାକୁ ଆସିବା ପରେ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଦେଶରେ RSSକୁ ବ୍ୟାନ କରାଯିବ।

ପ୍ରିୟାଙ୍କ କହିଛନ୍ତି ଯେ ଇଡି, ଆଇଟି ଭଳି ସମସ୍ତ ତଦନ୍ତକାରୀ ସଂସ୍ଥା କେବଳ ବିରୋଧୀଙ୍କ ପାଇଁ, ସରକାର କାହିଁକି ଆରଏସଏସର ତଦନ୍ତ କରନ୍ତି ନାହିଁ, ଟଙ୍କା କେଉଁଠାରୁ ଆସୁଛି, ସେମାନଙ୍କର ଆୟର ଉତ୍ସ କ'ଣ। ଏହି ସମସ୍ତ ପ୍ରସଙ୍ଗର ତଦନ୍ତ ହେବା ଉଚିତ।

ପ୍ରିୟାଙ୍କ ଖଡଗେଙ୍କ ଏପରି ବୟାନ ଦେବା ପ୍ରଥମ ଥର ନୁହେଁ। ଦୁଇ ବର୍ଷ ପୂର୍ବେ ମଧ୍ୟ କର୍ଣ୍ଣାଟକ ପ୍ରସଙ୍ଗରେ ସେ କହିଥିଲେ ଯେ ଯଦି କୌଣସି ସଂଗଠନ ରାଜ୍ୟରେ ଶାନ୍ତି ବିଭ୍ରାନ୍ତ କରିବାକୁ କିମ୍ବା ସାମ୍ପ୍ରଦାୟିକ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରେ, ତେବେ ସରକାର ଏହାକୁ ବ୍ୟାନ କରିବାକୁ ଆଦୌ ସଂକୋଚ କରିବ ନାହିଁ। କଂଗ୍ରେସ କର୍ଣ୍ଣାଟକରେ ଏହାର ଘୋଷଣାପତ୍ରରେ କହିଥିଲା ଯେ ରାଜ୍ୟରେ କ୍ଷମତାକୁ ଆସିବା ମାତ୍ରେ, ବଜରଙ୍ଗ ଦଳ, ପିଏଫଆଇ ସମେତ ଜାତି ଏବଂ ଧର୍ମ ଆଧାରରେ ଘୃଣା ପ୍ରସାର କରୁଥିବା ସମସ୍ତ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିରନ୍ତର RSSକୁ ସମାଲୋଚନା କରିଆସୁଛନ୍ତି। ଏହି ସଂଗଠନ ଦେଶକୁ ବିଭାଜିତ କରୁଥିବା ଅଭିଯୋଗ ଆଣିଛନ୍ତି। ତେବେ ପ୍ରିୟଙ୍କ ଖଡଗେଙ୍କ ଅଭିଯୋଗକୁ ନେଇ RSS କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.