ଦୁବାଇ: ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍ ୨୦୨୫। ଏହା ପୂର୍ବରୁ ଆଜି ସମସ୍ତ ୮ ଦଳର ଅଧିନାୟକଙ୍କ ଫଟୋ ସେସନ ହେବା ସହ ପ୍ରେସମିଟ୍ ବି ହୋଇଛି। ଏହି ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌କୁ ନେଇ ନିଜର ଏବଂ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସୂର୍ଯ୍ୟା କହିଛନ୍ତି, ତାଙ୍କ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଉପରେ ଅଙ୍କୁଶ ଲଗାଇବ ନାହିଁ। କାରଣ ଏହା ଅନ୍ତର୍ଜାତୀୟ କ୍ରିକେଟର ଏକ ଗୁରୁରତ୍ଵପୂର୍ଣ୍ଣ ଦିଗ। ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ଦୁବାଇରେ ଏସିଆ କପ୍ ୨୦୨୫ର ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ।  ଅନ୍ୟପଟେ ପାକିସ୍ତାନର ଅଧିନାୟକ ସଲମାନ ଆଗା କହିଛନ୍ତି, ସେ କାହାକୁ ନିର୍ଦ୍ଦେଶ ଦେବେ ନାହିଁ, ମାତ୍ର ଏଥିରୁ ପଛକୁ ହଟିବେ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତ ବୁଧବାର ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆାରମ୍ଭ କରିବ।

ସୂର୍ଯ୍ୟକୁମାର ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ମଇଦାନରେ ଆକ୍ରମଣାତ୍ମକ ସର୍ବଦା ରହିବ। ଆକ୍ରମଣାତ୍ମକ ବିନା ଆମେ ଖେଳି ପାରିବୁ ନାହିଁ। ମୁଁ ଆକ୍ରମଣାତ୍ମକ ସହ ମଇଦାନକୁ ଓହ୍ଲାଇବା ନେଇ ଉତ୍ସାହିତ। ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କଣ ଖେଳାଳି ନିଜର ଆକ୍ରମଣାତ୍ମକ କମ କରିବେ  ? ଚଳିତ ବର୍ଷ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ଚଲାଇଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହି ସଂଘର୍ଷ ପରେ ଦୁଇ ଦଳ ପ୍ରଥମ ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

ପାକିସ୍ତାନୀ ଅଧିନାୟକ ସଲମାନ ଅଲୀ ଆଗା କହିଛନ୍ତି, ଯଦି କେହି ଆକ୍ରମଣାତ୍ମକ ହେବାକୁ ଚାହାନ୍ତି ତେବେ ସେ ତାହା କରି ପାରିବେ। କୌଣସି ଖେଳାଳିଙ୍କୁ କିଛି କହିବାର ଆବଶ୍ୟକତା ନାହିଁ। କାରଣ ପ୍ରତ୍ୟେକ ଖେଳାଳିଙ୍କ ନିଜସ୍ଵ ଖେଳିବାର ଶୈଳୀ ରହିଛି। ଦ୍ରୁତ ବୋଲର ସର୍ବଦା ଆକ୍ରମଣାତ୍ମକ  ରହିଥାନ୍ତି। ଉଲ୍ଲେଖନୀୟ ସାମ୍ବାଦିକ ସମ୍ମିଳନୀ ଏବଂ ଟ୍ରଫି ଅନାବରଣ ପରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଥିଲା। ମିଡିଆକୁ କେବଳ ଅଣ ରାଜନୈତିକ ପ୍ରଶ୍ନ  ପଚାରିବାକୁ କୁହାଯାଇଥିଲା। ସୂର୍ଯ୍ୟକୁମାର ଓ ସଲମାନ ମଧ୍ୟ ଏକାଠି ବସି ନ ଥିଲେ। ଉଭୟଙ୍କ ମଝିରେ ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ ବସିଥିବା ଦେଖିବାକୁ  ମିଳିଥିଲା।

ଭାରତୀୟ ଅଧିନାୟକଙ୍କୁ ଯେବେ ପଚରା ଯାଇଥିଲା ଯେ, କଣ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହିଁବେ। ସେ ସ୍ମିତହାସ୍ୟ ଦେଇ କହିଛନ୍ତି, ଆପଣ ମୋତେ ଉସୁକାଇବାକୁ ଚାହୁଁଛନ୍ତି। ଯେବେ ଆପଣ କୌଣସି ଫର୍ମାଟରେ ଖେଳୁଛନ୍ତି ତେବେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ପ୍ରସ୍ତୁତି କେତେ ଭଲ ରହିଥାଏ। ବିନା କାରଣରେ ପ୍ରୟୋଗର କୌଣସି ଆବଶ୍ୟକତା ନାହିଁ। ଯଦି ଆମକୁ ଫଳାଫଳ ମିଳୁଛି ତେବେ ପରିବର୍ତ୍ତନ କାହିଁକି କରିବୁ ।

ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ। ସୂର୍ଯ୍ୟକୁମାର ସାମସନଙ୍କ ଉପରେ ପ୍ରଶ୍ନ କରିଥିବା କେରଳର ସାମ୍ବାଦିକଙ୍କୁ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ମୁଁ ଆପଣଙ୍କୁ ପୂରା ଟିମ ମେସେଜ କରି ଦେବି। ସେମିତିରେ ବି ଆମେ ସଞ୍ଜୁଙ୍କ ପୂରା ଧ୍ୟାନ ରଖୁଛୁ। ଆପଣ ଚିନ୍ତା କରନ୍ତୁ ନାହିଁ। ଆସନ୍ତାକାଲି ଆମେ ଠିକ୍ ନିଷ୍ପତ୍ତି ନେବୁ।