ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ରୋହିଣୀରେ ଅନ୍ତର୍ଜାତୀୟ ଆର୍ୟନ ଶିଖର ସମ୍ମିଳନୀ ୨୦୨୫ରେ ଯୋଗ ଦେଇଛନ୍ତି । ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ଓ ଆର୍ଯ୍ୟ ସମାଜର ସମାଜ ସେବାର ୧୫୦ତମ ବର୍ଷ ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜାଣିଥିଲେ ଯେ ଯଦି ଭାରତକୁ ପ୍ରଗତି କରିବାକୁ ହୁଏ, ତେବେ କେବଳ ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ସହ ଆମ ସମାଜକୁ ବାନ୍ଧି ରଖିଥିବା ଶିକୁଳିକୁ ଭାଙ୍ଗିବା ମଧ୍ୟ ଆବଶ୍ୟକ । ସେଥିପାଇଁ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜାତିପ୍ରଥା, ଅସ୍ପୃଶ୍ୟତା ଏବଂ ଭେଦଭାବକୁ ନିନ୍ଦା କରିଥିଲେ।"

ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମର ଭାରତ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ଏହି ଭୂମି, ଏହାର ସଭ୍ୟତା, ଏହାର ବୈଦିକ ପରମ୍ପରା ଯୁଗ ଯୁଗ ଧରି ଅମର ରହିଛି। ଯେତେବେଳେ କୌଣସି ଯୁଗରେ ନୂତନ ଆହ୍ୱାନ ଆସେ ଏବଂ ସମୟ ନୂତନ ପ୍ରଶ୍ନ କରେ, ସେତେବେଳେ ମହାନ ବିଭୂତି ଉତ୍ତର ସହିତ ଆବିର୍ଭୂତ ହୁଅନ୍ତି। କିଛି ଋଷି, ମହାଋଷି ଏବଂ ବୁଦ୍ଧିଜୀବୀ ଆମ ସମାଜକୁ ଏକ ନୂତନ ଦିଗ ଦେଖାନ୍ତି । ଦୟାନନ୍ଦ ସରସ୍ୱତୀ ମଧ୍ୟ ଏହି ମହାନ ପରମ୍ପରାର ଜଣେ ମହାଋଷି ଥିଲେ।"

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆର୍ଯ୍ୟ ସମାଜ ଏହାର ପ୍ରତିଷ୍ଠା ଠାରୁ ଆଜି ପର୍ଯ୍ୟନ୍ତ ପ୍ରଖର ଦେଶପ୍ରେମୀଙ୍କ ଏକ ସଂଗଠନ ହୋଇଆସିଛି । ଏହା ନିର୍ଭୀକ ଭାବରେ ଭାରତୀୟତାକୁ ସମର୍ଥନ କରିଛି । ଏହା ଯେକୌଣସି ଭାରତ ବିରୋଧୀ ଚିନ୍ତାଧାରା ହେଉ, ବିଦେଶୀ ଚିନ୍ତାଧାରା ଲଦି ଦେଉଥିବା ବ୍ୟକ୍ତି, ବିଭାଜନକାରୀ ମାନସିକତା ହେଉ, ଆର୍ଯ୍ୟ ସମାଜ ସର୍ବଦା ସେମାନଙ୍କୁ ଚ୍ୟାଲେଞ୍ଜ କରିଆସିଛି । ମୁଁ ଆଶ୍ୱସ୍ତ ଯେ ଆଜି, ଆର୍ଯ୍ୟ ସମାଜ ଏହାର ୧୫୦ତମ ବାର୍ଷିକୀ ପାଳନ କରୁଥିବା ସମୟରେ, ସମାଜ ଏବଂ ରାଷ୍ଟ୍ର ଏହି ମହାନ ରୂପରେ ଦୟାନନ୍ଦ ସରସ୍ୱତୀଙ୍କ ମହାନ ଚିନ୍ତାଧାରାକୁ ଶ୍ରଦ୍ଧାଞ୍ଜଳି ଦେଉଛି।"

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆର୍ଯ୍ୟ ସମାଜ ପ୍ରତିଷ୍ଠାର ୧୫୦ ବର୍ଷ ପୂର୍ତ୍ତିର ଏହି ଅବସର କେବଳ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କିମ୍ବା ସମ୍ପ୍ରଦାୟ ବିଷୟରେ ନୁହେଁ । ଏହା ସମଗ୍ର ଭାରତର ବୈଦିକ ପରିଚୟ ବିଷୟରେ । ଏହା ଭାରତର ଧାରଣା ବିଷୟରେ, ଯାହା ଗଙ୍ଗାର ପ୍ରବାହ ପରି ନିଜକୁ ପରିଷ୍କାର କରିବାର ଶକ୍ତି ରଖେ । ଏହା ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବୈଚାରିକ ଶକ୍ତି ପ୍ରଦାନ କରିଥିଲା । ଆର୍ଯ୍ୟ ସମାଜ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମ ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଦୁର୍ଭାଗ୍ୟବଶତଃ, ରାଜନୈତିକ କାରଣରୁ, ସ୍ୱାଧୀନତା ସଂଗ୍ରାମରେ ଆର୍ଯ୍ୟ ସମାଜର ଭୂମିକାକୁ ଉପଯୁକ୍ତ ସ୍ୱୀକୃତି ମିଳିଲା ନାହିଁ।"