ହିଟମ୍ୟାନଙ୍କୁ ନେଇ ବଡ଼ ଖବର, ବିଜୟ ହଜାରେ ଟ୍ରଫି ସହ SMATର ନକଆଉଟ୍ ମ୍ୟାଚ୍ ଖେଳିବେ ରୋହିତ

NEWS7
aparajita-sarangi-and-babu-singh-at-lingaraj-temple

ନୂଆଦିଲ୍ଲୀ: ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସ ନେଇ ସାରିଥିବା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବେ ଦିନିକିଆ ସହିତ ଘରୋଇ ଟୁର୍ଣ୍ଣାମେଣ୍ଟ ଉପରେ ଧ୍ୟାନ ଦେବେ। ଦିନିକିଆ ଫର୍ମାଟ୍ ବିଜୟ ହଜାରେ ଟ୍ରଫି ପାଇଁ ସହମତି ଦେଇ ସାରିଥିବା ରୋହିତ ଏବେ ଟି-୨୦ ଫର୍ମାଟ୍‌ର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ଖେଳିବେ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ହିଟମ୍ୟାନ୍ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି ଯେ, ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ନକଆଉଟ୍ ପର୍ଯ୍ୟାୟ ଖେଳିବାକୁ ଚାହାନ୍ତି। ରୋହିତ ଶର୍ମା ଏହି ନିଷ୍ପତ୍ତି ସେହି ସମୟରେ ନେଇଛନ୍ତି ଯେତେବେଳେ ସେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ସାରିଛନ୍ତି।

ରୋହିତ ଶର୍ମା ଶେଷ ଥର ୨୦୧୧-୧୨ରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳିଥିଲେ। ପ୍ରାୟ ୧୪-୧୫ ବର୍ଷ ପରେ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ପାଇବେ ଦର୍ଶକ। ସେହିପରି ବିରାଟ କୋହଲି ମଧ୍ୟ ବିଜୟ ହଜାରେ ଟ୍ରଫି ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ଡିଡିସିଏକୁ ମଧ୍ୟ ଜଣାଇ ଦେଇଛନ୍ତି। ଘରୋଇ କ୍ରିକେଟରେ ଏବେ ଦୁଇ କିମ୍ବଦନ୍ତୀ ଖେଳାଳି ରୋହିତ ଓ କୋହଲିଙ୍କୁ ଦର୍ଶକ ଦେଖିବାକୁ ପାଇବେ।

ଉଲ୍ଲେଖନୀୟ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ଲିଗ୍ ପର୍ଯ୍ୟାୟରେ ନିଜର ସମସ୍ତ ମ୍ୟାଚ୍ ଜିତିଛି। ଟିମ୍ ୧୬ ପଏଣ୍ଟ ସହ ଏଲିଟ୍ ଗ୍ରୁପ ଏରେ ଶୀର୍ଷରେ ରହିଛି। ଦଳ ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି। ରୋହିତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳୁଛନ୍ତି। ସିରିଜର ତୃତୀୟ ମ୍ୟାଚ୍ ଶନିବାର ବିଶାଖାପଟନମରେ ଖେଳାଯିବ। ଏହା ପରେ ଡିସେମ୍ବର ୧୨ରୁ ଆରମ୍ଭ ହେଉଥିବା ମୁମ୍ବାଇର ନକଆଉଟ୍ ମ୍ୟାଚ୍ ପାଇଁ ରୋହିତ ଉପଲବ୍ଧ ରହିବେ। ମୁମ୍ବାଇ ନିଜର ନକଆଉଟ୍ ମ୍ୟାଚ୍ ଇନ୍ଦୋରରେ ଡିସେମ୍ବର ୧୨ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳିବ।