ନୂଆଦିଲ୍ଲୀ: ଚୀନ ଆକାର, ଶିକ୍ଷା, ଶିଳ୍ପ, ଭିତ୍ତିଭୂମି, ଜିଡିପି ସବୁ କ୍ଷେତ୍ରରେ ଭାରତ ଠାରୁ ଅନେକ ବଡ଼। ଏବେ ଭାରତ ବି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ଆଗକୁ ବଢ଼ୁଛି। ହେଲେ ଚୀନରେ ଷ୍ଟାର୍ଟଅପ୍ ଯେତେ ଶୀଘ୍ର ବଢ଼ୁଛି ଭାରତ ତାଳ ଦେଇପାରୁ ନାହିଁ।
ନିକଟରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ମଧ୍ୟ ଭାରତର ଷ୍ଟାର୍ଟଅପ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ୨୦୨୫ ଷ୍ଟାର୍ଟଅପ୍ ମହାକୁମ୍ଭରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ " କ’ଣ ଆମେ କେବଳ ଏହି ଡେଲିଭରି ବୟ ଏବଂ ଗାର୍ଲରେ ସୀମିତ ରହିବା?" ତାଙ୍କର ଏହି ବକ୍ତବ୍ୟ ପରେ ଦେଶରେ ଏକ ବିତର୍କ ଆରମ୍ଭ ହୋଇଛି। ଭାରତୀୟ ଷ୍ଟାର୍ଟଅପ୍ କେବଳ ଡିଜିଟାଲ୍ ସେବା ଏବଂ ଆପ୍ ନିର୍ମାଣ କରିବାରେ ସୀମିତ ରହିଛି।
ହେଲେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଡିପ୍-ଟେକ୍, ସେମିକଣ୍ଡକ୍ଟର, ଏଆଇ, ଇଲେକ୍ଟ୍ରିକ୍ ଯାନ (EV) ଏବଂ ରୋବୋଟିକ୍ସ ଭଳି ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେଉଛନ୍ତି ବୋଲି ସାଧାରଣରେ କଥା ଉଠିଛି। ବିଶେଷ କରି ଭାରତ ବର୍ତ୍ତମାନ ଚୀନ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛି। ହେଲେ ଚୀନ ଷ୍ଟାର୍ଟଅପ୍ରେ ଭାରତ ଠାରୁ ବହୁ ଆଗରେ ରହିଛି।
ପଢନ୍ତୁ- ବନ୍ଧୁକ ମୁନରେ କୌଣସି ଚୁକ୍ତି ହୁଏନି: ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ କହିଲେ କେନ୍ଦ୍ରମନ୍ତ୍ରୀ
ଷ୍ଟାର୍ଟଅପ୍ ଜଗତରେ କେମିତି ସମୃଦ୍ଧ ହେଲା ଚୀନ୍?
ଗତ ୨୦ ବର୍ଷ ମଧ୍ୟରେ, ଭାରତ ଏବଂ ଚୀନକୁ ଷ୍ଟାର୍ଟଅପ୍ ଅଭିବୃଦ୍ଧିର ଦୁଇଟି ସବୁଠାରୁ ବଡ଼ ଇଞ୍ଜିନ୍ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ୨୦୨୪ ସୁଦ୍ଧା ଚୀନ୍ ଏହି ଦୌଡ଼ରେ ଭାରତକୁ ବହୁତ ପଛରେ ପକାଇ ଦେଇ ଆଗକୁ ପଳାଇଲା। ଚୀନର ଆଲିବାବା, ଟେନସେଣ୍ଟ ଏବଂ ବାଇଟ୍ଡାନ୍ସ ଭଳି କମ୍ପାନୀଗୁଡ଼ିକ ବିଶ୍ୱବ୍ୟାପୀ ପରିଚିତି ହାସଲ କଲେ। ହେଲେ ଭାରତରେ ଅନେକ ଷ୍ଟାର୍ଟଅପ୍ କମ୍ପାନୀ ପଣ୍ଡିଂ, ସ୍କେଲ୍ ଏବଂ ଫ୍ରଫିଟେବିଲିଟି ଭଳି ସମସ୍ୟା ସହିତ ଏବେ ବି ସଂଘର୍ଷ କରୁଛନ୍ତି।
ଚୀନ ସରକାରଙ୍କ ଷ୍ଟାର୍ଟଅଫ୍ ସୁହାଇଲା ଭଳି ନୀତି ଏବଂ ଅତ୍ୟଧିକ ନିବେଶ ଯୋଗୁ ବେଜିଂର ଅଭିବୃଦ୍ଧି ସମ୍ଭବ ହେଲା। ଚୀନ୍ ସରକାର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ୧.୪ ଟ୍ରିଲିୟନ ଡଲାରର ପ୍ରଯୁକ୍ତିବିଦ୍ୟା ନିବେଶ ଯୋଜନା ପ୍ରଣୟନ କରିଥିବା ବେଳେ, ଭାରତ ସରକାର ମାତ୍ର ୧୫୦ ବିଲିୟନ ଡଲାରର ପାଣ୍ଠି ଆବଣ୍ଟନ କରିଥିଲେ। ଚୀନ୍ କେବଳ ୨୦୨୪ ମସିହାରେ ହାଇ-ଟେକ୍ କମ୍ପାନୀଗୁଡ଼ିକ ପାଇଁ ୩୬୧ ବିଲିୟନ ଡଲାରର ଟିକସ ଛାଡ଼ ପ୍ୟାକେଜ୍ ଘୋଷଣା କରିଛି। ହେଲେ ଭାରତରେ ଏଭଳି କୌଣସି ବଡ଼ ଯୋଜନା ଘୋଷଣା ହୋଇ ନାହିଁ।
କେଉଁଠି ପଛେଇ ଗଲା ଭାରତର ଷ୍ଟାର୍ଟଅପ୍ ?
ଭାରତର ଷ୍ଟାଟଅପ୍ଗୁଡ଼ିକୁ ଫଣ୍ଡିଂର ଅଭାବ, ସରକାରୀ ନୀତିରେ ଅସ୍ଥିରତା ଏବଂ ଡିପ୍-ଟେକ୍ ସେକ୍ଟରରେ ନିବେଶର ଅଭାବ ଯୋଗୁ ଭାରତରେ ଷ୍ଟାର୍ଟଅପ୍ଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୪ ମସିହାରେ ଚୀନ୍ ଷ୍ଟାର୍ଟଅପ୍ ଗୁଡ଼ିକ ୨୬ ବିଲିୟନ ଡଲାର ଭେଞ୍ଚର କ୍ୟାପିଟାଲ ଫଣ୍ଡିଂ ସଂଗ୍ରହ କରିଥିଲେ, ହେଲେ ଭାରତୀୟ ଷ୍ଟାର୍ଟଅପ୍ ଗୁଡ଼ିକୁ ମାତ୍ର ୧୩.୭ ବିଲିୟନ ଡଲାର ହିଁ ମିଳିପାରି ଥିଲା।
ପଢନ୍ତୁ- ଫିକା ପଡ଼ୁଛି ଲଣ୍ଡନର ଚମକ: ସହର ଛାଡ଼ି ପଳାଉଛନ୍ତି କୋଟିପତି,ଧନୀଙ୍କୁ ଆକର୍ଷଣ କରୁଛି ଏସିଆ ଓ ଆମେରିକା
ସବୁଠାରୁ ବଡ଼ ସମସ୍ୟା ହେଲା ଚୀନ୍ ମ୍ୟାନୁଫେକ୍ଚରିଂ, ଏଆଇ, ସେମିକଣ୍ଡକ୍ଟର ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଚୁର ନିବେଶ କରିଥିଲେ ମଧ୍ୟ, ଭାରତର ଷ୍ଟାର୍ଟଅପ୍ଗୁଡ଼ିକ ଡିଜିଟାଲ୍ ସେବା, ଖାଦ୍ୟ ବିତରଣ ଏବଂ ଫିନ୍ଟେକ୍ ପର୍ଯ୍ୟନ୍ତ ସୀମିତ ରହିଗଲେ। ୨୦୨୪ ମସିହାରେ ଭାରତୀୟ ଡିପ୍-ଟେକ୍ ଷ୍ଟାର୍ଟଅପ୍ଗୁଡ଼ିକୁ ମାତ୍ର ୧.୬ ବିଲିୟନ ଡଲାର ପାଣ୍ଠି ମିଳିଥିଲା ଥିବା ବେଳେ ଚୀନ କେବଳ ଏଆଇ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ୧୨.୩ ବିଲିୟନ ଡଲାର ନିବେଶ କରିଥିଲା।
ଭାରତରେ ଫୁଡ ଡେଲିଭରି, ଡିଜିଟାଲ୍ ପେମେଣ୍ଟ, ସ୍ୱାସ୍ଥ୍ୟସେବା ଏବଂ ଇ-କମର୍ସ ଭଳି କ୍ଷେତ୍ରରେ ଷ୍ଟାର୍ଟଅପ୍ ଭଲ ପ୍ରଦର୍ଶନ କରିଛନ୍ତି। ଜୋମାଟୋ, ସ୍ୱିଗି, ପେଟିଏମ୍ ଭଳି କମ୍ପାନୀଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେଲା। କିନ୍ତୁ ଭାରତ ଏବେ ବି ଡିପ୍-ଟେକ୍, ଏଆଇ, ରୋବୋଟିକ୍ସ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ପ୍ରଯୁକ୍ତିବିଦ୍ୟାରେ ପଛରେ ଅଛି। ଏ ଦିଗରେ ଅଧିକ ଆଗକୁ ବଢ଼ିପାରି ନାହିଁ।
ଚୀନ୍ ଷ୍ଟାର୍ଟଅପ୍ ତୁଳନାରେ ଭାରତ କାହିଁକି ଦୁର୍ବଳ ପ୍ରମାଣିତ ହେଲା?
• EV ଏବଂ ବ୍ୟାଟେରୀ ଟେକ୍ନୋଲୋଜୀ: ଚୀନର BYD ଏବଂ CATL EV ବ୍ୟାଟେରୀରେ ବିଶ୍ୱସ୍ତରରେ ନିଜର ପ୍ରଭାବ ବିସ୍ତାର କରି ସାରିଛନ୍ତି। ହେଲେ ଭାରତ ଏବେ ବି ଏହି କ୍ଷେତ୍ରର ଏକ ନବଜାତ ଭଳି ପ୍ରଦର୍ଶନ କରୁଛି।
• ସେମିକଣ୍ଡକ୍ଟର ଏବଂ ଏଆଇ: ଚୀନ୍ ଏହି କ୍ଷେତ୍ରରେ ବିପୁଳ ନିବେଶ କରିଛି। ଭାରତକୁ ଏବେ ବି ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି।
• ମ୍ୟାନୁଫେକ୍ଚରିଂ ଏବଂ ଅଟୋମେସନ: ଚୀନ୍ ରୋବୋଟିକ୍ସ ଏବଂ ଏଆଇ ସାହାଯ୍ୟରେ ଏହାର ଶିଳ୍ପଗୁଡ଼ିକୁ ସ୍ମାର୍ଟ ବନାଇଛି, ଅନ୍ୟପଟେ ଭାରତ ଏବେ ବି ଶ୍ରମ-କେନ୍ଦ୍ରିକ(ଲେବର ଇଣ୍ଟେସିଭ) ଶିଳ୍ପ ଉପରେ ନିର୍ଭର କରେ।
• ବିଶ୍ୱ ବଜାର ଅଂଶ: ଶିନ୍, ଆଲିବାବା ଏବଂ ଡିଜେଆଇ ଭଳି ଚୀନ୍ କମ୍ପାନୀଗୁଡ଼ିକ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା ବେଳେ ଭାରତୀୟ ଷ୍ଟାର୍ଟଅପ୍ ଏବେ ବି ମୁଖ୍ୟତଃ ଘରୋଇ ବଜାରରେ ସୀମିତ ରହିଛି।
ଭାରତରେ କାହିଁକି ହାଇ-ଟେକ୍ ଇନୋବେସନ ବୃଦ୍ଧି ପାଉନାହିଁ, ଏହାର ସମାଧାନ କ’ଣ?
ଗତ କିଛି ବର୍ଷ ମଧ୍ୟରେ ଚୀନ୍ ଉଚ୍ଚଶିକ୍ଷା ଏବଂ ରିସର୍ଚ୍ଚ ଏଣ୍ଡ ଡେଭଲପମମେଣ୍ଟ (R&D) ଉପରେ ବିପୁଳ ନିବେଶ କରିଛି। ୨୦୨୪ ମସିହାରେ ଚୀନର ରିସର୍ଚ୍ଚ ଏଣ୍ଡ ଡେଭଲପମମେଣ୍ଟ ଖର୍ଚ୍ଚ ୪୯୬ ବିଲିୟନ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଭାରତ ମାତ୍ର ୨୦,୦୦୦ କୋଟି (୨୩.୪୫ ବିଲିୟନ ଡଲାର) ବଜେଟ ଆବଣ୍ଟିତ କରିଛି।
ଚୀନରେ ୨୨ ଲକ୍ଷ R&D କର୍ମଚାରୀ ଥିବା ବେଳା ବେଳେ ଭାରତରେ କେବଳ ୯ ଲକ୍ଷ କର୍ମଚାରୀ ଅଛନ୍ତି। ଅର୍ଥାତ୍, ଭାରତରେ ଟେକ୍ନୋଲୋଜୀ ଇନୋବେସନ ପାଇଁ ପ୍ରତିଭାର ଅଭାବ ରହିଛି।
ଏହାର ସମାଧନ କଣ?
ଚୀନ ସହିତ ତୁଳନାତ୍ମକ ଭାବେ ଦେଖିଲେ ତଥାପି ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସମ୍ପୂର୍ଣ୍ଣ ଭାବରେ ପଛୁଆ ନୁହେଁ। ଭାରତରେ ସଫ୍ଟୱେର୍ ଏବଂ ଏଣ୍ଟରପ୍ରାଇଜ୍ ଟେକ୍ନୋଲୋଜି କ୍ଷେତ୍ରରେ ଭଲ ସମ୍ଭାବନା ରହିଛି। ଜୋହୋ(Zoho) ଏବଂ ଫ୍ରେଶୱାର୍କସ୍(Freshworks) ଭଳି କମ୍ପାନୀଗୁଡ଼ିକ ବିଶ୍ୱ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଭାରତର ଜନସଂଖ୍ୟାର ୬୫% ୩୫ ବର୍ଷରୁ କମ୍ ବୟସର, ଯାହା ଭବିଷ୍ୟତରେ ଏକ ବଡ଼ ସୁବିଧା ହୋଇପାରେ। କିନ୍ତୁ ଏଥିପାଇଁ ସରକାର ଏବଂ ଘରୋଇ କ୍ଷେତ୍ର ଡିପ୍ ଟେକ୍, ଇନୋବେସନ ଏବଂ ଗବେଷଣା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ପଢ଼ନ୍ତୁ- ଟିଭି, ଫ୍ରିଜ୍ ଓ ସ୍ମାର୍ଟଫୋନ୍ ହେବ ଶସ୍ତା: ଶୁଳ୍କ ଭୟରେ ଭାରତକୁ ଇଲେକ୍ଟ୍ରୋନିକ୍ସ ଉପରେ ଡିସ୍କାଉଣ୍ଟ ଅଫର କଲା ଚୀନ
ଷ୍ଟାର୍ଟ୍ଅପ୍ କ୍ଷେତ୍ରରେ ଚୀନର ଏଭଳି ଅଭିବୃଦ୍ଧିର କାରଣ ହେଉଛି ସେଠାକାର ସରକାରୀ ସମର୍ଥନ, ହାଇ-ଟେକ୍ ଇନଭେଷ୍ଟମେଣ୍ଟ,ଓ ଏବଂ ଏକ ବଡ଼ ଘରୋଇ ବଜାର। ଏପଟେ ଭାରତ ପାଖରେ ପୁଞ୍ଜିର ଅଭାବ, ସରକାରୀ ନୀତିରେ ଅସ୍ଥିରତା ଏବଂ କଞ୍ଜ୍ୟୁମର ଫେସିଂ ଆପ୍ରେ ଧ୍ୟାନ କେନ୍ଦ୍ରୀତ କରି ସୀମିତ ରହିବା ଯୋଗୁ ଭାରତ ପଛରେ ପଡ଼ିଗଲା। ତଥାପି, ଏକ ଷ୍ଟାର୍ଟଅପ୍ର ଯାତ୍ରା କେବେ ବି ଏକ ନିର୍ଦ୍ଦିଷ୍ଟ ପଥରେ ଚାଲେ ନାହିଁ। ଯଦି ସଠିକ୍ ପଦକ୍ଷେପ ନିଆଯାଏ, ତେବେ ଭାରତ ବି ଏହି ଦୌଡ଼ରେ ପୁଣି ଥରେ ସାମିଲ ହୋଇପାରିବ। କିନ୍ତୁ ବର୍ତ୍ତମାନ, ଚୀନ୍ ଏହି କ୍ଷେତ୍ରରେ ଭାରତଠାରୁ ବହୁତ ଆଗକୁ ଚାଲିଯାଇଛି। ତେଣୁ ବର୍ତ୍ତମାନ ଭାରତକୁ ସେହି ସ୍ଥାନରେ ପହଞ୍ଚିବା ସେତେ ସହଜ ହେବ ନାହିଁ।